Odisha Link
Bridging the Missing Links in Odisha

ଅପରାଜିତା: ଆଗପଟୁ ଜଗନ୍ନାଥ, ପଛପଟୁ ପତିତପାବନ!

ଏଭଳି ଶୀର୍ଷକ ପାଇଁ ପ୍ରଥମରୁ କ୍ଷମା ମାଗି ନେଉଛି। ପ୍ରସଙ୍ଗଟି ଗୁରୁତ୍ବପୂର୍ଣ୍ଣ ନିଶ୍ଚୟ। ଆମେ ସମସ୍ତେ ଉଣାଅଧିକେ ନିଜର ପ୍ରଶଂସା ଶୁଣିବାକୁ ଭଲପାଉ, ଏଥିରେ କୌଣସି ଅସୁବିଧା ନାହିଁ। ତେବେ ପ୍ରଶଂସା କ୍ରମଶଃ ସ୍ତୁତିଗାନର ରୂପନେଇ ମଣିଷକୁ ଈଶ୍ବରଙ୍କ ସମାସ୍କନ୍ଦ କରି ଦେଖାଇବାର ଉପକ୍ରମ ଧୃଷ୍ଟତା ନିଶ୍ଚୟ। ଏମିତି ଏକ ଘଟଣା ଘଟିଛି ପୂର୍ବତନ ପ୍ରଶାସିକା, ବର୍ତ୍ତମାନର ବିଜେପି ନେତ୍ରୀ ତଥା ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କ୍ଷେତ୍ରରେ।

ଅପରାଜିତା ପ୍ରଶଂସା ପାଇବାକୁ ହକ୍‌ଦାର, ଏଥିରେ ଦ୍ବିମତ ନାହିଁ। ଜଣେ ପ୍ରଶାସିକା ଭାବରେ ତାଙ୍କର କାର୍ଯ୍ୟ ପୂର୍ବରୁ ପ୍ରଶଂସିତ ହୋଇଥିବା ବେଳେ ଏବେ ରାଜନେତା ଭାବରେ ମଧ୍ୟ ସେ ପ୍ରଶଂସା ସାଉଁଟିବାର କୌଣସି ସୁଯୋଗ ହାତଛଡ଼ା କରିନାହାନ୍ତି। ଏ ଲେଖକ ଅପରାଜିତାଙ୍କୁ ପ୍ରଶଂସା କରିବାର କାରଣ ହେଉଛି ସେ ତାଙ୍କ ଦଳର କେଇମାତ୍ର ହାତଗଣତି ନେତାଙ୍କ ଭିତରୁ ଜଣେ ଯେ ସାଂପ୍ରଦାୟିକ ପ୍ରସଙ୍ଗ ଉପରେ ବିବାଦୀୟ ବା ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ ରଖନ୍ତି ନାହିଁ। ଦଳାଶ୍ରୟୀ ନ ହୋଇ ଅପରାଜିତା ନିଜର ବ୍ୟକ୍ତିଗତ ଉଦ୍ୟମରେ ନିଜେ ଗୋଟିଏ ବ୍ରାଣ୍ଡ ଭାବେ ଉଭା ହୋଇଛନ୍ତିି। ଦଳୀୟ ବ୍ୟାନର୍‌ ବାହାରେ ସେ ନିଜ ନିର୍ବାଚନ ମଣ୍ଡଳୀରେ ଜଣେ ‘ଲୋକଙ୍କ ସାଂସଦ’ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ବେସରକାରୀ ଉଦ୍ୟମରେ ବିଭିନ୍ନ ଯୋଜନାରେ ଜନସେବା କରିବା ଓ ଲୋକଙ୍କ ହାନିଲାଭ ବୁଝିବାରେ ସେ ବେଶ୍‌ ଆଗୁଆ। ଏପରିକି କେତେକ ପ୍ରସଙ୍ଗରେ ସେ ନିଜ ଦଳ ବିଜେପି ଠାରୁ ଦୂରେଇ ରହି ସାହସିକତା ଓ ବୁଦ୍ଧିମତାର ପରିଚୟ ଦେଇଛନ୍ତି।

ଅପରାଜିତାଙ୍କ ଏହିଭଳି ସବୁ କାର୍ଯ୍ୟ ପାଇଁ ବିଭିନ୍ନ ମହଲରେ ତାଙ୍କ ପ୍ରତି ପ୍ରଶଂସାର ସୁଅ ଛୁଟିଛି। ତେବେ ଏତିକି ପ୍ରଶଂସା ଅଣ୍ଟିଲାନି ଯେ ନିଜକୁ ଈଶ୍ବରଙ୍କ ସହ ତୁଳନା ହେବାର ଦୃଷ୍ଟତାକୁ ସେ ସହାସ୍ୟ ସହିଗଲେ?

