Odisha Link
Bridging the Missing Links in Odisha

ହେଲମେଟ୍ ଚୋରଙ୍କ ଉପଦ୍ରବ, ଦେଢ଼ ମାସରେ ୯ ଶହ ହେଲମେଟ୍ ଲୁଟ୍

ଭୁବନେଶ୍ବର: ଦୁଇ ଚକିଆ ଗାଡ଼ି ଚାଳକ ଓ ସହଯାତ୍ରୀଙ୍କ ପାଇଁ ହେଲମେଟ୍‌ ବାଧ୍ୟତାମୂଳକ ହେବା ପରେ ମାତିଛନ୍ତି  ହେଲମେଟ୍ ଚୋର। ଜନଗହଳିପୂର୍ଣ୍ଣ ସ୍ଥାନରେ ରଖାଯାଇଥିବା ଗାଡ଼ିକୁ ଟାର୍ଗେଟ୍ କରି ଲୁଟି ନେଉଛନ୍ତି ହେଲମେଟ୍‌। ଏମିତି ଢଙ୍ଗରେ ରାଜଧାନୀରେ ଏବେ ହେଲମେଟ୍‌ ଚୋର ସକ୍ରିୟ ହୋଇଉଠିଛନ୍ତି। ପ୍ରତିଦିନ ସହରର ବିଭିନ୍ନ ସ୍ଥାନରୁ ପ୍ରାୟ ୧୫ରୁ ୨୦ଟି ହେଲମେଟ୍‌ ଚୋରି ହେଉଛି।

ଗତ ଦେଢ଼ ମାସ ଭିତରେ ୯ଶହ ହେଲମେଟ୍‌ ଚୋରି ହୋଇଥିବା ଜଣାପଡ଼ିଛି। ହେଲମେଟ୍‌ ଚୋରି ସମ୍ପର୍କରେ ଥାନାକୁ ଅଭିଯୋଗ ଆସୁ ନଥିବା ବେଳେ ସମୟ ଅଭାବରୁ ଲୋକ ମଧ୍ୟ ଅଭିଯୋଗ କରନ୍ତି ନାହିଁ। ଫଳରେ ଚୋର ଅଧିକ ସକ୍ରିୟ ହୋଇ ଉଠିଛନ୍ତି। ସହରର ବିଭିନ୍ନ ସ୍ଥାନରେ ଏବେ ହେଲମେଟ୍‌ ଚୋରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ଡବଲ ହେଲମେଟ୍‌ ବାଧ୍ୟତାମୂଳକ ହେବା ପରେ ଦୁଇଟି ହେଲମେଟ୍‌ ହାତରେ ଧରି ବୁଲିବା କଷ୍ଟକର ହେଉଥିବାରୁ ଲୋକ ଗାଡ଼ିରେ ରଖୁଛନ୍ତି। କେତେକ ତାଲା ପକାଉଥିବା ବେଳେ ଆଉ କେତେକ ସେମିତି ରଖି ଯାଉଛନ୍ତି। ଫଳରେ ଲୁଟେରା ହେଲମେଟ୍‌ ଲୁଟି ଫେରାର ହେବାରେ ସଫଳ ହେଉଛନ୍ତି।

ସାଧାରଣତଃ ଦୁଇ ପ୍ରକାର ହେଲମେଟ୍‌ ଚୋର ଅଛନ୍ତି। ଡବଲ୍ ହେଲମେଟ ବାଧ୍ୟତାମୂଳକ ହେବା ପରେ ଯଦି କେହି ହେଲମଟ୍‌ ଆଣି ଆସି ନାହିଁ, ତା’ହେଲେ ଚେକିଂ ଭୟରେ ହେଲମେଟ୍‌ ଚୋରି କରିନେଉଛି। ପେସାଦାର ଚୋର ଟାର୍ଗେଟ୍‌ କରି ଚୋରି କରୁଛି।

ଜନଗହଳିପୂର୍ଣ୍ଣ ପାର୍କିଂ ଅଞ୍ଚଳ ବୁଲି ବୁଲି ଗାଡ଼ିରେ ଥିବା ହେଲମେଟ୍‌ ଉଠାଇ ନେଉଛି। ଏହାକୁ ଚୋରି କରିବା ପରେ ଡବଲ ହେଲମେଟ୍‌ ନ ଥିବା ଲୋକଙ୍କୁ କମ୍ ଦାମରେ ବିକ୍ରି କରୁଛି। ଫୁଟପାଥ୍‌ରେ ମଧ୍ୟ ଚୋରି ହେଲମେଟ୍‌କୁ ବିକ୍ରି କରାଯାଉଥିବା ଜଣାପଡ଼ିଛି। ଜନଗହଳିପୂର୍ଣ୍ଣ ପାର୍କିଂ ଅଞ୍ଚଳକୁ ଟାର୍ଗେଟ୍‌ କରୁଛନ୍ତି ହେଲମେଟ୍‌ ଚୋର। ହସ୍ପିଟାଲ, କୋର୍ଟ, ବ୍ୟାଙ୍କ ଅଞ୍ଚଳକୁ ଟାର୍ଗେଟ୍‌ କରୁଛନ୍ତି।

Comments are closed.