Odisha Link
Bridging the Missing Links in Odisha

୭ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ଵର: ଦୁର୍ନୀତି ଓ ଅପାରଗତା ଯୋଗୁଁ ରାଜ୍ୟ ସରକାର ଆଜି ୭ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଜେଲ ଡିଆଇଜି, ଜଣେ କମାଣ୍ଡାଣ୍ଟ, ଜଣେ ଡିଏସ୍‌ପି, ଜଣେ ଡେପୁଟି କମାଣ୍ଡାଣ୍ଟ, ୨ ଜଣ ଖଣି ଅଧିକାରୀ ଓ ଜଣେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) ରହିଛନ୍ତି। ଆଜି ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅଧିକାରୀଙ୍କ ମଧ୍ୟରେ ରହିଛନ୍ତି ଜେଲ ବିଭାଗ ଡିଆଇଜି ଗୋପବନ୍ଧୁ ମଲ୍ଲିକ। ସେ ଜେଲ ୱାର୍ଡର ଚୟନ ନିମନ୍ତେ ଥିବା କମିଟିର ମୁଖ୍ୟ ଭାବେ ତାଙ୍କ ପଦବୀର ଅପବ୍ୟବହାର କରି ଚୟନ ପ୍ରକ୍ରିୟାରେ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା। ଜେଲ ବିଭାଗରେ ତାଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ନ ଥିଲା ଏବଂ ତାଙ୍କର ସାଧୁତା ସନ୍ଦେହମୁକ୍ତ ନ ଥିଲା ବୋଲି ରାଜ୍ୟ ସରକାର ଦର୍ଶାଇଛନ୍ତି।

କୋରାପୁଟ ଜିଲ୍ଲା ନନ୍ଦପୁର ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ରଙ୍କ ନାମରେ ଦୁଇଟି ଭିଜିଲାନ୍ସ କେସ୍‌ କରାଯାଇଛି। ୨୦୧୬ରେ ୮୦ ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମକଦ୍ଦମା ଦାୟର କରାଯାଇଥିବା ବେଳେ ଅକ୍ଟୋବର ୨୦୨୦ରେ ଛତୁଆ ବିଲ୍‌ ପାଇଁ ସ୍ବୟଂ ସହାୟକ ଗୋଷ୍ଠୀର ଜଣେ ସଦସ୍ୟଙ୍କଠାରୁ ୧ ଲକ୍ଷ ୭୫ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ସେ ଧରା ପଡିଥିଲେ। ସେ ବର୍ତ୍ତମାନ ନିଲମ୍ବିତ ଅଛନ୍ତି। ଓଡ଼ିଶା ସଶସ୍ତ୍ର ପୁଲିସର କମାଣ୍ଡାଣ୍ଟ ଏକାନ୍ତ ପ୍ରିୟ ନାୟକ ଦୁର୍ବ୍ୟବହାର ତଥା ତାଙ୍କ ଅଧସ୍ତନ କର୍ମଚାରୀଙ୍କୁ ମାରଧର କରିବା ଅଭିଯୋଗରେ ତାଙ୍କ ବିରୁଦ୍ଧରେ ଗୋଟିଏ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କରାଯାଇଛି ଏବଂ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା। ଜଣେ ମଦ୍ୟପ ତଥା ଅଯୋଗ୍ୟ ଅଫିସର ଭାବରେ ତାଙ୍କ ନାମରେ ଅନେକ ଅଭିଯୋଗ ରହିଥିଲା।

ଡିଏସପି ଗୌତମ ମଲ୍ଲିକଙ୍କ ବିରୁଦ୍ଧରେ ଦୁଇଟି ଫୌଜଦାରୀ ମାମଲା ରୁଜୁ କରାଯାଇଥିବା ବେଳେ ତାଙ୍କୁ ମଧ୍ୟ ଚାକିରିରୁ ନିଲମ୍ବିତ କରାଯାଇଥିଲା । ତାଙ୍କ ସାଧୁତା ଅତ୍ୟନ୍ତ ସନ୍ଦେହଜନକ ଥିଲା। ଓଡ଼ିଶା ସଶସ୍ତ୍ର ପୁଲିସର ଡେପୁଟି କମାଣ୍ଡାଣ୍ଟ ଦେବେନ୍ଦ୍ର ନାଥ ବେହେରାଙ୍କ ନାମରେ ଜଙ୍ଗଲରୁ କାଠ ଚୋରି ଅଭିଯୋଗରେ ଏକ ଫୌଜଦାରି ମାମଲା ରୁଜୁ କରାଯାଇଛି । ସେହିପରି ବିନା ଅନୁମତିରେ ସରକାରୀ ଗାଡିରେ ଅଧସ୍ତନ କର୍ମଚାରୀଙ୍କୁ ବ୍ୟବହାର କରି କାଠ ଚୋରା ଚାଲାଣ ଅଭିଯୋଗରେ ତାଙ୍କ ନାମରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି। କନିଷ୍ଠ ଖଣି ଅଧିକାରୀ ସତ୍ୟବ୍ରତ ରାଉତଙ୍କ ବିରୋଧରେ ୫ଟି ଭିଜିଲାନ୍ସ ମାମଲା ରହିଛି। ତାଙ୍କ ସାଧୁତା ସନ୍ଦେହଜନକ। ଦାୟିତ୍ବରେ ଅବହେଳା ଏବଂ ଦୁର୍ବ୍ୟବହାର ଆଦି ଗୁରୁତର ଅଭିଯୋଗରେ ତାଙ୍କ ବିରୁଦ୍ଧରେ ୩ଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବର୍ତ୍ତମାନ ସେ ନିଲମ୍ବିତ ଅଛନ୍ତି।

କନିଷ୍ଠ ଖଣି ଅଧିକାରୀ ରମେଶ ଚନ୍ଦ୍ର ପଣ୍ଡାଙ୍କ ବିରୁଦ୍ଧରେ ୩ଟି ଭିଜିଲାନ୍ସ କେସ୍‌ ଥିଲାବେଳେ ତାଙ୍କ ସାଧୁତା ମଧ୍ୟ ସନ୍ଦେହ ଜନକ। ଦାୟିତ୍ବରେ ଅବହେଳା ଏବଂ ଦୁର୍ବ୍ୟବହାର ଆଦି ଗୁରୁତର ଅଭିଯୋଗରେ ତାଙ୍କ ବିରୁଦ୍ଧରେ ୩ଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବର୍ତ୍ତମାନ ସେ ମଧ୍ୟ ନିଲମ୍ବିତ ଅଛନ୍ତି। ଏହି ସମସ୍ତ ଅଧିକାରୀମାନଙ୍କ ବିରୋଧରେ ବାଧ୍ୟତାମୂଳକ ଅବସର ନିର୍ଦେଶନାମା ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ପ୍ରକାଶ ଯେ, ଗତ ଡିସେମ୍ବର ୩୦ରେ ରାଜ୍ୟ ସରକାର ୬ ଜଣ ଅଧିକାରୀଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇଥିଲେ । ଏକ ବର୍ଷ ମଧ୍ୟରେ ରାଜ୍ୟ ସରକାର ୧୧୦ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଦୁର୍ନୀତି ତଥା ଲୋକଙ୍କୁ ସେବା ଯୋଗାଇବାରେ ଅବହେଳା କରୁଥିବା କର୍ମଚାରୀମାନଙ୍କ ପାଇଁ ଏହି ପଦକ୍ଷେପ ସତର୍କ ଘଣ୍ଟି ବୋଲି କୁହାଯାଇଛି।

Comments are closed.