Odisha Link
Bridging the Missing Links in Odisha

ଅବସ୍ଥାକୁ ଦେଖି ବିଚାର କରାଯିବ: ସମୀର ଦାଶ

ଭୁବନେଶ୍ବର: ମହାରାଷ୍ଟ୍ର ସହ ଅନ୍ୟ କିଛି ରାଜ୍ୟେ କୋଭିଡ଼ର ପୁନଃ ପ୍ରଭାବ ପ୍ରସଙ୍ଗ ଏବେ ନୂଆ ମୋଡ଼ ନେଇଛି। ଏହି ପ୍ରସଙ୍ଗକୁ ନେଇ ଏବେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ଯଦିଓ ଭୟାବହତା ନାହିଁ। ତେବେ ହାଲକାରେ ନେବା ଉଚିତ୍‌ ନୁହେଁ। ବିଶେଷ ପରିସ୍ଥିତି ଆସିଲେ ସ୍କୁଲ ବନ୍ଦ କିମ୍ବା ଲକ୍‌ ଡାଉନ୍‌ କଥା ଚିନ୍ତା କରାଯିବ। ଏବେ ଏସଓପି ଅଧାରାରେ ସବୁ ସ୍କୁଲ ଚାଲିଛି। ଅବସ୍ଥାକୁ ଦେଖି ବିଚାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ପ୍ରକାଶ ଯେ, ମହାମାରୀ କରୋନା ପୁଣି କାୟାବିସ୍ତାର କଲାଣି। ଏହାକୁ ନଜରରେ ରଖି ଓଡ଼ିଶା ସରକାର ସଜବାଜ ହେଉଛନ୍ତି। ବର୍ତ୍ତମାନ ଭୁବନେଶ୍ୱର ସ୍ଥିତି ଦେଖିଲେ ଲାଗୁଛି ଯେମିତି କରୋନା ନାହିଁ। କରୋନା କଟକଣାର ସବୁ ନିୟମକୁ ଦଳିମକଚି ଦେଇଛନ୍ତି ସ୍ମାର୍ଟସିଟିର ସ୍ମାର୍ଟ ବାସିନ୍ଦା। ଏହାଦେଖି କମିଶନରେଟ୍‌ ପୁଲିସ୍‌ ପୁଣି ଆକ୍ସନ୍‌ ମୋଡ୍‌କୁ ଆସିଛି । ରବିବାରଠୁ କରୋନା ନିୟମ ପୁଣି କଡ଼ାକଡ଼ି ହେବ ବୋଲି ଡିସିପି ଉମା ଶଙ୍କର ଦାସ ସୂଚନା ଦେଇଛନ୍ତି।

ରାଜଧାନୀରେ କରୋନାର ସବୁ ନିୟମ ଚୁଲିକି ଗଲାଣି। ଯିଏ ଯୁଆଡ଼େ ପାରୁଛନ୍ତି ବୁଲୁଛନ୍ତି। ବଜାରଘାଟରେ ହାଉଯାଉ ଗହଳି କରୁଛନ୍ତି। ଅଧିକାଂଶ ମାସ୍କ ପିନ୍ଧୁ ନାହାନ୍ତି। ନା ପୁଲିସ ଫୋର୍ସ ରୋକୁଛି ନା କେହି ନିଜ ଆଡୁ ମାନିବାକୁ ପ୍ରସ୍ତୁତ ଅଛନ୍ତି। ସହରରେ ଏମିତି ଭିଡ଼ ହେଲାଣି ଯେ, ସତେ ଯେମିତି କରୋନା ଛାଡି଼ କୁଆଡ଼େ ପଳାଇଛି ।

ସେପଟେ ରାସ୍ତାଘାଟ ଜଗିବା ଛାଡି଼ ବଜାରଘାଟ ଗଳିକନ୍ଦିରେ ସାମାଜିକ ଦୂରତ୍ୱକୁ ଫୋକସ୍‌ ଦେବା ପାଇଁ ଟୁଇନ୍‌ସିଟିରେ ଗଢ଼ା ଯାଇଥିଲା ‘ସୋସିଆଲ୍‌ ଡିଷ୍ଟାନ୍ସ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌’। କିଛି ଦିନ ପାଇଁ ଏହି ଟିମ୍‌ ଚୁପ୍‌ ବସିଥିଲା। ରବିବାର ଠାରୁ ପୁଣି ଏହି ସ୍କ୍ୱାଡ୍‌ ଗଳି କନ୍ଦି ବୁଲିବ। ଲୋକଙ୍କୁ ସଚେତନ କରାଇବ। ଏହାସହ ନିୟମ ଖିଲାପକାରୀଙ୍କ ଉପରେ ଆକ୍ସନ ବି ନେବ ପୋଲିସ ।

Comments are closed.