Odisha Link
Bridging the Missing Links in Odisha

ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡର ବେଆଇନ ଭଙ୍ଗାରୁଜା ଉପରେ ରୋକ

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆରଆଇଏଲ) ପକ୍ଷରୁ ତାହାର ସହଯୋଗୀ କମ୍ପାନୀ ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ (ଆରଜେଆଇଏଲ) ଜରିଆରେ ପଞ୍ଜାବ ଓ ହରିଆଣା ହାଇକୋର୍ଟରେ ଦାଏର କରାଯାଇଥିବା ଏକ ପିଟିସନ ମାଧ୍ୟମରେ ସରକାରୀ କତ୍ତୃପକ୍ଷଙ୍କ ତୁରନ୍ତ ହସ୍ତକ୍ଷେପ ଦ୍ୱାରା ଅସାମାଜିକ‌ଙ୍କ ଦ୍ୱାରା ଜାରି ରହିଥିବା ବେଆଇନ୍ ଭଙ୍ଗାରୁଜା ଓ ଉତ୍ପାତ ଉପରେ ପୂର୍ଣ୍ଣରୁପେ ରୋକ ଲଗାଇବାକୁ ଉଲ୍ଲେଖ କରାଯାଇଛି।

ସେମାନଙ୍କ ଦ୍ୱାରା ଚାଲିଥିବା ହିଂସାକାଣ୍ଡ ଓ ଭଙ୍ଗାରୁଜା କାରଣରୁ ପଞ୍ଜାବ ଓ ହରିଆଣାରେ ଆରଆଇଏଲର ସହଯୋଗୀ କମ୍ପାନୀଗୁଡିକ ଦ୍ୱାରା ପରିଚାଳିତ ଗୁରୁତ୍ୱପୂର୍ଣ୍ଣ ସଂଚାର ଭିତ୍ତିଭୂମି, ବିକ୍ରୟ ଓ ସେବାଯୋଗାଣକାରୀ କେନ୍ଦ୍ରଗୁଡିକର ବ୍ୟାପକ କ୍ଷୟକ୍ଷତି ଘଟିଛି ଏବଂ ହଜାର ହଜାର କର୍ମଚାରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି ।

ହିଂସାତ୍ମକ କାର୍ଯ୍ୟରେ ଲିପ୍ତ ଅସାମାଜିକ ବ୍ୟକ୍ତିବିଶେଷ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ତଥା ଆମର ବ୍ୟବସାୟିକ ପ୍ରତିଦ୍ୱନ୍ଦୀମାନଙ୍କ ଦ୍ୱାରା ପ୍ରରୋଚିତ ଓ ସମର୍ଥିତ ଅଛନ୍ତି। ରାଜଧାନୀ ଦିଲ୍ଲୀ ନିକଟରେ କୃଷକମାନଙ୍କ ପକ୍ଷରୁ ଚାଲିଥିବା ଆନ୍ଦୋଳନର ସୁଯୋଗ ନେଇ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଏବଂ ଅସାମାଜିକ ତତ୍ତ୍ୱ ଉଦ୍ଦେଶ୍ୟ ପ୍ରଣୋଦିତ ଭାବରେ ରିଲାଏନ୍ସ ବିରୁଦ୍ଧରେ ଲଗାତାର ଭିତ୍ତିହୀନ ଅପପ୍ରଚାର ଚଳାଇଛନ୍ତି, ଯାହାର କୌଣସି ସତ୍ୟତା ନାହିଁ ।

ଏହିଭଳି ଭଙ୍ଗାରୁଜା ଓ ହିଂସାତ୍ମକ କାର୍ଯ୍ୟରେ ନିୟୋଜିତ ଦୁର୍ବୃତ୍ତମାନଙ୍କୁ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଏବଂ ରିଲାଏନ୍ସର ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱୀମାନେ ପ୍ରୋତ୍ସାହିତ ଓ ସହାୟତା କରୁଥିବା ଜଣାଯାଇଛି।

