Odisha Link
Bridging the Missing Links in Odisha

ଦେବାଳୟରେ ଗଣଦୁଷ୍କର୍ମ, ମହିଳାଙ୍କ ଗୁପ୍ତାଙ୍ଗରେ ରଡ୍ ପୂରାଇଲେ ପୂଜକ ଏବଂ ଶିଷ୍ୟ

ବଦାଉଁ: ଦେବାଳୟରେ ‘ନିର୍ଭୟା’ ଦୁଷ୍କର୍ମ ମାମଲାର ପୁନରାବୃତ୍ତି। ଗଣଦୁଷ୍କର୍ମ ପରେ ମହିଳାଙ୍କ ଗୁପ୍ତାଙ୍ଗରେ ରଡ୍ ପୂରାଇଥିବା ଜଣାପଡ଼ିଛି। ଏଭଳି ଘୃଣ୍ୟ କାର୍ଯ୍ୟ କରିଛନ୍ତି ଈଶ୍ୱର ଉପସନା କରୁଥିବା ଜଣେ ପୂଜକ ଏବଂ ଦୁଇ ଶିଷ୍ୟ। ଉତ୍ତର ପ୍ରଦେଶର ବଦାଉଁ ଜିଲ୍ଲାରେ ଏହି ଘଟଣା ଘଟିଛି। ଦୁଷ୍କର୍ମର ଶିକାର ପରେ ଅଙ୍ଗନବାଡି ଦିଦି ଜଣଙ୍କ ମୃତ୍ୟୁ ହୋଇଛି। ଉକ୍ତ ମହିଳାଙ୍କ ବୟସ ୫୦ ବର୍ଷ ବେଲି ଜଣାପଡିଛି। ପୁଲିସ ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ରବିବାର ମହିଳା ଜଣଙ୍କ ସଂଧ୍ୟାରେ ପୂଜା କରିବା ପାଇଁ ମନ୍ଦିର ଯାଇଥିଲେ। ବଦାଉଁ ଜିଲ୍ଲାର ଉଘାଇତି ଥାନା ଅଧୀନରେ ଏହି ମନ୍ଦିର ରହିଛି। ପ୍ରତିଦିନ ସଂଧ୍ୟାରେ ମହିଳା ଜଣଙ୍କ ପୂଜା କରିବାକୁ ଯାଆନ୍ତି ବୋଲି ମୃତକଙ୍କ ପୁଅ କହିଛନ୍ତି। ରାତିରେ ପୂଜକମାନେ ଗାଡ଼ିରେ ଆଣି ଘର ଆଗରେ ଶବ ରଖି ପଳାଇଥିଲେ। ଏହି ସମୟରେ ମହିଳାଙ୍କ ଗୋଡ଼କୁ ଏକ ହଳଦିଆ ରଙ୍ଗ ପଲିଥିନରେ ଘୋଡାଯାଇଥିଲା ବୋଲି ମୃତକଙ୍କ ପୁଅ କହିଛନ୍ତି।

ଶବ ବ୍ୟବଚ୍ଛେଦ ରିପୋର୍ଟରେ ମହିଳା ଜଣଙ୍କ ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି। ସେହିପରି ତାଙ୍କ ଗୁପ୍ତାଙ୍ଗରେ ଲୁହା ରଡର ଆଘାତ ଦିଆଯାଇଥିବା ଜଣାପଡ଼ିଛି। ମହିଳାଙ୍କ ପଞ୍ଜରା ହାଡ଼ ମଧ୍ୟ ଆଘାତ ପାଇଛି। ପୁଲିସ ଏବେ ତିନି ଜଣ ପୂଜକଙ୍କ ବିରୋଧରେ ଏତଲା ଗ୍ରହଣ କରି ତଦନ୍ତ କରୁଛି। ପ୍ରାଥମିକ ଭାବରେ ଦୁଇ ଜଣ ଗିରଫ ହୋଇଛନ୍ତି। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି।

ତେବେ ମୃତକଙ୍କ ପରିବାର ଲୋକେ ପୁଲିସ ଉପରେ ପ୍ରଶ୍ନ ଉଠାଇଛନ୍ତି। ଘଟଣା ବାବଦରେ ପୁଲିସକୁ ସୂଚନା ଦେବା ପରେ ବି ଠିକଣା ସମୟରେ ପୁଲିସ ପହଞ୍ଚିନଥିବା ଅଭିଯୋଗ ହୋଇଛି। ରବିବାର ଏହି କ୍ରୁର ଘଟଣା ଘଟିବାର ୧୮ ଘଣ୍ଟା ପରେ ପୁଲିସ ଶବ ବ୍ୟବଚ୍ଛେଦ କରିଥିବା ଜଣାପଡ଼ିଛି।

Comments are closed.