Odisha Link
Bridging the Missing Links in Odisha

ମନ କି ବାତ୍‌ କାର୍ଯ୍ୟକ୍ରମରେ ଓଡ଼ିଆ ଝିଅଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କି ବାତ କାର୍ଯ୍ୟକ୍ରମରେ ରାଉରକେଲାର ଜଣେ ଝିଅଙ୍କୁ ପ୍ରଶଂସା କରିଛନ୍ତି। ଇଞ୍ଜିନିୟରିଂ ଛାତ୍ରୀ ଭାଗ୍ୟଶ୍ରୀ ସାହୁଙ୍କୁ ମୋଦୀ ପ୍ରଶଂସା କରିଛନ୍ତି। ପଟ୍ଟଚିତ୍ର ପାଇଁ ଭାଗ୍ୟଶ୍ରୀଙ୍କୁ ମୋଦୀ ଉଚ୍ଚ ପ୍ରଶଂସା କରିଛନ୍ତି।

ସଫ୍ଟ ଷ୍ଟୋନରେ ପଟ୍ଟଚିତ୍ର କରିଥିବାରୁ ଭାଗ୍ୟଶ୍ରୀ ପ୍ରଶାଂସାର ପାତ୍ର ହୋଇଛନ୍ତି। ଭାଗ୍ୟଶ୍ରୀ ଲକଡାଉନରେ ଅନେକ ପଟ୍ଟଚିତ୍ର କରି ସାଙ୍ଗକୁ ଉପହାର ଦେଇଛନ୍ତି। ଏପରିକି ଜୟନ୍ତୀରେ ଭାଗ୍ୟଶ୍ରୀ ସୁଭାଷ ବୋଷଙ୍କୁ ପଟ୍ଟଚିତ୍ରରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଅବସରରେ ମୋଦୀ ଭାଗ୍ୟଶ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

ସୂଚନାଯୋଗ୍ୟ ଯେ, ପାଠ ଇଞ୍ଜିନିୟରିଂ, ନିଶା ପଟ୍ଟଚିତ୍ର ଆଙ୍କିବା। ଏହି ଆକର୍ଷଣକୁ ହିଁ ତାଙ୍କୁ ଦେଇଛି ଜାତୀୟ ପରିଚିତି। ସେ ହେଉଛନ୍ତି ରାଉରକେଲାର ଝିଅ ଭାଗ୍ୟଶ୍ରୀ ସାହୁ। ପୁଲିସ ବିଭାଗରେ କାର୍ୟ୍ୟରତ ତଥା ଛେଣ୍ଡ କଲୋନୀରେ ରହୁଥିବା କାର୍ତ୍ତିକଚନ୍ଦ୍ର ସାହୁଙ୍କ କନ୍ୟା ଭାଗ୍ୟଶ୍ରୀ ଢେଙ୍କାନାଳ ଜିଲା ସରାଙ୍ଗସ୍ଥିତ ଆଇଜିଆଇଟିର ଏମ.ଟେକ୍‌ ଛାତ୍ରୀ। ପିଲାଟି ଦିନରୁ ପଟ୍ଟଚିତ୍ର ପ୍ରତି ତାଙ୍କର ଅହେତୁକ ଆକର୍ଷଣ। ପରିବାର ଲୋକ ହେଉଛନ୍ତି ଶ୍ରୀଜଗନ୍ନାଥଙ୍କ ଭକ୍ତ।

ଶ୍ରୀଜଗନ୍ନାଥଙ୍କ ହିଁ ତାଙ୍କର ପ୍ରେରଣା ବୋଲି ସେ କୁହନ୍ତି। ପିଲାଦିନରୁ ଜଗନ୍ନାଥଙ୍କ ଚିତ୍ର ଆଙ୍କିବା ତାଙ୍କ ପାଇଁ ଆକର୍ଷଣ ଥିଲା। ବୋତଲ ଉପରେ ହେଉ କିମ୍ବା କାନାଭାସ ଉପରେ ଜଗନ୍ନାଥଙ୍କ ଚିତ୍ର ଆଙ୍କୁଥିଲେ। ସେ କୁହନ୍ତି କରୋନା ପାଇଁ ଲକ୍‌ଡାଉନ ତାଙ୍କ ପାଇଁ ଆଣିଥିଲା ସୁଯୋଗ। କଲେଜ ବନ୍ଦ୍‌ ହେବା ପରେ ଘରେ ଆଙ୍କିଥିଲେ ଅନେକ ପଟ୍ଟଚିତ୍ର। ନିଜର ଇନଷ୍ଟାଗ୍ରାମରେ ସେ ସବୁକୁ ପୋଷ୍ଟ କରିବା ପରେ ବହୁ ସଂଖ୍ୟାରେ ଶୁଭେଚ୍ଛଙ୍କ ଭଲ ପାଇବା ମିଳିଥିଲା। ଇନଷ୍ଟାଗ୍ରାମରୁ ଏହି ପୋଷ୍ଟ ଦେଖି ଏକ ଇଂରାଜୀ ସମ୍ବାଦପତ୍ରର ଜଣେ ପ୍ରତିନିଧି ତାଙ୍କ ସହିତ ଯୋଗଯୋଗ କଲେ ଓ ସାକ୍ଷାତକାର ନେଲେ।

ଏହି ପ୍ରସିଦ୍ଧ ଇଂରାଜୀ ସାପ୍ତାହିକୀର ପ୍ରକାଶ ପାଇଥିବା ଖବର ପ୍ରସିଦ୍ଧ ଜାତୀୟ ଚିତ୍ରକଳା ସମ୍ବନ୍ଧୀୟ ଲିଙ୍କ ପେଂଟିଙ୍ଗ ଇଣ୍ଡିଆରେ ଏହା ପ୍ରକାଶ ପାଇଥିଲା। ଫଳରେ ଭାଗ୍ୟଶ୍ରୀଙ୍କ ଚିତ୍ର ଓ ତାଙ୍କର କଳାକୃତି ଭାଇରାଲ ହେଲା। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୋସିଆଲ ମିଡିଆରେ ତାଙ୍କର ପଟ୍ଟଚିତ୍ରର ପ୍ରଚାର ହେବା ପରେ ତାଙ୍କର ଫ୍ୟାନଙ୍କ ସଂଖ୍ୟା ବହୁ ସଂଖ୍ୟାରେ ବୃଦ୍ଧି ପାଇଛି।

Comments are closed.