Odisha Link
Bridging the Missing Links in Odisha

ପ୍ରେମୀଯୁଗଳଙ୍କୁ ଧରିବାକୁ ଯାଇ କରୋନା ପଜିଟିଭ ୪ ପୁଲିସ ଅଫିସର, ତାପରେ…

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳର ଜଣେ ନାବାଳିକା ତାଙ୍କ ପ୍ରେମିକ ସହ ଫେରାର ହୋଇଯାଇଥିଲେ। ପରେ ପ୍ରେମୀଯୁଗଳ ମନ୍ଦିରର ବିବାହ କରି ପାରାଦୀପରେ ଏକ ଘର ଭଡ଼ା ନେଇ ରହିଆସୁଥିଲେ। ଉଭୟେ ପରସ୍ପର ସହମତିରେ ଏସବୁ କରିଥିଲେ। ହେଲେ ପରିବାର ଲୋକ ଥାନାରେ ଅପହରଣ ଅଭିଯୋଗ କରିଥିବାରୁ ପୁଲିସ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଥିଲା ଓ ସେମାନଙ୍କୁ ଖୋଜି ମଧ୍ୟ ପାଇଥିଲେ। ହେଲେ ଏହାପରେ ଆସିଥିଲା ଆଉ ଏକ ଖବର। ଫେରାର୍‌ ପ୍ରେମୀଯୁଗଳଙ୍କୁ ଧରିବାକୁ ଯାଇଥିବା ସଦର ପୁଲିସ ଟିମ୍ କରୋନା ସଂକ୍ରମିତ ହୋଇଛନ୍ତି ‌। ପ୍ରେମୀଯୁଗଳଙ୍କ ସହ ସଦର ଥାନା ଆଇଆଇସି ଓ ଥାନାର ଜଣେ ଲେଖାଏଁ ଏସ୍‌ଆଇ, ଏଏସ୍‌ଆଇ ଓ କନ୍‌ଷ୍ଟେବଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ମିଳିଥିବା ସୂଚନା ମୁତାବିକ କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳର ଜଣେ ନାବାଳିକା ପ୍ରାୟ ୩ ମାସ ଆଗରୁ ତାଙ୍କ ପ୍ରେମିକଙ୍କ ସହ ଫେରାର୍‌ ହୋଇଯାଇଥିଲେ। ସେମାନେ ଘରୁ ଗୋପନରେ ପଳାୟନ କରିବା ପରେ ମନ୍ଦିରରେ ବିବାହ କରି ବନ୍ଦର ନଗରୀ ପାରାଦୀପରେ ଘର ଭଡ଼ାନେଇ ରହିଆସୁଥିଲେ। ପ୍ରେମିକଙ୍କ ଘର ମହାକାଳପଡ଼ା ଥାନା ଅଞ୍ଚଳରେ। ସେମାନେ ପରସ୍ପରର ସହ ମତିରେ ଯାଇଥିଲେ ମଧ୍ୟ ପରିବାର ଲୋକ ଥାନାରେ ଅପହରଣ ଅଭିଯୋଗ କରିଥିବାରୁ ପୁଲିସ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଥିଲା।

ପୁଲିସ ଫୋନ୍‌କଲ ଟ୍ରେସିଂ କରି ସେମାନେ ପାରାଦୀପ ଅଞ୍ଚଳରେ ରହୁଥିବା ଜାଣିବାକୁ ପାଇଥିଲା। ପରେ ସଦର ଆଇଆଇସି ପ୍ରମୋଦ କୁମାର ମଲିକଙ୍କ ନେତୃତ୍ୱରେ ଏସ୍‌ଆଇ ଶୁଭପ୍ରିୟା ରାଉତ, ଏଏସ୍‌ଆଇ ସୁଦର୍ଶନ ସାମଲ ଓ କନେଷ୍ଟବଳ ସୁନୀଲ ମହାନ୍ତି ପ୍ରମୁଖ ସେଠାରେ ଚଢ଼ଉ କରି ପ୍ରେମୀଯୁଗଳଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କର କୋଭିଡ୍‌-୧୯ ପରୀକ୍ଷା କରାଯିବାରୁ ସେମାନେ ପଜିଟିଭ ବୋଲି ଜଣାପଡ଼ିଥିଲେ। ଯେହେତୁ ସେମାନଙ୍କୁ ପୁଲିସ ଟିମ୍‌ ଆଣିବାକୁ ଯାଇଥିଲା, ସେମାନଙ୍କର କୋଭିଡ୍‌-୧୯ ପରୀକ୍ଷା କରାଯିବାରୁ ପଜିଟିଭ୍‌ ରିପୋର୍ଟ ଆସିଥିଲା।

Comments are closed.