Odisha Link
Bridging the Missing Links in Odisha

ଟଙ୍କା ନାହିଁ ତ ପ୍ରଚାର ନାହିଁ

ଭୁବନେଶ୍ବର: ଓସ୍କାର ଦୌଡ଼ରେ ଓଡ଼ିଆ ସିନେମା ଥିବା ନ ଥିବା ନେଇ ଦୁଇଦିନ ଧରି ବିବାଦ ଘନେଇବାରେ ଲାଗିଛି। ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ପଦ୍ମଶ୍ରୀ ନୀଳମାଧବ ପଣ୍ଡାଙ୍କ ପ୍ରଥମ ଓଡ଼ିଆ ସିନେମା “କାଲିର ଅତୀତ” ଏ ଦୌଡ଼ରେ ସାମିଲ ହୋଇଛି ବୋଲି ପୂର୍ବରୁ ସେ ସୂଚନା ଦେଇଥିବା ବେଳେ ଗତକାଲି ନିଜେ ଶ୍ରୀ ପଣ୍ଡା ପୁଣି ଏ ନେଇ ସ୍ପଷ୍ଟୀକରଣ ରଖିଛନ୍ତି। ସେ ଏକାଡେମୀ ପୁରସ୍କାର ପାଇଁ କେବଳ ଆବେଦନ କରିଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ସିନେମାଟି ସ୍କ୍ରୀନିଂ ପରେ ଯଦି ବିଚାରକଙ୍କ ଦ୍ବାରା ଚୟନ କରାଯାଏ ତେବେ ଯାଇ ତାହା ପୁରସ୍କାର ଦୌଡ଼ରେ ସାମିଲ ହେବ ବୋଲି ଜଣାପଡ଼ିଛି।

ଦୁଇଦିନ ତଳେ ଓଡ଼ିଶା ଲିଙ୍କରେ ସିନେମାଟି ଜେନେରାଲ ଏଣ୍ଟ୍ରି କାଟେଗାରୀରେ ଆବେଦନ ହେବା ସମ୍ପର୍କିତ ଖବର ପ୍ରକାଶ ପାଇବା ପରେ ସାମାଜିକ ଗଣମାଧ୍ୟମରେ ଏ ନେଇ ବିବାଦ ଉପୁଜିଥିଲା। ପରେ ସିନେ ନିର୍ମାତା ଶ୍ରୀ ପଣ୍ଡା ଏ ନେଇ ସ୍ପଷ୍ଟୀକରଣ ରଖିଥିଲେ। ଅନ୍ୟ ବହୁ ନିର୍ଦ୍ଦେଶକଙ୍କ ଭଳି ସେ ମଧ୍ୟ ଜେନେରାଲ କାଟେଗାରୀରେ ଆବେଦନ କରିଛନ୍ତି ଓ ବିଚାରକଙ୍କ ଦ୍ବାରା ଚୟନ ହେଲେ ଯାଇ ପୁରସ୍କାର ଦୌଡ଼ରେ ସାମିଲ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଜଳବାୟୁ ପରିବର୍ତ୍ତନ ଉପରେ ଆଧାରିତ ଏ ସିନେମାଟିର ପ୍ରଚାର ପ୍ରସାର ପାଇଁ ସମସ୍ତେ ଆଗେଇ ଆସିବାକୁ ସେ ନିବେଦନ କରିଛନ୍ତି।