ତେବେ କମ୍ପାନୀ ପକ୍ଷରୁ ମାନନୀୟ ହାଇକୋର୍ଟଙ୍କ ନିକଟରେ ଉପସ୍ଥାପନ କରାଯାଇଥିବା ତଥ୍ୟରୁ ରିଲାଏନ୍ସ ବିରୁଦ୍ଧରେ ଭିତ୍ତିହୀନ ଅପପ୍ରଚାର ଚାଲିଥିବା ପ୍ରତିପାଦିତ ହୋଇଛି। ଏହି ସମସ୍ତ ତଥ୍ୟ ପ୍ରମାଣିତ କରୁଛି ଯେ ସଂପ୍ରତି ଦେଶବ୍ୟାପୀ ବିତର୍କର ବିଷୟ ହୋଇଥିବା ତିନିଟି କୃଷି ଆଇନ ସହ ରିଲାଏନ୍ସର କୌଣସି ସମ୍ପର୍କ ନାହିଁ କିମ୍ବା ଏହାଦ୍ୱାରା କମ୍ପାନୀ କୌଣସି ଭାବରେ ଉପକୃତ ହେଉନାହିଁ। ଅନ୍ୟପକ୍ଷରେ ରିଲାଏନ୍ସର ବ୍ୟବସାୟ ଓ ସୁଖ୍ୟାତିକୁ କ୍ଷତି ପହଞ୍ଚାଇବା ଭଳି ହୀନ ଉଦ୍ଦେଶ୍ୟରେ ରିଲାଏନ୍ସ ନାମକୁ ଏଥିସହିତ ଯୋଡାଯାଉଛି।

ଏ ସମ୍ପର୍କରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ପକ୍ଷରୁ କୁହାଯାଇଛି ଯେ ରିଲାଏନ୍ସ ରିଟେଲ ଲିମିଟେଡ (ଆରଆରଏଲ), ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ (ଆରଜେଆଇଏଲ) ଅଥବା ମୂଳ କମ୍ପାନୀର ଅନ୍ୟ କୌଣସି ସହଯୋଗୀ କମ୍ପାନୀ ଅତୀତରେ କୌଣସି ପ୍ରକାର ‘କର୍ପୋରେଟ’ ଅଥବା ‘କଣ୍ଟ୍ରାକ୍ଟ ଫାର୍ମିଂ’ ବା ଚୁକ୍ତିଭିତ୍ତିକ କୃଷି କରିନାହାନ୍ତି ଏବଂ ଏହି ବ୍ୟବସାୟରେ ଆଗାମୀ ଦିନରେ ପ୍ରବେଶ କରିବାର କୌଣସି ଯୋଜନା ଆଦୈା ନାହିଁ ।

‘କର୍ପୋରେଟ’ ଅଥବା ‘କଣ୍ଟ୍ରାକ୍ଟ ଫାର୍ମିଂ’ ପାଇଁ ରିଲାଏନ୍ସ ଅଥବା ମୂଳ କମ୍ପାନୀର କୌଣସି ସହଯୋଗୀ କମ୍ପାନୀ ପଞ୍ଜା, ହରିଆଣା କିମ୍ବା ଭାରତର ଅନ୍ୟ କୌଣସି ସ୍ଥାନରେ ପ୍ରତ୍ୟକ୍ଷ ଅଥବା ପରୋକ୍ଷ ଭାବରେ କୌଣସି ଚାଷୋପଯୋଗୀ ଜମି କ୍ରୟ କରିନାହାନ୍ତି । ତାହା କରିବାକୁ ମଧ୍ୟ ଏହାର ଆଦୌ କୌଣସି ଯୋଜନା ନାହିଁ ।

ରିଲାଏନ୍ସ ରିଟେଲ ଭାରତରେ ସଂଗଠିତ ରିଟେଲ ବ୍ୟବସାୟ କ୍ଷେତ୍ରରେ ଏକ ଅତୁଳନୀୟ ତଥା ଅଗ୍ରଣୀ ସଂସ୍ଥା । ଖାଦ୍ୟଶସ୍ୟ, ପ୍ରମୁଖ ଭୋଜନ, ଫଳ ଓ ପନିପରିବା, ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ, ପୋଷାକ, ଔଷଧ, ଦେଶରେ ସ୍ୱାଧୀନ ନିର୍ମାତାଙ୍କ ଦ୍ୱାରା ପ୍ରସ୍ତୁତ ଏବଂ ଯୋଗାଣକାରୀଙ୍କ ଦ୍ୱାରା ଉପଲବ୍ଧ ବିଭିନ୍ନ ବ୍ରାଣ୍ଡ୍‌ର ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ଆଦି ସମସ୍ତ ବର୍ଗର ଉତ୍ପାଦଗୁଡିକୁ ଏହା ଖୁଚୁରା ବିକ୍ରୟ କରୁଛି ।

