ଓଡ଼ିଶା ବଜେଟ୍ ୨୦୨୧-୨୨: କୃଷି ପାଇଁ ୧୭,୪୬୮ କୋଟି

ଭୁବନେଶ୍ବର: ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆଜି ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ୨୧-୨୨ ଆର୍ଥିକ ବର୍ଷ ପାଇଁ ମୋଟ ବ୍ୟୟ ଅଟକଳ ୧ ଲକ୍ଷ ୭୦ ହଜାର କୋଟି ଟଙ୍କା ଥିବାବେଳେ କୃଷି ବଜେଟ ପାଇଁ ମୋଟ ୧୭ ହଜାର ୪୬୮ କୋଟି ଟଙ୍କାର ବ୍ୟୟବରାଦ ହୋଇଛି।
ନିରଞ୍ଜନ ପୂଜାରୀ କହିଛନ୍ତି ଯେ,କୃଷି ଆମ ଅର୍ଥନୀତିର ଜୀବନ ରେଖା। କୃଷି ଆମ ପାଇଁ ଏକ ସ୍ୱାସ୍ଥ୍ୟପ୍ରଦ, ସାର୍ଥକ ଏବଂ ମହତ କାମ। କାଳିଆ ଯୋଜନା ଅଧୀନରେ ୫୦ ହଜାର ଯାଏଁ ଶୂନ ପ୍ରତିଶତ ସୁଧ ହାରରେ କୃଷି ଋଣ ଉପଲବ୍ଧ କରାଯିବ। ସେହିପରି ଚାଷୀମାନଙ୍କୁ ୫୦ ହଜାର ଟଙ୍କାରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ରାଶି ଶତକଡା ୨ ପ୍ରତିଶତ ରିହାତି ସୁଧରେ ଯୋଗାଇ ଦିଆଯିବ। ଏଥିପାଇଁ ଇଣ୍ଟରେଷ୍ଟ ସବସିଡି ଯୋଜନାରେ ଚାଷୀମାନଙ୍କୁ ସୁଧ ରିହାତି ପ୍ରଦାନ ନିମନ୍ତେ ୮୧୯କୋଟି ଟଙ୍କା ବ୍ୟୟବରାଦ ହୋଇଛି।
ସେହିପରି କେବଳ କାଳିଆ ଯୋଜନା ପାଇଁ ୧୮୦୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ସୂଚନା ରହିଛି। ବିହନ ପାଇଁ ଶହେ ଓ ସାର ପାଇଁ ୧୦୦ କୋଟି ଅତିରିକ୍ତ ପାଣ୍ଠି ବୋଲି ଶ୍ରୀ ପୂଜାରୀ କହିଛନ୍ତି।