ALSO READ
Fact Check: ନୀଳମାଧବ ପଣ୍ଡାଙ୍କ ଓସ୍କାର ମିଛ

ସୂଚନାଯୋଗ୍ୟ, ଓସ୍କାର ବା ଏକାଡେମୀ ପୁରସ୍କାର ଭାବେ ଜଣାଶୁଣା ବିଶ୍ବର ଏହି ଅନ୍ୟତମ ପ୍ରସିଦ୍ଧ ଚଳଚ୍ଚିତ୍ର ପୁରସ୍କାରର ଜେନେରାଲ୍‌ ଏଣ୍ଟ୍ରୀ କାଟେଗୋରୀ ପାଇଁ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ମାଧ୍ୟମରେ ନିର୍ଦ୍ଦିଷ୍ଟ ସର୍ତ୍ତ ପୂରଣ କରୁଥିବା ଯେ କୌଣସି ସିନେମା ନିମନ୍ତେ ଆବେଦନ କରିହେବ। ଏଥିପାଇଁ ୧୨ ହଜାର ଡଲାର ବା ଭାରତୀୟ ମୁଦ୍ରାରେ ପ୍ରାୟ ୮ ଲକ୍ଷ ୪୦ ହଜାର ଟଙ୍କା ମଧ୍ୟ ଦେବାକୁ ହେବ। ଅର୍ଥାତ୍‌ ଶ୍ରୀ ପଣ୍ଡାଙ୍କର ସିନେମା “କାଲିର ଅତୀତ” ପାଇଁ ମଧ୍ୟ ଓସ୍କାର କମିଟିକୁ ଅନୁରୂପ ପରିମାଣର ଅର୍ଥ ଦିଆଯାଇ ଆବେଦନ ତାଲିକାଭୁକ୍ତ କରାଯାଇଛି। ଏଣୁ ବୁଝିବାକୁ ହେବ ଶ୍ରୀ ପଣ୍ଡାଙ୍କୁ ଏବେ ଓସ୍କାର ଦୌଡ଼ ନେଇ ଯେଉଁ ସବୁ ସମ୍ବର୍ଦ୍ଧନା, ଶୁଭେଚ୍ଛା ଓ ଗୌରବବାର୍ତ୍ତା ମିଳୁଛି, ଅସଲରେ ତାହା ସିନେମାଟି ଓସ୍କାର ଦୌଡ଼ରେ ରହିଛି ସେଥିଲାଗି ନୁହେଁ, ବରଂ ସେ ୮.୪ ଲକ୍ଷ ଟଙ୍କା ଦେଇପାରି ସେ ତାଲିକାରେ ନିଜର ସିନେମା ରଖିବାର ସାମର୍ଥ୍ୟ ରଖିଛନ୍ତି ସେଥିପାଇଁ ଏ ସମ୍ବର୍ଦ୍ଧନା।

ଓଡ଼ିଆ ଭାଷାରେ ବହୁ ସିନେମା ହେଉଛି। ଏପରିକି ଏକକ ଉଦ୍ୟମରେ ବହୁ କଷ୍ଟରେ ଟଙ୍କା ଯୋଗାଡ଼ କରି ଅନେକ ନିର୍ଦ୍ଦେଶକ-ନିର୍ମାତା ସ୍ବପ୍ନର ସିନେମାଟିଏ ପ୍ରସ୍ତୁତ କରିବାରେ ସଫଳ ହେଉଛନ୍ତି। ଅନେକେ ଅର୍ଥ ଅଭାବରୁ ତାହା ମଧ୍ୟ କରିପାରୁନାହାନ୍ତି। ତେବେ କେବଳ ଭଲ ସିନେମାଟିଏ ପ୍ରସ୍ତୁତ କରିଦେଲେ ହେବନାହିଁ। ଏବେ ଗୋଟିଏ କଥା ସ୍ପଷ୍ଟ ଯେ ନିଜର ଭଲ ସିନେମାଟିକୁ ଓସ୍କାର ଭଳି ବିରଳ ପୁରସ୍କାର ଦୌଡ଼ରେ ସାମିଲ କରାଇବାକୁ ହେଲେ ନିର୍ମାତାଙ୍କ ପାଖରେ ୮.୪ ଲକ୍ଷ ଟଙ୍କା ଥିବା ଦର୍କାର। କେବଳ ସେତିକି ନୁହେଁ, ନିଜର ଅର୍ଥ ଖର୍ଚ୍ଚ କରିବାର ସାମର୍ଥ୍ୟକୁ “ଗୌରବ ମୁହୂର୍ତ୍ତ” ବୋଲି ପ୍ରଚାର କରିବା ପାଇଁ ଗଣମାଧ୍ୟମ-ପରିଚାଳନା ଦକ୍ଷତା ମଧ୍ୟ ରହିବା ଜରୁରୀ।

ନୀଳମାଧବ ପଣ୍ଡାଙ୍କ ଭଳି ଯୋଗ୍ୟ ଓ ପ୍ରସିଦ୍ଧ ସିନେ ବ୍ୟକ୍ତିତ୍ବଙ୍କ ପାଖରେ ଆବେଦନ କରିବାର ସାମର୍ଥ୍ୟ ଅଛି ସେଥିପାଇଁ ଆମେ ଓଡ଼ିଆ ଭାବରେ ଖୁସି। କେହି ତ ଜଣେ ଓଡ଼ିଆ ସିନେମାଟିଏକୁ ଅନ୍ତତଃ ଜେନେରାଲ୍‌ କାଟେଗାରୀରେ ଆବେଦନ କରିପାରିଲେ। ତେବେ ତାଙ୍କର ଏ ଦକ୍ଷତାକୁ “ଗୌରବମୟ ମୁହୂର୍ତ୍ତ” ବୋଲି ପ୍ରଚାର କରିବାର କୌଣସି କାରଣ ନାହିଁ। ଏ ସମ୍ପର୍କରେ ଗଣମାଧ୍ୟମକୁ ସାକ୍ଷାତକାର ଦେବା ବେଳେ ନିର୍ମାତା ମଧ୍ୟ ନିଜର ଆର୍ଥିତ ସ୍ବଚ୍ଛଳତା ଯୋଗୁଁ ହାସଲ ଏ ସୁବିଧାକୁ ଏକ “ବିରଳ ସୁଯୋଗ” ବୋଲି କହିବାର କୌଣସି ଅର୍ଥ ଆମେ ପାଉନାହୁଁ। ସବୁଠୁ ବଡ଼କଥା ହେଲା ଏଥିପାଇଁ “ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିବାର” କାରଣଟି ମଧ୍ୟ ଆମେ ଖୋଜି ପାଉନାହୁଁ।