ଘଟଣାଟି ଦୁଇ ସପ୍ତାହ ତଳର। ନିଜ ନିର୍ବାଚନ ମଣ୍ଡଳୀରେ ଇଂରାଜୀ ନୂଆବର୍ଷକୁ ସ୍ବାଗତ କରିବା ଲାଗି ଏକ ସଭାରେ ଯୋଗ ଦେଇଥାଆନ୍ତି ସ୍ବୟଂ ଅପରାଜିତା। ତାଙ୍କର ଅନ୍ୟତମ ମାନସ ପ୍ରତିଷ୍ଠାନ ‘ଅଜିତା’ ପକ୍ଷରୁ ଏହି ଉତ୍ସବ ପାଳନ ହେଉଥାଏ। ଭାଷଣ ଝାଡ଼ୁଥାଆନ୍ତି ଦଳର ଖୋର୍ଦ୍ଧା ଜିଲ୍ଲା ଉପସଭାପତି ରୋଜିନାରାଣୀ ଦାସ। ତେବେ କହୁ କହୁ ଭାବବିହ୍ବଳ ରୋଜିନା ଅପରାଜିତାଙ୍କୁ ଆଗପଟୁ ସ୍ବୟଂ ପ୍ରଭୁ ଜଗନ୍ନାଥଙ୍କ ସହ ତୁଳନା କରିଥିବା ବେଳେ ପଛପଟୁ ପତିତପାବନଙ୍କ ସହ ତୁଳନା କରିଥିଲେ। ଅପରାଜିତାଙ୍କର ଯଦି ଦର୍ଶନ ନ ହୋଇପାରିଲା ଓ ତାଙ୍କୁ ଆପଣ କେବଳ ପଛପଟୁ ଦେଖିଦେଲେ, ତେବେ ତାହା ଶ୍ରୀମନ୍ଦିର ସିଂହଦ୍ବାର ନିକଟରେ ପତିତପାବନ ଦର୍ଶନ ସହ ସମାନ ବୋଲି ପ୍ରକାରାନ୍ତରେ କହିଥିଲେ ରୋଜିନା। ଏଭଳି ପ୍ରଚଣ୍ଡ ପ୍ରଶସ୍ତି ଶୁଣି ଅପରାଜିତା ତାଙ୍କୁ ଅଟକାଇବା ବଦଳରେ ମଞ୍ଚରେ ବସି ମୁରୁକି ମୁରୁକି ହସୁଥିଲେ।

