ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ କର୍ମଚାରୀ

ଭୁବନେଶ୍ୱର: କରୋନା ପରି ବିପଦ ଜନକ ହୋଇଥିବା ଏଡସ ରୋଗକୁ ରାଜ୍ୟରେ ରୋକିବା ସହ ରୋଗୀଙ୍କୁ ବଞ୍ଚିବାର ସାମର୍ଥ୍ୟ ପ୍ରଦାନ କରିଥାନ୍ତି ଓଡିଶା ରାଜ୍ୟ ଏଡସ ନିୟନ୍ତ୍ରଣ କାର୍ଯ୍ୟରେ ଥିବା କର୍ମଚାରୀ। ଏ କ୍ଷେତ୍ରରେ ତଳସ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କ ପାଇଁ ଓଡିଶା ରାଜ୍ୟ ଏଡସ ନିୟନ୍ତ୍ରଣ ସମିତି ମଧ୍ୟ ଜାତୀୟ ସ୍ତରରେ ବାରମ୍ବାର ପ୍ରଶଂସିତ ହୋଇ ଗୌରବାନ୍ୱିତ ହୋଇଛି ।
ହେଲେ ଦୀର୍ଘ ୧୮ ବର୍ଷ ଧରି ଚିର ଅବେହଳିତ ହୋଇ ରହି ଆସିଥିବା ଏହି କର୍ମଚାରୀଙ୍କ ଦାବି ପୁରଣ ପାଇଁ ସରକାରୀ ଗୁରୁତ୍ୱ ଦେଇଥିବାରୁ ସମଗ୍ର ରାଜ୍ୟରେ ଥିବା କର୍ମଚାରୀ ମହଲରେ ସନ୍ତୋଷ ପ୍ରକାଶ ପାଇଛି ।
ଏହି କର୍ମଚାରୀ ମାନଙ୍କ ନାର୍ଯ୍ୟ ଦାବି ଗୁଡିକ ପୂରଣ ନହେବାକୁ ଓଡିଶା ରାଜ୍ୟ ଏଡସ ନିୟନ୍ତ୍ରଣ କର୍ମଚାରୀ କଲ୍ୟାଣ ସଂଘ ତରଫରୁ ଧାରଣା ଡାକରା ଦିଆଯାଇ ଥିଲା। ଏଥିନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।
ଏହାପରେ ସରକାରଙ୍କ ହସ୍ତକ୍ଷେପ କ୍ରମେ ସଂଘ ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସଂଘର ସମସ୍ତ ନାର୍ଯ୍ୟ ଦାବିକୁ ଓଡିଶା ରାଜ୍ୟ ଏଡସ ନିୟନ୍ତ୍ରଣ ସମିତି (ଓସାକ୍ସ) ତରଫରୁ ପୁରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶୃତି ପରେ ଏହି ଧାରଣା ପ୍ରତ୍ୟାହୃତ ହୋଇଛି । ଏଥିପାଇଁ ସଂଘର ରାଜ୍ୟ କାର୍ଯ୍ୟକାରୀ ସଭାପତି ସତୀଶ ବିଶ୍ୱାଳ ମୁଖ୍ୟମନ୍ତ୍ରୀ ତଥା ଓଡିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
କରୋନା ମହାମାରୀ ସମୟରେ ଏହି କର୍ମଚାରୀମାେ ଜୀବନକୁ ବାଜି ଲଗାଇ ଏଡ୍ସ ନିୟନ୍ତ୍ରଣ ପାଇଁ ଏ.ଆର.ଟି ବଟିକା ବାଂଟିଥିବା ବେଳେ କରୋନା ନିୟନ୍ତ୍ରଣ କାର୍ଯ୍ୟ ମଧ୍ୟ କରିଥିଲେ । ହେଲେ ଅନ୍ୟ କର୍ମଚାରୀ ମାନଙ୍କ ପରି ଏମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ମିଳିଲା ନାହିଁ କିମ୍ବା ଏଥିନେଇ ମିଳୁଥିବା ପ୍ରୋତ୍ସାହନ ରାଶି ମିଳିଲା ନାହିଁ ।
