Odisha Link
Bridging the Missing Links in Odisha

ଭାରତୀୟ ନୌସେନାରେ ସାମିଲ ହେଲା ‘INS କରଞ୍ଜ’

ମୁମ୍ବାଇ: ଭାରତୀୟ ନୌସେନାରେ ସାମିଲ ହୋଇଛି ଆଉ ଏକ ବୁଡ଼ାଜାହାଜ। ଯାହା ଭାରତୀୟ ନୌସେନାକୁ ଆହୁରି ଶକ୍ତିଶାଳୀ କରିପାରିଛି। ଭାରତର ତୃତୀୟ ‘ସ୍କର୍ପିନ୍‌-କ୍ଲାସ୍‌’ ଡିଜେଲ୍‌-ଇଲେକ୍ଟ୍ରିକ୍‌ ବୁଡ଼ାଜାହାଜ ‘ଆଇଏନ୍‌ଏସ୍‌ କରଞ୍ଜ’କୁ ମୁମ୍ବାଇରେ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ସବ୍‌ମେରାଇନ୍ INS କରଞ୍ଜକୁ ମୁମ୍ବାଇର ନାଭାଲ୍ ଡକ୍ ୟାର୍ଡରେ ଆୟୋଜିତ ଉତ୍ସବରେ ନୌସେନାରେ ସାମିଲ କରାଯାଇଛି।

INS କରଞ୍ଜ ‘ସାଇଲେଣ୍ଟ କିଲର’ ନାମରେ ପରିଚିତ। ଏଥର ଜଳପଥରେ ହେବ ସାଇଲେଣ୍ଟ ଆଟାକ୍। INS କରଞ୍ଜ ଭାରତୀୟ ନୌସେନାରେ ସାମିଲ ହେବା ପରେ ଏହା ଶତ୍ରୁ ଦେଶକୁ ଚକ୍‌ମା ଦେବ ବୋଲି କୁହାଯାଉଛି। ମିଶନରେ ଥିବା ବେଳେ ଏହି ସବ୍‌ମେରାଇନ୍ ଆଦୌ ଶବ୍ଦ ସୃଷ୍ଟି କରିବ ନାହିଁ। INS କରଞ୍ଜର ଲମ୍ବ ପ୍ରାୟ ୭୦ମିଟର ଓ ଉଚ୍ଚତା ପ୍ରାୟ ୧୨ମିଟର ହେବ। ଏହି ସବ୍‌ମେରାଇନର ଓଜନ ପ୍ରାୟ ୧୬ଶହ ଟନ୍‌ ରହିଛି।

ଏହି ସବ୍ ମେରାଇନ୍ ଲଗାତାର ୪୦ରୁ ୫୦ ଦିନ ପର୍ଯ୍ୟନ୍ତ ପାଣି ଭିତରେ ରହିପାରିବ।ଏଥିରେ ଷ୍ଟିଲଥ ଜ୍ଞାନକୌଶଳ ବ୍ୟବହାର କରାଯାଇଥିବାରୁ ଶତ୍ରୁଦେଶର ରାଡରରେ ଆସିବା ସେତେଟା ସହଜ ହେବନି। ଫ୍ରାନ୍ସ ସହାୟତାରେ ନିର୍ମିତ ଏହି ସବ୍ ମେରାଇନ୍ ମେକ୍ ଇନ୍ ଇଣ୍ଡିଆ କ୍ୟାମ୍ପେନର ବଡ଼ ସଫଳତା ବୋଲି କୁହାଯାଉଛି।

ଏହି ଅବସରରେ ଆୟୋଜିତ ଉତ୍ସବରେ ଚିଫ୍‌ ଅଫ୍‌ ନେଭାଲ୍‌ ଷ୍ଟାଫ୍‌ ଆଡ୍‌ମିରାଲ୍‌ କରମବୀର ସିଂହ ଏବଂ ଆଡ୍‌ମିରାଲ୍‌ (ଅବସରପ୍ରାପ୍ତ) ଭିଏସ୍‌ ଶେଖାଓ୍ଵତ୍‌ ଉପସ୍ଥିତ ଥିଲେ। ଦିନକୁ ଦିନ ଚୀନ ଓ ପାକିସ୍ତାନ ସହ ସମ୍ପର୍କ ବିଗୁଡୁଥିବା ବେଳେ ଭାରତ ଏବେ ଶକ୍ତି ବୃଦ୍ଧି କରିବାରେ ଲାଗିଛି।

Comments are closed.