ଏହା କୃଷକମାନଙ୍କ ନିକଟରୁ ସିଧାସଳଖ କୌଣସି ଖାଦ୍ୟଶସ୍ୟ କ୍ରୟ କରେନାହିଁ । ଏହା ଫାଇଦା ଉଠାଇବାକୁ କୃଷକମାନଙ୍କ ନିକଟରୁ ଉତ୍ପାଦ ସଂଗ୍ରହ ନିମନ୍ତେ କଦାପି ଦୀର୍ଘସୂତ୍ରୀ ଚୁକ୍ତି କରିନାହିଁ କିମ୍ବା ଏହାର ଯୋଗାଣକାରୀମାନେ (ସପ୍ଲାୟର୍ସ) କୃଷକଙ୍କ ନିକଟରୁ ଉପଯୁକ୍ତ ମୂଲ୍ୟଠାରୁ କମ୍ ମୂଲ୍ୟରେ ଖରିଦ କରିବାକୁ କେବେ ଚାହିଁନାହିଁ କିମ୍ବା ଏହା କଦାପି କରିବ ନାହିଁ ।

ରିଲାଏନ୍ସ ପକ୍ଷରୁ କୁହାଯାଇଛି ଯେ ୧୩୦ କୋଟି ଭାରତୀୟଙ୍କର ‘ଅନ୍ନ ଦାତା’ ଭାରତୀୟ କୃଷକଙ୍କ ପ୍ରତି ଏହାର ପ୍ରଗାଢ ସମ୍ମାନ ରହିଛି ଏବଂ ସେମାନଙ୍କ ପ୍ରତି ଏହା ଅତ୍ୟନ୍ତ କୃତଜ୍ଞ । ରିଲାଏନ୍ସ ଏବଂ ଏହାର ସହଯୋଗୀ କମ୍ପାନୀଗୁଡିକ କୃଷକମାନଙ୍କୁ ସମୃଦ୍ଧ ଏବଂ ସଶକ୍ତ କରିବାକୁ ସମସ୍ତ ପ୍ରୟାସ କରିବାକୁ ପ୍ରତିବଦ୍ଧ ଅଟନ୍ତି । ସେମାନଙ୍କ ସେବାର ଗ୍ରାହକ ଭାବରେ ଏହା ସହଭାଗି ସମୃଦ୍ଧି, ଅନ୍ତର୍ଭୁକ୍ତି ବିକାଶ ଏବଂ ଏକ ନ୍ୟାୟସଂଗତ ନୂତନ ଭାରତ ଗଠନ ପାଇଁ ଭାରତୀୟ କୃଷକମାନଙ୍କ ସହିତ ଏକ ସୁଦୃଢ ଏବଂ ସମାନ ସହଭାଗି ବ୍ୟବସ୍ଥା ଗଢିତୋଳିବାରେ ବିଶ୍ୱାସ କରେ ।

ଭାରତୀୟ କୃଷକମାନେ ନିଜର ଅତୁଳନୀୟ କଠିନ ପରିଶ୍ରମ, ଅଭିନବ ଉଦ୍ୟମ ଏବଂ ଉତ୍ସର୍ଗୀକୃତ ଭାବରେ ଯାହା ଉତ୍ପାଦନ କରନ୍ତି ତାହାପାଇଁ ଉଚିତ ଏବଂ ଲାଭଜନକ ମୂଲ୍ୟ ପାଇବା ଦିଗରେ ସେମାନଙ୍କର ଆଶା ଆକାଂକ୍ଷା ସହିତ ରିଲାଏନ୍ସ ଓ ଏହାର ସହଯୋଗୀ କମ୍ପାନୀଗୁଡିକ ପୂର୍ଣ୍ଣ ସହଭାଗୀ ଓ ସମର୍ଥନ କରୁଛନ୍ତି।

