Odisha Link
Bridging the Missing Links in Odisha

ପାଠ ନ ଆସିବାରୁ ଦୁଇ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରି ଗୁରୁତର କଲେ ଟ୍ୟୁସନ୍‌ ଶିକ୍ଷୟିତ୍ରୀଙ୍କ ସ୍ୱାମୀ, ତାପରେ…

କେନ୍ଦ୍ରାପଡ଼ା: ସରକାର ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି। ଅର୍ଥାତ୍‌ ଛାତ୍ରଛାତ୍ରୀଙ୍କୁ ଶିକ୍ଷକ କିମ୍ବା ଶିକ୍ଷୟତ୍ରୀ ମାଡ଼ ମାରି ପାରିବେ ନାହିଁ। ହେଲେ ଘରୋଇ ଟ୍ୟୁସନରେ ଛାତ୍ରଙ୍କୁ ମାଡ଼ମାରି ଲହୁଲୁହାଣ କରିଦେବା ଭଳି ଏକ ସମ୍ବେଦନଶୀଳ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଅଞ୍ଚଳରୁ ଆସିଛି।

ପାଠ ନ ଆସିବାରୁ ଦୁଇ କୋମଳମତି ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ଟ୍ୟୁସନ୍‌ ଶିକ୍ଷୟିତ୍ରୀଙ୍କ ସ୍ୱାମୀ। ଯେଉଁଥିରେ ଗୁରୁତର ଆହତ ହୋଇଛନ୍ତି ମାର୍ଶାଘାଇସ୍ଥିତ ଜାଭିଅର୍‌ ସ୍କୁଲର ଷ୍ଟାଣ୍ଡାର୍ଡ-୩ରେ ପଢୁଥିବା ଛାତ୍ର ମାନବାଦିତ୍ୟ ଦାସ ପରିଡ଼ା। ଜିଆଇ ପାଇପ୍‌ ମାଡ଼ରେ ତାଙ୍କ ପିଠିରେ ନୋଳା ଫାଟିଯାଇଛି । ଏ ନେଇ ତାଙ୍କ ପରିବାର ପକ୍ଷରୁ ମାର୍ଶାଘାଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତଙ୍କୁ ଥାନାକୁ ଆଣି ଅଟକ ରଖିଛି। ମାନବାଦିତ୍ୟଙ୍କ ସହ ଟ୍ୟୁସନ ଯାଉଥିବା ଷ୍ଟାଣ୍ଡାର୍ଡ-୧ ଛାତ୍ର ଅଭିଷେକ ପରିଡ଼ାଙ୍କୁ ମଧ୍ୟ ରାଜେନ୍ଦ୍ର ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ମୁତାବିକ, ମାର୍ଶାଘାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସ୍ୱାସ୍ଥ୍ୟ ସେବିକା କାଜମିନି ଦାସଙ୍କ ପୁଅ ମାନବାଦିତ୍ୟ ଟ୍ୟୁସନ ପାଇଁ ମାର୍ଶାଘାଇ ବ୍ଲକ୍‌ ପୁରୁଷାତ୍ତମପୁର ଗ୍ରାମର ରାଜେନ୍ଦ୍ର ରାଉତଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ବେହେରାଙ୍କ ପାଖକୁ ଯାଉଥିଲେ । ସବୁଦିନ ପରି ଗତକାଲି ସଂଧ୍ୟାରେ ମଧ୍ୟ ସେ ଟ୍ୟୁସନ ଯାଇଥିଲେ । ପାଠ ନଆସିବାରୁ ଲକ୍ଷ୍ମୀପ୍ରିୟାଙ୍କ ସ୍ୱାମୀ ରାଜେନ୍ଦ୍ର ରାଉତ ଏକ ଜିଆଇ ପାଇପ୍‌ ଓ କେବଲ୍‌ ତାରରେ ମାନବାଦିତ୍ୟଙ୍କୁ ଅମାନୁଷିକ ଭାବେ ମାଡ଼ ମାରିଥିଲେ । ସେ ବିକଳରେ ଚିତ୍କାର କରିବାରୁ ପୁଣି ତାଙ୍କୁ ଏକ ନିର୍ଦ୍ଦିଷ୍ଟ ଜାଗାରେ ଠିଆ କରାଇ ନିସ୍ତୁକ ପିଟିଥିଲେ । ଫଳରେ ମାନବାଦିତ୍ୟ ଗୁରୁତର ଆହତ ହୋଇଥିଲେ । ଘରେ ପହଞ୍ଚିବା ପରେ ତାଙ୍କୁ ମାର୍ଶାଘାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଆହତ ଛାତ୍ରଙ୍କ ପରିବାର ପକ୍ଷରୁ ମାର୍ଶାଘାଇ ଥାନାରେ ଅଭିଯୋଗ କରାଯାଇଥିଲା । ପୁଲିସ ଅଭିଯୁକ୍ତ ଟ୍ୟୁସନ ଶିକ୍ଷୟିତ୍ରୀଙ୍କ ସ୍ୱାମୀ ରାଜେନ୍ଦ୍ରଙ୍କୁ ଅଟକ ରଖିିଛି ।

Comments are closed.