ରୋଜିନା ଭାଷଣରେ କହିଥିଲେ- “ଅପରାଜିତାଙ୍କ ବିଷୟରେ ମୋର ଗୋଟିଏ ଛୋଟ ଅନୁଭୂତି କହିବି। ଯେତେବେଳେ ମୁଁ ଛାତ୍ରୀ ଥିଲି ଓଡ଼ିଶା ଜୁଡିସିଆଲ ସର୍ଭିସ୍‌ ପାଇଁ ନିଜକୁ ପ୍ରସ୍ତୁତ କରୁଥିଲି। ଦିନେ ବସ୍‌ରେ କୋଚିଂ ସେଣ୍ଟର ଯିବା ବେଳେ ଭୁବନେଶ୍ବର ଏଜି ଛକରେ ଭେଣ୍ଡିଂ ଜୋନ୍‌ ଦେଖିବା ପାଇଁ ତତ୍‌କାଳୀନ ବିଏମ୍‌ସି କମିଶନର୍‌ ଅପରାଜିତା ଷଡ଼ଙ୍ଗୀ ସହକର୍ମୀମାନଙ୍କ ସହ ଆସୁଥାଆନ୍ତି ବୋଲି ଶୁଣିଲି। ସେତେବେଳେ ଅପରାଜିତା ମାଡାମ୍‌ଙ୍କୁ ବାଘୁଣୀ ବେୋଲି କହାଯାଉଥିଲା। ମାଡାମ୍‌ ଆସୁଛନ୍ତି ବୋଲି ରାଜମହଲ- ମାଷ୍ଟରକ୍ୟାଣ୍ଟିନ୍‌ ରାସ୍ତା ପୂରା ପରିଷ୍କାର ହୋଇଯାଇଥିଲା। ଲାଗୁଥିଲା ସତେଯେମିତି ଭୁବନେଶ୍ବର ସହ ପରିକ୍ରମା କରିବାକୁ କିଏ ଭିଭିଆଇପି ଆସୁଛନ୍ତି। ମୋର ସ୍ବପ୍ନ ଥିଲା ମାଡାମ୍‌ଙ୍କୁ ଦେଖିବି। ମୁଁ ଏଜି ଛକରେ ଓହ୍ଲାଇ ପଡ଼ିଲି। ମାଡାମ୍‌ଙ୍କ ଅଫିସ୍‌ ଷ୍ଟାଫ୍‌ ତାଙ୍କୁ ପଛେ ପଛେ ଘେରି ରହିଥାଆନ୍ତି। କିନ୍ତୁ ଦୁଃଖର ବିଷୟ ମାଡାମଙ୍କ ପଛପଟଟା ମୁଁ ଦେଖିଥିଲି, ମାଡାମଙ୍କ ସାମନା ପଟ ଦେଖିପାରି ନଥିଲି। କିନ୍ତୁ ମାଡାମ୍‌ଙ୍କ ପଛଟା ଦେଖିକି ମାଡାମ୍‌ଙ୍କର ଯେଉଁ ଦର୍ଶନଟା ହେଇଥିଲା ମୋତେ ଲାଗିଲା ପତିତପାବନ ଦେଖି ମୁଁ ଫେରିଆସିଛି। ପରେ ମାଡାମ୍‌ଙ୍କୁ ଘରେ ଭେଟିବା ପାଇଁ ଡାକରା ଆସିଲା। ଯେତେବେଳେ ମାଡାମ୍‌ଙ୍କୁ ମୁଁ ପାଖରୁ ଦେଖିଲି ମୋତେ ଲାଗିଲା ଜଗନ୍ନାଥ ଦର୍ଶନ କଲି। ପୂର୍ବରୁ ପତିତପାବନ ଦର୍ଶନ ହୋଇଥିଲା, ମନ୍ଦିର ଭିତରେ ଜଗନ୍ନାଥଙ୍କୁ ଦେଖିଲି।”

ଅବଶ୍ୟ ଏ ବକ୍ତବ୍ୟ ରାଜନୈତିକ ବକ୍ତବ୍ୟ ନୁହେଁ, ମନର ଅନୁଭବ ବୋଲି କହିଛନ୍ତି ରୋଜିନାରାଣୀ। କିନ୍ତୁ ରୋଜିନାରାଣୀମାନଙ୍କର ଏହିଭଳି ଭାବବିହ୍ବଳ ପ୍ରଶସ୍ତି ହିଁ ଅପରାଜିତାମାନଙ୍କୁ ପରାହତ କରିଥାଏ। ପୁରୁଣା କଥାଟିଏ ଅଛି- ଯଦି ତୁମର ଶତ୍ରୁକୁ ପରାସ୍ତ କରିବାକୁ ଚାହୁଁଛ, ତେବେ କିଛି କରିବା ଦରକାର ନାହିଁ। କେବଳ ତା ପାଖରେ କିଛି ସ୍ତାବକଙ୍କୁ ଛାଡ଼ିଦିଅ।

ପ୍ରଶଂସା ଠାରୁ ଭୟଙ୍କର ବିଷ ଆଉ କିଛି ନାହିଁ। ନିକଟ ଅତୀତରେ ବିଜେପିର ଆଉ ଜଣେ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଅନୁରୂପ ଭାବେ ସମ୍ବିତ ପାତ୍ରଙ୍କୁ ପ୍ରଶଂସା କରିବାକୁ ଯାଇ ଓଡ଼ିଆଙ୍କ ଜଗନ୍ନାଥ ଚେତନାକୁ ଓ ପରିଚୟକୁ ବିଦ୍ରୁପ କରିଥିଲେ। ସେତେବେଳେ ଲେଖାଶ୍ରୀ କହିଥିଲେ- ପୂର୍ବରୁ ରାଜ୍ୟ ବାହାରେ ଲୋକେ ‘ପୁରୀ କ୍ୟା କଲକତା ମେ ହୈ’ ବୋଲି ପ୍ରଶ୍ନ କରୁଥିଲେ, କିନ୍ତୁ ସମ୍ବିତ ଭାଇ ପୁରୀରୁ ସାଂସଦ ଭାବେ ଲଢ଼ିବା ପରେ ଦେଶବାସୀ ଜାଣିଲେ ଯେ ପୁରୀ ଓଡ଼ିଶାରେ।

