Odisha Link
Bridging the Missing Links in Odisha

ଆଜି ତୃଣମୂଳ କଂଗ୍ରେସରେ ଯୋଗ ଦେବେ କ୍ରିକେଟର ମନୋଜ ତିୱାରୀ

ପଶ୍ଚିମବଙ୍ଗ: ଆଉ ମାତ୍ର ଦିନ କେଇଟା ପରେ ପଶ୍ଚିମବଙ୍ଗ ନିର୍ବାଚନ। ହେଲେ ଏହା ପୂର୍ବରୁ ନୂଆ ଚେହେରା ବିଭିନ୍ନ ରାଜନୈତିକ ଦଳରେ ଯୋଗ ଦେଉଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ଆଜି ଜାତୀୟ କ୍ରିକେଟର ମନୋଜ ତିୱାରୀ ଟିଏମସିରେ ଯୋଗ ଦେବା ନେଇ ସୂଚନା ମିଳିଛି। ଆଜି ହୁଗୁଲି ଜିଲ୍ଲାର ଚିନସୁରରେ ହେବାକୁ ଥିବା ରାଲି ବେଳେ ମନୋଜ ତିୱାରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଦଳରେ ଯୋଗଦେଇ ପାରନ୍ତି।

ସୂଚନାଯୋଗ୍ୟ ଯେ, ମନୋଜ ତିୱାରୀ ଭାରତୀୟ ଦଳ ପାଇଁ ଉଭୟ ଦିନିକିଆ ଓ ଟି-୨୦ ଫର୍ମାଟରେ ପ୍ରତିନିଧିତ୍ୱ କରିସାରିଛନ୍ତି। ହେଲେ ଏହି ୩୫ ବର୍ଷୀୟ କ୍ରିକେଟରଙ୍କର ଅନ୍ତର୍ଜାତୀୟ କ୍ୟାରିୟର ଏକ ପ୍ରକାର ଶେଷ ହୋଇ ସାରିଛି। ତାଙ୍କୁ ଅନେକ ବାର ଭାରତୀୟ ଦଳରେ ସାମିଲ କରାଯାଇଥିଲେ ବି କେତେବେଳେ ଆହତ ସମସ୍ୟା ତ କେତେବେଳେ ଅସୁସ୍ଥତା କାରଣରୁ ସେ ଚୁଡାନ୍ତ ଏକାଦଶରୁ ବାଦ ପଡିଛନ୍ତି।

ତେଣୁ କ୍ରିକେଟରେ ତାଙ୍କୁ ଜଣେ ହତଭାଗା ଖେଳାଳି ଭାବେ ଗଣାଯାଉଛି। ହେଲେ ତାହାରି ମଧ୍ୟରେ ସେ ଅନ୍ତର୍ଜାତୀୟ ସ୍ତରରେ ୧୨ ଟି ଦିନିକିଆ ଓ ଗୋଟିଏ ଟି-୨୦ ଖେଳିଛନ୍ତି। ବର୍ତ୍ତମାନ ସେ କୋଲକତା ପାଇଁ ଘରୋଇ କ୍ରିକେଟ ଖେଳୁଛନ୍ତି। ଆଜି ନିର୍ବାଚନ କମିଶନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ୫ ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ।

ହେଲେ ତାହା ପୂର୍ବରୁ ବିଶେଷ ଭାବେ ପଶ୍ଚିମବଙ୍ଗରେ ରାଜନୈତିକ ମାହୋଲ ବେଶ୍ ସରଗରମ ହେବାରେ ଲାଗିଛି। ମମତାଙ୍କ ହାତଛାଡି ଅନେକ ବରିଷ୍ଠ ନେତା ଏବେ ବିଜେପିରେ ଯୋଗ ଦେଉଥିବା ବେଳେ ମନୋଜ ତିୱାରୀଙ୍କ ଭଳି ଜଣେ ଅନଭିଜ୍ଞ ରାଜନେତା ମମତାଙ୍କ ପାଇଁ କେତେ ଫଳପ୍ରଦ ହେବେ ତାହା ସମୟ କହିବ।

Comments are closed.