Odisha Link
Bridging the Missing Links in Odisha

ଜିଏସ୍‌ଟି ଆଦାୟରେ ରେକର୍ଡ

ନୂଆଦିଲ୍ଲୀ: ଜିଏସ୍‌ଟି ଆଦାୟରେ ରେକର୍ଡ। ୨୦୨୦ ଡିସେମ୍ବରରେ ରାଜ୍ୟରେ ମୋଟ ଜିଏସ୍‌ଟି (କେନ୍ଦ୍ରୀୟ ଜିଏସଟି, ରାଜ୍ୟ ଜିଏସଟି, ସମନ୍ବିତ ଜିଏସଟି ଓ ଅତିରିକ୍ତ ଟିକସ) ଆଦାୟରେ ୨୦.୦୧ ପ୍ରତିଶତ ବୃଦ୍ଧି ହୋଇଛି। ୨୦୧୯ ଡିସେମ୍ବରରେ ରାଜ୍ୟରେ ୨୩୮୩.୨୯ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିବା‌ ବେଳେ ୨୦୨୦ ଡିସେମ୍ବରରେ ଏହା ୨୮୬୦.୨୦ କୋଟି ଟଙ୍କାରେ ପହଞ୍ଚିଛି। ଦେଶର ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାର ଜିଏସ୍‌ଟି ଆଦାୟରେ ସର୍ବାଧିକ ବୃଦ୍ଧି ବୋଲି ରାଜ୍ୟ ବାଣିଜ୍ୟକର ଓ ଜିଏସଟି ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ମୋଟ ଜିଏସଟି ମଧ୍ୟରୁ ଏସ୍‌ଜିଏସଟି ବାବଦରେ ୭୬୫.୨୬ କୋଟି ଓ ଆଇଜିଏସଟି ବାବଦରେ ୯୬୫.୭୫ କୋଟି ଟଙ୍କା ଆଦାୟ ହୋଇଛି। ୨୦୧୯ ଡିସେମ୍ବରରେ ଏସଜିଏସଟି ଏବଂ ଆଇଜିଏସଟି ରାଶି ଯଥାକ୍ରମେ ୭୨୬.୨୯ କୋଟି ଏବଂ ୬୯୬.୦୪ କୋଟି ଟଙ୍କା ରହିଥିଲା। ଏହି ଦୁଇଟି କ୍ଷେତ୍ରରେ ରାଜସ୍ବ ଆଦାୟ ବୃଦ୍ଧି ହାର ଯଥାକ୍ରମେ ୫.୩୫ ପ୍ରତିଶତ ଓ ୩୮.୭୫ ପ୍ରତିଶତ ରହିଛି। ଆଇଜିଏସଟିରେ ୩୮.୭୫ ପ୍ରତିଶତ ବୃଦ୍ଧି ଚଳିତ ଆର୍ଥିକ ବର୍ଷରେ ସର୍ବାଧିକ।

ଜିଏସ୍‍ଟି ଆଦାୟରେ ଯେଉଁ ଅଭିବୃଦ୍ଧିର ଧାରା ପରିଲକ୍ଷିତ ହୋଇଥିଲା ତାହା ଡିସେମ୍ବର ମାସରେ ସର୍ବାଧିକ ହୋଇଛି। ୨୦୧୯ ଡିସେମ୍ବର ମାସ ତୁଳନାରେ ୨୦୨୦ ଡିସେମ୍ବରରେ ଏହି ଅଭିବୃଦ୍ଧି ୧୨ ପ୍ରତିଶତ ରହିଛି। ଏହି ମାସରେ ଆମଦାନୀରୁ ଯେଉଁ ଜିଏସ୍‍ଟି ମିଳିଛି ତାହା ଘରୋଇ ସାମଗ୍ରୀ କାରବାରଜନିତ ଆୟଠାରୁ ୨୭ ପ୍ରତିଶତ ଅଧିକ।

Comments are closed.