ଏଥର ଓସ୍କାର ପାଇଁ ଜେନେରାଲ କାଟେଗାରୀରେ ୨୨୦ଟି ସିନେମା ଆବେଦନ କରାଯାଇଛି। ଏ ବାବଦରେ ଆମେରିକାର ଏକାଡେମୀ କର୍ତୃପକ୍ଷ ୨୬.୪ ଲକ୍ଷ ଡଲାର ବା ଭାରତୀୟ ମୁଦ୍ରା ହିସାବରେ ପ୍ରାୟ ୨୦ କୋଟି ଟଙ୍କା ଆଦାୟ କରିଛନ୍ତି। ଆଉ ସପ୍ତାହେ ପରେ ଏହି ୨୨୦ ସିନେମା ବିଶ୍ବର ବିଭିନ୍ନ କୋଣରେ ୫୫୪୯ ଜଣ ବିଚାରକଙ୍କ ଦ୍ବାରା ପରଖ କରାଯିବ ଓ କେଉଁ ସିନେମା ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ ହେବ ତାହା ବିଚାରକମାନେ ସ୍ଥିର କରିବେ।

ନୀଳମାଧବଙ୍କ “କାଲିର ଅତୀତ” ବିଚାରକଙ୍କ ମନ ମୋହୁ ଓ ଏହା ସତରେ ଓସ୍କାର ଦୌଡ଼ରେ ସାମିଲ ହେଉ ବୋଲି ଆମେ ମନାସୁଛୁ। ଓଡ଼ିଆ ଭାବରେ ଏହା ଆମ ଲାଗି ସତରେ “ଗୌରବମୟ ମୁହୂର୍ତ୍ତ” ହେବ ନିଶ୍ଚୟ। ସିନେମାଟି ପୂର୍ବରୁ ୫୧ତମ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ (ଆଇଏଫ୍ଏଫ୍ଆଇ) ୨୦୨୦ର ପାନୋରମାରେ ପ୍ରଦର୍ଶିତ ହୋଇଥିବା ବେଳେ ପ୍ରାଗ୍‌ ଅନ୍ତର୍ଜାତୀୟ ଚଳଚ୍ଚିତ୍ରରେ ପ୍ରଦର୍ଶିତ ହେବାକୁ ନିମନ୍ତ୍ରଣ ପାଇଛି।

ALSO READ
ଗୋଆ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ-୨୦୨୦ରେ ନୀଳମାଧବ ପଣ୍ଡାଙ୍କ ପ୍ରଥମ ଓଡ଼ିଆ ସିନେମା ‘କାଲିର ଅତୀତ’

ଓଡ଼ିଶାରେ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ସିନେମା କାହାଣୀ ପର୍ଯ୍ୟବସିତ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। କେନ୍ଦ୍ରାପଡ଼ାର ନିଶ୍ଚିହ୍ନ ହୋଇଯାଇଥିବା ଏକ ସମୁଦ୍ରକୂଳିଆ ଗାଁ ପ୍ରେକ୍ଷାପଟରେ ନିର୍ମିତ ଏ ଚଳଚ୍ଚିତ୍ରର ସଫଳତା ଓ ଖ୍ୟାତି ଓଡ଼ିଆଙ୍କ ପାଇଁ ଗୌରବ ଆଣିବ ନିଶ୍ଚୟ।

ସୂଚନାଯୋଗ୍ୟ, ବିଦେଶୀ ଚଳଚ୍ଚିତ୍ର ବିଭାଗରେ ଏଥର ଭାରତରୁ ଗୋଟିଏ ମାତ୍ର ସିନେମା ଅଫିସିଆଲ୍‌ ଏଣ୍ଟ୍ରି ହେବାର ଗୌରବ ଅର୍ଜନ କରିଥିଲା। ତାହା ହେଉଛି ଲିଜୋ ଜୋସ୍‌ ପେଲିସେରୀଙ୍କ ମଲାୟଲମ୍‌ ଚଳଚ୍ଚିତ୍ର “ଜାଲ୍ଲିକାଟୁ”। ତେବେ ଏ ସିନେମାଟି ମଧ୍ୟ ଓସ୍କାର ଦୌଡ଼ରେ ସାମିଲ ହୋଇପାରିଲା ନାହିଁ।

Comments are closed.