Odisha Link
Bridging the Missing Links in Odisha

ପଶ୍ଚିମବଙ୍ଗ ନିର୍ବାଚନ ତାରିଖ ଘୋଷଣା ପରେ ହିଂସାକାଣ୍ଡ

କୋଲକାତା: ଦେଶର ଚାରି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହେବ ବିଧାନସଭା ନିର୍ବାଚନ । ଏଥିପାଇଁ ତାରିଖ ଘୋଷଣା କରି ସାରିଛନ୍ତି ଜାତୀୟ ମୁଖ୍ୟ ନିର୍ବାଚନ କମିଶନର । ପଶ୍ଚିମବଙ୍ଗ ସମେତ ଆସାମ, ତାମିଲନାଡ଼ୁ, କେରଳ ଓ ପୁଡୁଚେରୀରେ କେଉଁ ତାରିଖରେ ଆଉ କେତୋଟି ପର୍ଯ୍ୟାୟରେ ନିର୍ବାଚନ ହେବ ସେ ନେଇ ତାରିଖ ଘୋଷଣା ମଧ୍ୟ ସରି ସାରିଛି । ନିର୍ବାଚନୀ ତାରିଖ ଘୋଷଣା ପରେ ପଶ୍ଚିମବଙ୍ଗ ରାଜନୀତିରେ ଦେଖିବାକୁ ମିଳିଛି ରକ୍ତ ଚରିତ୍ର । ପଶ୍ଚିମବଙ୍ଗର ଉତ୍ତର 24 ପ୍ରଗଣାରେ ଥିବା ବିଜେପିର ଏକ କାର୍ଯ୍ୟାଳୟରେ ପଶି ତୃଣମୂଳ କଂଗ୍ରେସର କାର୍ଯ୍ୟକର୍ତ୍ତା ମାନେ ଭଙ୍ଗାରୁଜା କରିଥିବାର ଅଭିଯୋଗ ଆସିଛି ।  ଏହାପରେ ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଏହି ମାମଲାର ଛାନଭିନ୍ ଚଳାଇଛି ।

ବିଜେପି ଏହି ଘଟଣାରେ ପ୍ରତିକ୍ରିୟା ରଖି କହିଛି ଯେ, ନିର୍ବାଚନୀ ପ୍ରଚାର ପାଇଁ ଭ୍ୟାନ୍ ଗୁଡ଼ିକ କଡ଼ାପରା ସ୍ଥିତ ଗୋଦାମ ଘରେ ରଖା ଯାଇଥିଲା । ହେଲେ ଶୁକ୍ରବାର ବିଳମ୍ବିତ ରାତିରେ ଟିଏମସିର ଗୁଣ୍ଡାମାନେ ଗୋଦାମ ଘର ଭାଙ୍ଗିବା ସହ ଗାଡ଼ି ଗୁଡ଼ିକ ଭଙ୍ଗାରୁଜା ମଧ୍ୟ କରିଛନ୍ତି । ଏଥିସହିତ ଗାଡ଼ିରେ ଲାଗିଥିବା ସବୁ ମୂଲବ୍ୟାନ ଜିନିଷ ଗୁଡ଼ିକ ମଧ୍ୟ ଚୋରି କରିଥିବା ନେଇ ଅଭିଯୋଗ ଆଣିଛି ବିଜେପି ।

ଅପରପକ୍ଷେ ରାଜନୀତିକ ସମୀକ୍ଷ ମାନେ ଏହି ଘଟଣା ପରେ ପଶ୍ଚିମବଙ୍ଗ ରାଜନୀତିକୁ ନେଇ ନିଜ ନିଜ ମତ ରଖିଛନ୍ତି । ପଶ୍ଚିମବଙ୍ଗ ରାଜନୀତିରେ ଏଭଳି କାଣ୍ଡ ଆଗକୁ ଆହୁରି ସାଂଘାତିକ ହେବାକୁ ଯାଉଛି । ଏସବୁକୁ ନଜରରେ ରଖି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ 8ଟି ପର୍ଯ୍ୟାୟରେ କରିବାକୁ ନିର୍ବାଚନ କମିଶନର ଘୋଷଣା କରିଛନ୍ତି ।

Comments are closed.