ରିଲାଏନ୍ସ ସେମାନଙ୍କ ଆୟରେ ସ୍ଥାୟୀ ଭାବରେ ଉଲ୍ଲେଖଯୋଗ୍ୟ ବୃଦ୍ଧି ଚାହୁଁଛି ଏବଂ ଏହି ଲକ୍ଷ୍ୟ ହାସଲ ନିମନ୍ତେ କାର୍ଯ୍ୟକରିବାକୁ ନିଜର ପ୍ରତିଶ୍ରୁତିବଦ୍ଧତା ଜଣାଉଛି । ବାସ୍ତବରେ ଏହା ନିଜର ଯୋଗାଣକାରୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସ୍‌ପି) ଅଥବା ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଓ କାର୍ଯ୍ୟକାରୀ କରାଯାଉଥିବା ସେହିଭଳି କୌଣସି ବ୍ୟବସ୍ଥା ଯାହାଦ୍ୱାରା କୃଷିଜାତ ସାମଗ୍ରୀ ପାଇଁ ଉଚିତ ମୂଲ୍ୟ ପ୍ରଦାନ ନିଶ୍ଚିତ ହେଉଥିବ, ତାହା କଡାକଡି ଭାବରେ ଅନୁପାଳନ କରିବାକୁ ଗୁରୁତ୍ୱ ଦେଉଛି ।

ଭାରତୀୟ କୃଷକଙ୍କ ସ୍ୱାର୍ଥ ପ୍ରତି ଆଂଚ ଆଣିବା ତ ଦୂରର କଥା, ରିଲାଏନ୍ସ ବାସ୍ତବରେ ସେମାନଙ୍କୁ ଏବଂ ସାମଗ୍ରିକ ଭାବରେ ଭାରତୀୟ ଜନସାଧାରଣଙ୍କ ପାଇଁ ବ୍ୟାପକ ଫାଇଦା ଆଣିଦେଇଛି, ଯାହା ନିମ୍ନୋକ୍ତ ତଥ୍ୟରୁ ସ୍ପଷ୍ଟ ଜଣାପଡୁଛି ।

ରିଲାଏନ୍ସ ରିଟେଲ ବିପୁଳ ପୁଞ୍ଜିନିବେଶ ଏବଂ ବିଶ୍ୱମାନର ପ୍ରଯୁକ୍ତି ପରିଚାଳିତ ଯୋଗାଣ ଶୃଙ୍ଖଳ (ସପ୍ଲାଇ ଚେନ୍‌) ଜରିଆରେ ଭାରତର ସର୍ବବୃହତ ସଂଗଠିତ ରିଟେଲ୍ ବ୍ୟବସାୟ ସ୍ଥାପନ କରିଛି, ଯାହା ଉଭୟ ଭାରତୀୟ କୃଷକ ଏବଂ ଉପଭୋକ୍ତାଙ୍କୁ ଉଲ୍ଲେଖନୀୟ ଲାଭ ଆଣିଦେଇଛି ।

ଜିଓର ସଂପୂର୍ଣ୍ଣ ୪ଜି ନେଟୱର୍କ ଭାରତର ପ୍ରତ୍ୟେକ ଗ୍ରାମକୁ ବିଶ୍ୱର ଯେକୌଣସି ସ୍ଥାନ ତୁଳନାରେ ସବୁଠାରୁ ସୁହାଇଲା ଭଳି ମୂଲ୍ୟରେ ବିଶ୍ୱଶ୍ରେଣୀର ଡାଟା ସଂଯୋଗ ଯୋଗାଇଦେଉଛି, ଏବଂ ଏହାଦ୍ୱାରା କୋଟି କୋଟି ଭାରତୀୟ କୃଷକଙ୍କ ପାଇଁ ଡିଜିଟାଲ ବିପ୍ଳବର ଫାଇଦା ଆଣିଦେଉଛି । ମାତ୍ର ଚାରିବର୍ଷରୁ କମ୍ ସମୟ ମଧ୍ୟରେ ଜିଓ ୪୦ କୋଟି ଗ୍ରାହକଙ୍କ ସହିତ ଭାରତର ସର୍ବବୃହତ ଡିଜିଟାଲ ସେବା ଯୋଗାଣକାରୀ ହୋଇଛି।

୨୦୨୦ ଅକ୍ଟୋବର ୩୧ ସୁଦ୍ଧା ଜିଓର ପଞ୍ଜାବରେ ଗ୍ରାହକ ସଂଖ୍ୟା ପ୍ରାୟ ୧.୪ କୋଟିରୁ ଅଧିକ (ରାଜ୍ୟରେ ପ୍ରାୟ ୩୬% ଗ୍ରାହକ ବଜାର ଅଂଶ) ଏବଂ ହରିଆଣାରେ ୯୪ଲକ୍ଷ (ରାଜ୍ୟରେ ମୋଟ ଗ୍ରାହକ ସଂଖ୍ୟାର ୩୪%) ରହିଥିଲା । ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ଭଳି ଜିଓ ଗ୍ରାହକ ପାଇବା ପାଇଁ କୌଣସି ପ୍ରକାର ବଳପ୍ରୟୋଗ ଅଥବା ବେଆଇନ ପଦକ୍ଷେପ ଗ୍ରହଣ କରିନାହିଁ ।

