Odisha Link
Bridging the Missing Links in Odisha

ମଶା ନେଲା ଚାକିରି, ମୁଖ୍ୟମନ୍ତ୍ରୀଙ୍କୁ ମଶା କାମୁଡ଼ିବାରୁ ନିଲମ୍ବିତ ହେଲେ ଯନ୍ତ୍ରୀ

ଭୋପାଳ: ମୁଖ୍ୟମନ୍ତ୍ରୀଙ୍କୁ ମଶା କାମୁଡ଼ିବାରୁ ଚାଲିଗଲା ଚାକିରି। ଏମିତି ଏକ ଅଜବ ଘଟଣା ଘଟିିଛି ମଧ୍ୟପ୍ରଦେଶରେ। ସର୍କିଟହାଉସରେ ରାତ୍ରୀ ରହଣି କରିଥିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍। ହେଲେ ରାତି ଅଧରେ ମଶା କାମୁଡ଼ିବାରୁ ଜଣେ ଯନ୍ତ୍ରୀଙ୍କୁ ନିଲମ୍ବିତ ହେବାକୁ ପଡ଼ିଛି।

ସୂଚନାଯୋଗ୍ୟ, ଫେବ୍ରୁଆରୀ ୧୬ ତାରିଖରେ ମଧ୍ୟପ୍ରଦେଶର ସିଧିରେ ହୋଇଥିଲା ମର୍ମନ୍ତୁଦ ବସ୍‌ ଦୁର୍ଘଟଣା। ଏହାପରେ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଘଟଣାସ୍ଥଳରେ ପହଁଞ୍ଚିଥିଲେ। ସେଠାରେ ଦିନସାରା ମୃତକ ଓ ଆହତଙ୍କ ପରିବାର ବର୍ଗଙ୍କୁ ଭେଟିବା ପରେ ରାତି ପ୍ରାୟ ୧୦ଟା ବେଳେ ଜିଲ୍ଲାପାଳଙ୍କ ଅଫିସ୍‌ରେ ଅଧିକାରୀମାନଙ୍କ ସହ ବୈଠକ କରିଥିଲେ। ପରେ ରାତି ପ୍ରାୟ ୧୧.୩୦ ସମୟରେ ଶିବରାଜ ସର୍କିଟହାଉସରେ ପହଁଞ୍ଚିଥିଲେ।

ଏହାପରେ ପ୍ରାୟ ୧୨ଟାବେଳେ ଶୋଇବାକୁ ଗଲାବେଳକୁ ମଶା ତାଙ୍କୁ ଶୁଆଇଦେଲେ ନାହିଁ। ସେଠାରେ ମଶାଧୂପର ବି ବ୍ୟବସ୍ଥା ନଥିଲା। ରାତି ୨.୩୦ବେଳକୁ ମଶା ଔଷଧ ସ୍ପ୍ରେ କରାଯିବା ପରେ ତାଙ୍କ ଆଖି ଟିକେ ଲାଗି ଆସିଥିଲା। କିନ୍ତୁ ସକାଳ ୪ଟାବେଳକୁ ଅବ୍ୟବସ୍ଥା ଯୋଗୁ ପୁଣି ତାଙ୍କ ନିଦ ଭାଙ୍ଗିଗଲା। ସେତେବେଳକୁ ସର୍କିଟ୍‌ ହାଉସ୍‌ର ପାଣି ଟାଙ୍କି ଭର୍ତ୍ତି ହୋଇଯାଇ ପାଣି ବାହାରେ ପଡୁଥିଲା। ସେହି ଶଦ୍ଦ ଶୁଣି ତାଙ୍କ ନିଦ ଭାଙ୍ଗିଯିବାରୁ ସେ ନିଜେ ଉଠି ମୋଟର ବନ୍ଦ କଲେ। ଏହି ଘଟଣା ପରେ ସର୍କିଟ୍‌ ହାଉସ୍‌ର ପ୍ରଭାରୀ ଇଞ୍ଜିନିୟର ବାବୁଲାଲ ଗୁପ୍ତାଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି।

Comments are closed.