Odisha Link
Bridging the Missing Links in Odisha

କେନ୍ଦ୍ରାପଡ଼ା: ଫଳକରେ ସାଂସଦଙ୍କୁ ଅଣଦେଖା

ଭୁବନେଶ୍ବର: ପ୍ରଥମେ ବିଜୁ ଜନତା ଦଳର ଷ୍ଟାର ପ୍ରଚାରକ ଭାବେ ଜଣାଶୁଣା ଥିଲେ। ପରେ ପରେ ସକ୍ରିୟ ରାଜନୀତିରେ ପାଦ ଥାପିଲେ ଓ ଦଳୀୟ ଟିକେଟ ପାଇ ସାଂସଦ ବି ହେଲେ। ସେ ହେଉଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ଅନୁଭବ ମହାନ୍ତିଙ୍କ ସମର୍ଥକମାନେ ଯେତେ ଚିତ୍କାର କଲେବି ଦଳରୁ ସେ କୋଣଠେସା ହୋଇସାରିଲେଣି । ବର୍ଷା ଓ ଅନୁଭବଙ୍କ ପାରିବାରିକ ବିବାଦକୁ ଦଳ ଗୁରୁତର ସହ ଗ୍ରହଣ କରିସାରିଛି। ଯାହାର ନଜିର ମଧ୍ୟ ଦେଖିବାକୁ ମିଳିଛି। ଦୁଇଟି ଉପନିର୍ବାଚନରେ ତାଙ୍କୁ ଷ୍ଟାର ପ୍ରଚାରକ ତାଲିକାରୁ ବାଦ ଦିଆଯାଇଥିବାବେଳେ କେନ୍ଦ୍ରାପଡ଼ାର ବିକାଶ ମୂଳକ ପ୍ରକଳ୍ପରେ ବି ତାଙ୍କ ନାମକୁ ସ୍ଥାନୀତ କରାଯାଉନାହିଁ ।

ନିକଟରେ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଶିଳାନ୍ୟାସ ହେଲା। ଦୁଇ ଜଣ ମନ୍ତ୍ରୀ, ସ୍ଥାନୀୟ ବିଧାୟକ, ବାହାର ଜିଲ୍ଲାର ତିନି ବିଧାୟକଙ୍କ ନାଁ ସେଥିରେ ରହିଲା। ଅଥଚ ସା˚ସଦ ଅନୁଭବ ମହାନ୍ତିଙ୍କ ନାଁ ଫଳକରେ ରହିଲା ନାହିଁ। ପଟ୍ଟାମୁଣ୍ତାଇ ପୌରପାଳିକା ଅନ୍ତର୍ଗତ କଷଣଅଣ୍ଟାରେ ଶୁକ୍ରବାର ମିନି ଷ୍ଟାଡିୟମ୍‌ର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଏଭଳି ଘଟଣା ଏବେ ଚର୍ଚ୍ଚାର ଖୋରାକ ଯୋଗାଇଛି। କୌତୂହଳର କଥା ହେଉଛି, ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଉପସ୍ଥିତ ନ ଥାଇ ବି ଯାଜପୁରର କୋରେଇ ବିଧାୟକ ଅଶୋକ ବଳ, ଜଗତସି˚ହପୁର ଜିଲ୍ଲା ପାରାଦୀପର ବିଧାୟକ ସମ୍ବିତ୍‌ ରାଉତରାୟଙ୍କ ନାଁ ଫଳକରେ ରହିଲା। ପାରିବାରିକ ବିବାଦରେ ଫସିବା ପରଠୁ ଦଳ ଯେ ଅନୁଭବଙ୍କୁ ଏକପ୍ରକାର କୋଣଠେସା କରିଦେଇଛି, ଏ ବାର୍ତ୍ତା ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି।

ଏହା ପୂର୍ବରୁ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ସମେତ ଅତନୁ ସବ୍ୟସାଚୀ ନାୟକ ମହାକାଳପଡ଼ା ଆଖଡ଼ାଶାଳିରେ ପ୍ରସ୍ତାବିତ ବନ୍ଦର ପ୍ରକଳ୍ପ ଅନୁଧ୍ୟାନ କରିଥିବାବେଳେ ସେଠାରେ ଅନୁଭବଙ୍କ ଦେଖା ମିଳିନଥିଲା। ସେହିପରି କେନ୍ଦ୍ରାପଡ଼ାକୁ ଛାଡ଼ି ବାକି ଜିଲ୍ଲାର ଅନ୍ୟ ନିର୍ବାଚନମଣ୍ଡଳୀର ବିଜେଡ଼ି ପ୍ରତିଷ୍ଠା କାର୍ଯ୍ୟକ୍ରମରେ ବି ଅନୁଭବଙ୍କୁ ଉପେକ୍ଷା କରାଯାଇଥିଲା। ସଭାସ୍ଥଳରେ ତାଙ୍କ ଫଟୋଟିଏ ବି ଲାଗିନଥିଲା। ଏହିସବୁ ଦିଗକୁ ଅନୁଧ୍ୟାନ କଲେ ଅନୁଭବଙ୍କ ଆଗକୁ ଅଡ଼ୁଆରେ ପଡ଼ିବେ ବୋଲି କୁହାଯାଉଛି।

Comments are closed.