Odisha Link
Bridging the Missing Links in Odisha

ସିଡନୀ ଟେଷ୍ଟ: ଟିମ୍‌ ଇଣ୍ଡିଆ ପାଇଁ ଖୁସି ଖବର, ସମସ୍ତ ଖେଳାଳି କରୋନା ନେଗେଟିଭ୍‌

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଟିମ୍‌ ଇଣ୍ଡିଆ ପାଇଁ ଆସିଲା ଭଲ ଖବର। ଲାଗି ରହିଥିବା ବିବାଦ ମଧ୍ୟରେ ଟିମ୍‌ ଇଣ୍ଡିଆର ସମସ୍ତ ଖେଳାଳିଙ୍କ କୋଭିଡ-୧୯ ରିପୋର୍ଟ ନେଗେଟିଭ ଆସିଛି। ଏନେଇ ସୋମବାର ଦିନ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି।

ଭାରତୀୟ ଦଳର ସମସ୍ତ ଖେଳାଳିଙ୍କ କରୋନା ରିପୋର୍ଟ ନେଗେଟିଭ ଆସିବା ପରେ କ୍ବାରାଣ୍ଟିନରେ ଥିବା ୫ ଖେଳାଳି ଟିମ୍‌ ସହ ସିଡନୀ ଟେଷ୍ଟ ପାଇଁ ଯାତ୍ରା କରିବା ନେଇ ସୂଚନା ରହିଛି। ଜାନୁଆରୀ ୭ ତାରିଖରେ ହେବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫିର ୩ୟ ମ୍ୟାଚ୍‌ ସିଡନୀରେ ଖେଳାଯିବ। ଏଥିପାଇଁ ଆଜି ଉଭୟ ଅଷ୍ଟ୍ରେଲିଆ ଓ ଭାରତୀୟ ଟିମ୍‌ ମେଲବର୍ଣ୍ଣରୁ ସିଡନୀ ଅଭିମୁଖେ ଯାତ୍ରା କରିବେ।

ସୂଚନାଥାଉକି, ନିକଟରେ ନଭଲଦୀପ ସିଂହ ନାମକ ଜଣେ ବ୍ୟକ୍ତି ସୋସିଆଲ୍‌ ମିଡିଆରେ ଭାରତର ୫ଜଣ ଖେଳାଳି ମେଲବୋର୍ଣ୍ଣର ଏକ ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଉଥିବାର ଭିଡିଓ ପୋଷ୍ଟ କରିଥିଲେ। ଯାହାକୁ ନେଇ ବାୟୋ ବବଲ ବିବଦା ଉପୁଜିଥଇଲା। ଭିଡିଓରେ ରୋହିତ ଶର୍ମା, ଶୁବମନ ଗିଲ୍‌, ରିଷଭ ପନ୍ତ, ନବଦୀପ ସାଇନି ଓ ପୃଥ୍ୱୀ ଶ’ ଖାଦ୍ୟ ଖାଉଥିବାର ଦେଖିବାକୁ ମିଳିଥିଲା। ଏହା ଭାଇରାଲ୍‌ ହେବା ପରେ ଅଷ୍ଟ୍ରେଲିଆ ଗଣମାଧ୍ୟମରେ ଭାରତୀୟ ଖେଳାଳିମାନେ କୋଭିଡ୍‌ ନିୟମ ଉଲ୍ଲଂଘନ କରିଥିବା ଚର୍ଚ୍ଚା ଜୋର ଧରିଥିଲା। ଏହାପରେ କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ) ଏକ ବିଜ୍ଞପ୍ତି ଜାରି କରିଥିଲା। ଏଥିରେ କୁହାଯାଇଥିଲା, ବିସିସିଆଇ ଓ ଡାକ୍ତରୀ ଦଳଙ୍କ ପରାମର୍ଶକ୍ରମେ ଉକ୍ତ ୫ ଖେଳାଳିଙ୍କୁ ସଙ୍ଗରୋଧରେ ରଖାଯାଇଛି। ସେମାନେ କୋଭିଡ୍‌ ନିୟମ ଉଲ୍ଲଂଘନ କରିଛନ୍ତି କି ନାହିଁ ତଦନ୍ତ ଚାଲିଛି।

ଅପରପକ୍ଷେ, ବିସିସିଆଇ ପକ୍ଷରୁ କୁହାଯାଇଥିଲା ଯେ, ଆମ ଦଳ କୋଭିଡ ନିୟମ ବିଷୟରେ ଅବଗତ ରହିଛି। କୌଣସି ଖେଳାଳି ଜୈବ ସୁରକ୍ଷା ବଳୟ ନିୟମ ଭଙ୍ଗ କରିନାହାନ୍ତି। ନିୟମ ଅନୁଯାୟୀ ଖେଳାଳିମାନେ ଆବଶ୍ୟକ ସତର୍କତା ଅବଲମ୍ବନ କଲେ, ବାହାରେ ଖାଦ୍ୟ ଖାଇପାରିବେ। ଅଷ୍ଟ୍ରେଲୀୟ ଗଣମାଧ୍ୟମ ଏହି ଘଟଣାକୁ ଅତିରଞ୍ଜିତ କରି ପ୍ରଦର୍ଶନ କରୁଛି। ବକ୍ସିଂ ଡେ’ ଟେଷ୍ଟ ପରାଜୟ ପରେ ଅଷ୍ଟ୍ରେଲୀୟ ଗଣମାଧ୍ୟମ ଆକ୍ରୋଶମୁଳକ ଭାବେ ଏଭଳି କରୁଛି।

Comments are closed.