Odisha Link
Bridging the Missing Links in Odisha

ତୈଳ ଦର ବୃଦ୍ଧି ନେଇ ଏପରି କହିଲେ ଧର୍ମେନ୍ଦ୍ର…

ଭୁବନେଶ୍ୱର: ଦେଶରେ ଲଗାତାର ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ଲାଗିଛି। ତୈଳ ଦର ବୃଦ୍ଧିର ପ୍ରଭାବ ସବୁ ଜିନିଷ ଉପରେ ପଡିଛି। ସାଧାରଣ ଖାଉଟୀ ନାହିଁ ନଥିବା ହାଇରାଣ ହେଉଛନ୍ତି। ଏନେଇ ଆଜି ପ୍ରତିକ୍ରିୟା ଦେଇ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ‘ତେଲ ଦର ବଢ଼ିବା ସାମୟିକ। ଏହା ଶୀଘ୍ର ଠିକ୍‌ ହୋଇଯିବ।’

ମନ୍ତ୍ରୀ ଆହୁରି କହିଛନ୍ତି, ବିଶ୍ୱ ବଜାରରେ ତୈଳ ଉତ୍ପାଦନ ହ୍ରାସ ପାଇଛି। ଆମେରିକାରେ ତୈଳ ଉତ୍ପାଦନ ହ୍ରାସ ପାଇଥିବାରୁ ପ୍ରଭାବ ପଡ଼ିଛି। କିନ୍ତୁ ଏ ଅସୁବିଧା ସାମୟିକ, ଏହା ଶୀଘ୍ର ସୁଧୁରିଯିବା ଆଶା ରହିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦାମ ବଢ଼ିଛି। ଏଥିଯୋଗୁଁ କଞ୍ଜ୍ୟୁମର ପ୍ରାଇସ ବଢ଼ିଛି। ଏଥିରେ ଟ୍ୟାକ୍ସ ଆଦାୟ କରାଯାଉଛି ସତ କିନ୍ତୁ ପେଟ୍ରୋଲ, ଡିଜେଲକୁ GST ଅନ୍ତର୍ଭୁକ୍ତ କଲେ ଗ୍ରାହକ ଲାଭ ପାଇବେ। GST ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ସରକାର ନିରନ୍ତର ଉଦ୍ୟମ କରୁଛନ୍ତି। GST କାଉନସିଲ ଏନେଇ ନିଷ୍ପତ୍ତି ନେବ।

ସେ ଆହୁରି କହିଛନ୍ତି, କରୋନା ସମୟରେ ଦେଶର ଆମଦାନୀ ଏବଂ ରପ୍ତାନୀ ବେଶ ପ୍ରଭାବିତ ହୋଇଥିଲା। ଦେଶର ଅର୍ଥନୀତି ଯେପରି ଖରାପ ସମୟ ପହଞ୍ଚିଥିଲା, ସେଥିରେ ସୁଧାର ଆଣିବା ପାଇଁ ଟ୍ୟାକ୍ସ ମାଧ୍ୟମରେ ଅର୍ଥ ସଂଗ୍ରହ କରାଯାଉଥିଲା। ମିଳିଥିବା ଅର୍ଥରାଶିକୁ କରୋନା ଭ୍ୟାକସିନରେ ବ୍ୟବହାର କରାଯାଇଛି। ଚଳିତ ବଜେଟରେ ୩୫ ହଜାର କୋଟି ଟଙ୍କା କରୋନା ଟିକା ପାଇଁ ଘୋଷଣା କରାଯାଇଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଏହାକୁ ବିନିଯୋଗ କରାଯାଇଛି। ତେଣୁ ଏସବୁ ରିସୋର୍ସ କେନ୍ଦ୍ର ସରକାର ଆଣିବ କେଉଁଠୁ? ଲୋକଙ୍କ ଭଲ ପାଇଁ ଏହି ସବୁ କାମ କରାଯାଉଛି। ଆଗକୁ ଧୀରେ ଧୀରେ ତୈଲ ଦର କମିବ ବୋଲି ଅଶା କରାଯାଉଛି। ତୈଳ ଦର ବୃଦ୍ଧିକୁ ପ୍ରସଙ୍ଗ କରି ରଜନୀତି ନକରିବାକୁ ଧର୍ମେନ୍ଦ୍ର କହିଛନ୍ତି।

ଅନ୍ୟପକ୍ଷରେ ଆଜି ଦେଶରେ ପୁଣି ପେଟ୍ରୋଲ ଓ ଡିଜେଲ୍ ଦର ବଢ଼ିଛି। ମାଲକାନଗିରିରେ ପେଟ୍ରୋଲ ଲିଟର ଶହେ ପାର କରିଛି। ମାଲକାନଗିରିରେ ପ୍ରିମିୟମ ପେଟ୍ରୋଲ ଲିଟର ପିଛା ଦର ରହିଛି ଶହେ ଟଙ୍କା ୩ ପଇସା। ସାଧାରଣ ପେଟ୍ରେଲ ଦର ଲିଟର ପିଛା ୯୬ ଟଙ୍କା ୩୧ ପଇସା ରହିଛି। ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୩୫ ପଇସା ବଢ଼ିଥିବାବେଳେ ଡିଜେଲ ଦର ୪୩ ପଇସା ବୃଦ୍ଧି ପାଇଛି। ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୯୧ ଟଙ୍କା ୬୪ ପଇସା ହୋଇଥିବା ବେଳେ ଡିଜେଲ ୮୮ ଟଙ୍କା ୬୬ ପଇସା ହୋଇଛି।

Comments are closed.