Odisha Link
Bridging the Missing Links in Odisha

ମହାନଦୀ କୂଳରେ ରହସ୍ୟମୟ ୧୧୦୦ ବର୍ଷ ପୁୁରୁଣା ମନ୍ଦିର

ଭୁବନେଶ୍ବର: ୭ ମାସ ତଳେ ମହାନଦୀ ଗର୍ଭରେ ଲୀନ ହୋଇଯାଇଥିବା ଏକ ମନ୍ଦିରର ଦଧିନଉତି ଇନଟାକର ଗବେଷକ ମାନେ ଆବିଷ୍କୃତ କରିଥିଲେ। ଏବେ ମହାନଦୀ ଅବବାହିକାରେ ସଭ୍ୟତା ଏବଂ ପ୍ରାଚୀନ କୀର୍ତ୍ତିରାଜି ଉପରେ ଗବେଷଣା କରୁଥିବା ଇନଟାକର ଗବେଷକ ଦୀପକ କୁମାର ନାୟକ ଓ ତାଙ୍କର ଦୁଇ ସହଯୋଗୀ ରବିନ୍ଦ୍ର କୁମାର ରାଣା ଓ ମାନସ ରଞ୍ଜନ ସାହୁ ଠାବ କରିଛନ୍ତି ଆଉ ଏକ ପ୍ରାଚୀନ କିର୍ତ୍ତୀରାଜି। ଯାହାକି ୧୧୦୦ ବର୍ଷର ମନ୍ଦିର ବୋଲି ଆକଳନ କରାଯାଉଛି। ଏଭଳି ଏକ ପ୍ରାଚୀନ କିର୍ତ୍ତୀରାଜି ଠାବ ହୋଇଛି କଟକ ଜିଲ୍ଲା ବାଙ୍କି ନିକଟବର୍ତ୍ତୀ ତେନ୍ତୁଳିଆ ଗାଁରେ।

ଇନଟାକର ଗବେଷକ ଦୀପକ କୁମାର ନାୟକଙ୍କ ସୂଚନା ଅନୁଯାୟୀ, ମନ୍ଦିର ଗଠନ ଶୈଳୀ ଦେଖିଲେ ଜଣାପଡ଼ୁଛି ଯେ ମନ୍ଦିରଟି ପ୍ରାୟ ୧୧୦୦ ବର୍ଷ ପୂରୁଣା। ଗୋଟିଏ ପଥରରେ ମନ୍ଦିର ଦେଖିବାକୁ ମିଳିଛି ଏଥିସହିତ ପଥରକୁ ପଥର ଯୋଡ଼ା ମନ୍ଦିର ଦେଖିବାକୁ ମିଳିଛି। ସେ ଆହୁରି କହିଛନ୍ତି ଯେ, ମହାନଦୀ ଅବବାହିକାରେ ଥିବାରୁ ବନ୍ୟା ବା ଅନ୍ୟ କୌଣସି କାରଣରୁ ମୁଖ୍ୟ ମନ୍ଦିରଟି ଧ୍ୱଂସ ପାଇ ସାରିଛି। ଏହାର କିଛି ଧ୍ୱଂସାବଶେଷ ଏବେବି ମନ୍ଦିର ସାମ୍ନାରେ ପଡ଼ିରହିଛି। ହେଲେ ଏବେ ବି ରହିଛି ଦୁଇଟି ପାର୍ଶ୍ୱ ମନ୍ଦିର ଏବଂ ଏକ ପୂରୁଣା କୂଅ , ଯାହାକି ଏ ଅଞ୍ଚଳର ସଭ୍ୟତାର ପ୍ରାଚୀନତାର କାହାଣୀ କହୁଛି।

ଏଥିସହିତ ଏ ଦୁଇ ମନ୍ଦିରରୁ ଗୋଟିଏରେ ବରାହୀ ପୂଜା ପାଉଛନ୍ତି। ଅନ୍ୟ ମନ୍ଦିରଟି ବେଶ କିଛି ଦିନ ଖାଲି ରହିବା ପରେ ଗାଁ ଲୋକେ ନୂଆ ଏକ ମୂର୍ତ୍ତି ରଖି ପୂଜା କରୁଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ଦିରର ଅଧିଷ୍ଠାତ୍ରୀ ଚାମୁଣ୍ଡା ଏବେ ରାମଚଣ୍ଡୀ ଭାବେ ପୂଜା ପାଉଥିବା ସୂଚନା ରହିଛି।

ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ଏହି ସ୍ଥାନରେ କିଛି ପଥର ପଡ଼ି ରହିଥିଲା ଯାହା ଉପରେ ରାମଚଣ୍ଡୀ ପୂଜା ପାଉଥିଲେ। କିନ୍ତୁ ସେସବୁ ପଥର ବି ଆଉ ମନ୍ଦିର ପ୍ରାଙ୍ଗଣରେ ବେଶୀ ସଂଖ୍ୟାରେ ନାହିଁ। ଏପରିକି ମୁଖ୍ୟ ମନ୍ଦିର କେଉ ବର୍ଷରୁ ଭାଙ୍ଗିଯାଇଥିବା ଫଳରେ ଗ୍ରାମବାସୀ ମାନେ ମିଶି ଏକ ମନ୍ଦିର ନିର୍ମାଣ କରିଛନ୍ତି। ଯେଉଁଠି ଏବେବି ୧୧୦୦ ବର୍ଷ ତଳର ମୂର୍ତ୍ତୀ ପୂଜା ପାଉଛନ୍ତି। ଏପରିକି ଗ୍ରାମର କିଛି ଲୋକ ଏହି ମୂର୍ତ୍ତୀକୁ ଏକ ହଜାର ବର୍ଷ ଏବଂ ୧୧୦୦ ବର୍ଷ ପୂରୁଣା କହୁଥିଲେ ହେଁ, କିଛି ବୃଦ୍ଧ ଲୋକ ଏହା ତା’ଠାରୁ ମଧ୍ୟ ପୂରୁଣା ବୋଲି କହିଛନ୍ତି।

Comments are closed.