Odisha Link
Bridging the Missing Links in Odisha

ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇଲେ ମେଘାଳୟ ରାଜ୍ୟପାଳ, କହିଲେ…

ଲକ୍ଷ୍ନୌ: କୃଷି ଆଇନକୁ ବିରୋଧ କରି ଚାଷୀ ଆନ୍ଦୋଳନ ଜାରି ରହିଥିବା ବେଳେ ଚାଷୀ ଆନ୍ଦୋଳନକୁ ସମର୍ଥନ କରିଛନ୍ତି ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ। ଆନ୍ଦୋଳନରତ ଚାଷୀଙ୍କ ଦାବିକୁ ଶୁଣିବାକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଅନୁରୋଧ କରିଛନ୍ତି।

ଉତ୍ତର ପ୍ରଦେଶର ବାଗପତରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଆନ୍ଦୋଳନରତ ଚାଷୀଙ୍କୁ ଦିଲ୍ଲୀରୁ ଖାଲି ହାତରେ ଫେରାଇ ଦେବା ଉଚିତ୍ ହେବ ନାହିଁ। ଯଦି କେନ୍ଦ୍ର ସରକାର ଫସଲ ଉପରେ ଏମଏସପି ଗ୍ୟାରେଣ୍ଟି ଦେବେ, ତା’ହେଲେ ସେ ଆନ୍ଦୋଳନକୁ ଶେଷ କରାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ରାଜ୍ୟପାଳ ସତ୍ୟପାଲ ମଲିକ କହିଛନ୍ତି, ଚାଷୀଙ୍କୁ ଏମଏସପି ଗ୍ୟାରେଣ୍ଟି ଯଦି ସରକାର ଦେବେ, ତା’ହେଲେ ଆଗାମୀ ଦିନରେ ଆନ୍ଦୋଳନ କେମିତି ଶେଷ ହେବ, ତାହା ମୋ ଦାୟିତ୍ୱ। ଏମିତିକି ସରକାର ଓ ଚାଷୀଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ମଧ୍ୟ କରାଇଦେବି।

ଶିଖ ସମ୍ପ୍ରଦାୟ ୩୦୦ ବର୍ଷ ପର୍ଯ୍ୟନ୍ତ କୌଣସି ଜିନିଷକୁ ଭୁଲନ୍ତି ନାହିଁ। ଆଜି କୌଣସି ଆଇନ ଚାଷୀଙ୍କ ସ୍ୱାର୍ଥରେ ନାହିଁ। ଯେଉଁ ଦେଶରେ ଚାଷୀ ଏବଂ ଯବାନ ସନ୍ତୁଷ୍ଟ ନୁହଁନ୍ତି, ସେହି ଦେଶରେ ବିକାଶ ହୁଏନି। ତେଣୁ କୃଷକ ଏବଂ ଯବାନମାନଙ୍କୁ ସନ୍ତୁଷ୍ଟ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

ଶ୍ରୀ ମଲିକ କହିଛନ୍ତି ଯେ ସେ ଏହି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି। ଚାଷୀଙ୍କ ଦୁଃଖ ସେ ବୁଝିଛନ୍ତି। ସେ ସମସ୍ତ ସମସ୍ୟାର ସମାଧାନ କରିବାକୁ ପ୍ରୟାସ ଜାରି ରଖିଛନ୍ତି।

Comments are closed.