Odisha Link
Bridging the Missing Links in Odisha

ଦେଶରେ ପୁଣି ବଢୁଛି କରୋନା ସଂକ୍ରମଣ: ୧୪,୧୯୯ ଆକ୍ରାନ୍ତ, ୮୩ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହାର ବଢିବାରେ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୪ ହଜାର ୧୯୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୮୩ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୬ ହଜାର ୩୮୫କୁ ବୃଦ୍ଧି ପାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୦ ଲକ୍ଷ ୫ ହଜାର ୮୫୦କୁ ବୃଦ୍ଧି ପାଇଛି। ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୦ ହଜାର ୫୫ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୧ କୋଟି ୬ ଲକ୍ଷ ୯୯ ହଜାର ୪୧୦ରେ ପହଞ୍ଚିଛି।

ଅନ୍ୟପଟେ ଦେଶରେ କରୋନା ସଂକ୍ରମଣ ହାର ବଢୁଥିବାରୁ ପୁଣେରେ ଆଜିଠୁ ନାଇଟ କର୍ଫ୍ୟୁ ଜାରି କରାଯାଇଛି। ରାତି ୧୧ଟାରୁ ସକାଳ ୬ଟା ଯାଏ କଟକଣା ଜାରି ରହିବ। କେବଳ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯିବ। ସେହିପରି ପୁଣେରେ ଫେବୃଆରୀ ୨୮ ଯାଏ ସ୍କୁଲ ଓ କଲେଜ ବନ୍ଦ ରହିବ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ମହାରାଷ୍ଟ୍ର, କେରଳ, ଛତିଶଗଡ, ମଧ୍ୟପ୍ରଦେଶ, ପଞ୍ଜାବ ଓ ଜାମ୍ମୁ-କାଶ୍ମୀରରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଏହାକୁ ନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ କେତେକ ନିର୍ଦେଶନାମା ଜାରି କରିଛନ୍ତି। ନିର୍ଦେଶନାମାରେ ରାଜ୍ୟ ସରକାରଙ୍କୁ କରୋନା ସ୍ବାବ ନମୁନା ପରୀକ୍ଷା ସଂଖ୍ୟା ବଢାଇବାକୁ କୁହାଯାଇଛି।

Comments are closed.