ସାଂପ୍ରତିକ କୋଭିଡ-୧୯ ମହାମାରୀ ସମୟରେ ଜିଓର ନେଟୱର୍କ ଭାରତର ଗ୍ରାମାଂଚଳ ଓ ସହରାଂଚଳରେ କୋଟି କୋଟି କୃଷକ ଓ ଅନ୍ୟ ଜନସାଧାରଣଙ୍କ ପାଇଁ ଜୀବନରେଖା ସାବ୍ୟସ୍ତ ହୋଇଛି। ଏହା କୃଷକ, ବ୍ୟବସାୟୀ ଏବଂ ଉପଭୋକ୍ତାଙ୍କୁ ଡିଜିଟାଲ ବ୍ୟବସ୍ଥାରେ ସାମିଲ୍ ହେବାରେ ସହାୟକ ହୋଇଛି। ଏହା କାର୍ଯ୍ୟରତ ପ୍ରଫେସନାଲଙ୍କୁ ଘରେ ରହି କାମ କରିବା ଏବଂ ଛାତ୍ରଛାତ୍ରୀଙ୍କୁ ନିଜ ଘରେ ରହି ଶିକ୍ଷା ଆହରଣ କରିବାରେ ସକ୍ଷମ କରାଇଛି। ଏହା ଶିକ୍ଷକ ଶିକ୍ଷୟିତ୍ରୀ, ଡାକ୍ତର, ରୋଗୀ, ଅଦାଲତ, ବିଭିନ୍ନ ସରକାରୀ ଓ ଘରୋଇ ଦପ୍ତର, ଶିଳ୍ପ ସଂସ୍ଥା ଏବଂ ଦାତବ୍ୟ ଅନୁଷ୍ଠାନଗୁଡିକୁ ସହାୟକ ହୋଇପାରିଛି । ଜରୁରୀକାଳୀନ, ଜଟିଳ ଏବଂ ଜୀବନରକ୍ଷାକାରୀ ସେବା ଯୋଗାଣ କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଇଛି ।

ଏପର୍ଯ୍ୟନ୍ତ ଦୁର୍ବୃତ୍ତମାନଙ୍କ ବିରୁଦ୍ଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ପାଇଁ ରିଲାଏନ୍ସ ସରକାରୀ କର୍ତ୍ତୃପକ୍ଷ, ବିଶେଷକରି ପଞ୍ଜାବ ଓ ହରିଆଣା ପୋଲିସକୁ ଆନ୍ତରିକ ଧନ୍ୟବାଦ ଜଣାଇଛି। ଏହାଦ୍ୱାରା ସମ୍ପ୍ରତି ହିଂସାକାଣ୍ଡ ଓ ଭଙ୍ଗାରୁଜା ହ୍ରାସପାଇଛି ।

ତେବେ କମ୍ପାନୀ ପଞ୍ଜାବ ଓ ହରିଆଣା ହାଇକୋର୍ଟରେ ପିଟିସନ ଦାଏର ଜରିଆରେ ଦୁର୍ବୃତ୍ତ ଏବଂ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ବିରୁଦ୍ଧରେ କଠୋର ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆବେଦନ କରିଛି, ଯଦ୍ଦ୍ୱାରା ରିଲାଏନ୍ସ ପଞ୍ଜାବ ଓ ହରିଆଣାରେ ପୁନର୍ବାର ସୁଚାରୁ ଭବରେ ତାହାର ବ୍ୟବସାୟ ପରିଚାଳନା କରିପାରିବ ।

ଜନସାଧାରଣ ଏବଂ ଗଣମାଧ୍ୟମଗୁଡିକ ସଠିକ ତଥ୍ୟ ସମ୍ପର୍କରେ ଅବଗତ ହେବା ଏବଂ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଗୁଡିକ ସେମାନଙ୍କ ନିଜର ଲାଭ ଓ ଫାଇଦା ନିମନ୍ତେ ଚଳାଇଥିବା ଅପପ୍ରଚାର ତଥା ଭ୍ରାନ୍ତ ସୂଚନାରେ ଭ୍ରମିତ ନହେବାକୁ ଏହା ନିବେଦନ କରିଛି ।

Comments are closed.