କରୋନାକୁ ଖାତିର ନକରି ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ଏହି କର୍ମଚାରୀମାନେ କାର୍ଯ୍ୟ କରି ଅନେକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପୁରୀ ବଡଦାଣ୍ଡ ଠାରୁ ରାଜ୍ୟ ରାଜଧାନୀ ଓ ଦିଲ୍ଲୀ ସହର ପର୍ଯ୍ୟନ୍ତ ରାସ୍ତାଘାଟ ଜନଶୂନ୍ୟ ହୋଇ ଯାଇଥିବା ବେଳେ ସେହି ସମୟରେ ବିଭାଗୀୟ ଅଧିକାରୀ ଏହି କର୍ମଚାରୀ ମାନଙ୍କୁ ଏଡ୍ସ ରୋଗୀ ଚିହ୍ନଟ ନେଇ ଟାର୍ଗେଟ ମାଗିବା ଭଳି ଅମାନବୀୟ କାର୍ଯ୍ୟ ନେଇ ସଂଘର କାର୍ଯ୍ୟକାରୀ ସଭାପତି ବୈଠକରେ ବର୍ଷିଥିଲେ।
ତେବେ ଏହି ଆଲୋଚନାରେ ଓସାକ୍ସ ତରଫରୁ ଟାର୍ଗେଟ ପାଇଁ ଦିଆଯାଇ ଥିବା ଉକ୍ତ ପତ୍ର ଫେରସ୍ତ କରାଯିବା, ଇ.ପି.ଏଫ, ଇ.ଏସ.ଆଇ , କରୋନା ସହାୟତା ରାଶି ପ୍ରଦାନ, ନନ ମେଡିକୋ ଟିମରେ ସାମିଲ, ଭୁବନେଶ୍ୱର ଏମ୍ସରେ ଜଣେ ମାତ୍ର କାଉନସିଲର ଥିବାରୁ ଆଉ ଜଣେ କାଉନସେଲର ପ୍ରଦାନ, ଅଧିକ ସଂଖ୍ୟାରେ ଏଡ୍ସ ପରୀକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମାନଙ୍କୁ ପତ୍ର ଦିଆଯିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରା ଯିବାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଉପସ୍ଥିତି ବିଭାଗୀୟ ଅଧିକାରୀ ପ୍ରତିଶୃତି ଦେଇଥିଲେ।
ଏହି ଆଲୋଚନାରେ ଓସାକ୍ସର ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକା ଅଞ୍ଜନା ପଣ୍ଡା, ଏଷ୍ଟାବ୍ଲିସମେଂଟ ଅଥରିଟି ଶୁଭେନ୍ଦୁ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ସଂଘର ସଂପାଦକ ଦୁଃଖୀଶ୍ୟାମ ପଟ୍ଟନାୟକ କର୍ମଚାରୀଙ୍କ ବିଭିନ୍ନ ନାର୍ଯ୍ୟ ଦାବି ନେଇ ତଥ୍ୟ ଭିତ୍ତିକ ସୂଚନା ପ୍ରଦାନ କରିଥିଲେ ।
ଏଥିରେ ସଂଘ ତରଫରୁ ସଭାପତି ସୁରେନ୍ଦ୍ର କୁମାର ସ୍ୱାଇଁ, ଉପସଭାପତି ଅଶୋକ କୁମାର ନାୟକ, ସମୀର ଦାଶ, ରେଣୁ ରଥ, କୋମଲ ରାଉତ, ସର୍ମିଷ୍ଟା ପଟ୍ଟନାୟକ, ଅଞ୍ଜଳୀ ଦାଶ, ଦେବେନ୍ଦ୍ର ସ୍ୱାଇଁ, ଦେବାଶିଷ ସିଂ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସଂଘ ତରଫରୁ ପ୍ରକଳ୍ପ ନିର୍ଦ୍ଦେଶିକାଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇ ଥିଲା ।
Comments are closed.