Odisha Link
Bridging the Missing Links in Odisha

ବିଜେଡି ଓ ବିଜେପି ଡ୍ରାମା କରୁଛନ୍ତି: ତାରା

ଭୁବନେଶ୍ୱର: ବିଧାନସଭା ନଚାଲୁ ବୋଲି ଉଭୟ ବିଜେପି ଓ ବିଜେଡି ମିଳିତ ପ୍ରୟାସ କରୁଛନ୍ତି। ଆଜି ବିଧାନସଭା ମୁଲତବୀ ପ୍ରସଙ୍ଗରେ ତାରାପ୍ରସାଦ ବାହିନୀପତି ଏପରି କହିଛନ୍ତି।

ତାରାପ୍ରସାଦ କହିଛନ୍ତି, ଚାଷୀଙ୍କ ଧାନ ନଉଠୁ ବୋଲି ଚାହୁଁଛନ୍ତି ଉଭୟ ବିଜେପି ଓ ବିଜେଡି। କେବଳ ଡ୍ରାମା କରୁଛନ୍ତି। ଚାଷୀ ଆତ୍ମହତ୍ୟା ଓ ବିଧାୟକ ଆତ୍ମହତ୍ୟା ଉଦ୍ୟମ କଲେଣି, ନବୀନ ହସୁଛନ୍ତି। ଲୋକଙ୍କ ସହ ସରକାର ବେଇମାନି କରୁଛନ୍ତି। ଯେପର୍ଯ୍ୟନ୍ତ ଚାଷୀଙ୍କ ଧାନ ନଉଠିଛି କଂଗ୍ରେସ ଆନ୍ଦୋଳନ କରିବ ବୋଲି ତାରା କହିଛନ୍ତି। ଏଥିସହ ସର୍ବଦଳୀୟ ବୈଠକ ଡାକିବା ପାଇଁ ତାରା ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ସୋମବାର ବିଧାନସଭା ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ହୋଇଛି। ଉଭୟ ବିରୋଧୀ ଓ ଶାସକ ଦଳର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ପ୍ରବଳ ହଟ୍ଟଗୋଳ କରିଥିଲେ। ମଣ୍ଡି ଅବ୍ୟବସ୍ଥା ନେଇ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ।

ଏଥିସହ ବିଧାନସଭାରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ଦାବିରେ ଶାସକ ଦଳର ସଦସ୍ୟ ହଟ୍ଟଗୋଳ କରିଥିଲେ। ଯାହାକୁ ଦୃଷ୍ଟିରେ ରଖି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହ କାର୍ଯ୍ୟକୁ ୧୧.୩୦ ଯାଏଁ ମୁଲତବୀ ଘୋଷଣା କରିଥିଲେ।

Comments are closed.