ଲେଖାଶ୍ରୀଙ୍କ ମନର ଅନୁଭବ ସମ୍ବଳିତ ପ୍ରଶଂସାକୁ ସେତେବେଳେ ସମ୍ବିତ ଯେମିତି ପାଟିବନ୍ଦ କରି ଆବୋରି ନେଇଥିଲେ ଏବେ ରୋଜିନାଙ୍କ ଅନଭୁବଯୁକ୍ତ ପ୍ରଶଂସାକୁ ମଧ୍ୟ ଅନୁରୂପ ଭାବେ ସହାସ୍ୟ ଗ୍ରହଣ କରି ନେଇଛନ୍ତି ଅପରାଜିତା।

କେବଳ ବିଜେପି ନୁହେଁ, ଚାଟୁକାରୀତାର ଏ ପରମ୍ପରା ଅନ୍ୟ ଦଳରେ ବି ରହିଛି ଓ ସେ ସବୁ ଦଳର ନେତାମାନେ ବି ନିରବରେ ନିଜର ପ୍ରଶଂସାକୁ ସମର୍ଥନ ଦେଇଛନ୍ତି। ନିକଟରେ ଅପରାଜିତାଙ୍କ ନିର୍ବାଚନ ପ୍ରତିଦ୍ବନ୍ଦ୍ବୀ ବିଜେଡି ନେତା ଅରୂପ ପଟ୍ଟନାୟକ ଦଳର ସର୍ବୋଚ୍ଚ ନେତା ନବୀନ ପଟ୍ଟନାୟକଙ୍କୁ ଜମିଦାର କହିବା ସହ ବାକି ସମସ୍ତେ ତାଙ୍କର ଗୁମାସ୍ତା ବୋଲି ଖୋର୍ଦ୍ଧାର ଏକ ସଭାରେ କହିଥିଲେ। ଦକ୍ଷିଣ ଭାରତରେ ଗୋଟିଏ ଖବରକାଗଜ ବିଜ୍ଞାପନରେ କଂଗ୍ରେସ ନେତ୍ରୀ ସୋନିଆଙ୍କୁ ଦେବୀ ରୁପେ ବର୍ଣ୍ଣନା କରି ଜଣେ ନେତା ତାଙ୍କ ପାଦତଳେ ନିଜକୁ ମୁଣ୍ଡିଆ ମାରିବା ମୁଦ୍ରାରେ ଫଟୋ ଛାପିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ମନ୍ତ୍ରିମଣ୍ଡଳର ଜଣେ ସଦସ୍ୟ ଈଶ୍ବରଙ୍କ ଏକାଦଶ ଅବତାର ସହ ତୁଳନା କଲେଣି ତ ଆଉ କିଏ ମୋଦି ମନ୍ଦିର ଗଢ଼ି ସଂଜସକାଳେ ଆଳତୀ କଲେଣି। ପୁଣି କିଏ ଜଗତି ଉପରେ ଆମେରିକାର ତତ୍‌କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବସାଇ ଫୁଲଚନ୍ଦନ ଚଢ଼େଇଲେଣି। ଚାଟୁକାରୀତାର ଏ ପରମ୍ପରା ବେଶ୍‌ ପରିବ୍ୟାପ୍ତ।

ଦେଶରେ ଏବେ ଗୋଟିଏ ମନ୍ଦିର, ଗୋଟିଏ ତୀର୍ଥ ଆଉ ଗୋଟିଏ ଠାକୁରଙ୍କୁ ନେଇ ବଜାର ଗରମ ଥିବା ବେଳେ ଓଡ଼ିଶାର ରାଷ୍ଟ୍ରଦେବତା ଜଗନ୍ନାଥଙ୍କୁ ପଚାରେ କିଏ। ଓଡ଼ିଶାରେ ରାମମନ୍ଦିର ପାଇଁ ରସିଦ୍‌ ଧରି ଚାନ୍ଦାଆଦାୟରେ ମାତିଥିବା ଭକ୍ତଗଣ ଜଗନ୍ନାଥଙ୍କ ପ୍ରତି ଚାଟୁକାରଙ୍କ ହେୟଜ୍ଞାନକୁ ଗୁରୁତ୍ବଦେବେ ବା କାହିଁକି?

ଦେଖନ୍ତୁ ଭିଡିଓ

Comments are closed.