Odisha Link
Bridging the Missing Links in Odisha

ବିକ୍ରି ହୋଇନଥିବା ସମସ୍ତ ଧାନକୁ ତୁରନ୍ତ କିଣିବା ପାଇଁ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ: ବିଜେପି

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ତ୍ବରେ ରାଜ୍ୟ ବିଜେପି ସାଂସଦର ଏକ ପ୍ରତିନିଧି ମଣ୍ଡଳି ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଭେଟି ଓଡ଼ିଶାର ଧାନ ଚାଷୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ବିକ୍ରି ହୋଇନଥିବା ସମସ୍ତ ଧାନକୁ ତୁରନ୍ତ କିଣିବା ପାଇଁ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି।

ଏକ ସ୍ମାରକ ପତ୍ର ଜରିଆରେ ବିଜେପିର ସାଂସଦମାନେ ଧାନ କିଣା ନେଇ ଥିବା ଆନୁଷଙ୍ଗିକ ସମସ୍ୟା ତଥା ଓଡ଼ିଶାରେ ଧାନ କିଣା ପ୍ରକ୍ରିୟାକୁ ଶୃଙ୍ଖଳିତ ଭାବରେ କରିବା ପାଇଁ ମଧ୍ୟସ୍ଥିଙ୍କୁ ସମ୍ପୃକ୍ତି ନେଇ ଥିବା ସମସ୍ୟା, ଏମଏସପି ମୂଲ୍ୟ ଆଧାରରେ ସ୍ୱଚ୍ଛ ଏବଂ ଶୀଘ୍ର ଧାନ କ୍ରୟ କରିବା ଦିଗରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗୋଏଲଙ୍କ ସହଯୋଗ ଲୋଡ଼ିଛନ୍ତି। ଏହି ସମସ୍ୟାର ସମାଧାନ ହେଲେ ପ୍ରଧାନମନ୍ତ୍ରୀଙ୍କ ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ସ୍ମାରକ ପତ୍ରରେ ଉଲ୍ଲେଖ କରାଯାଇଛି।

ସେହିପରି ଧାନ ସଂଗ୍ରହ ନେଇ ଉଚ୍ଚସ୍ତରୀୟ କମିଟି ଗଠନ କରିବା ସହ ଧାନ କିଣା ବିଳମ୍ବର ସତ୍ୟତା ଅନୁସନ୍ଧାନ ପାଇଁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ ପାଇଁ ସାଂସଦମାନେ ଅନୁରୋଧ କରିଛନ୍ତି। ସମସ୍ତ ଦାବୀ ଶୁଣିବା ପରେ ଏହାକୁ ଗମ୍ଭୀରତାର ସହ ନେଇ ଏହି ପ୍ରସଙ୍ଗରେ ଥିବା ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ନେଇ ମନ୍ତ୍ରୀ ଗୋଏଲ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ଦଳର ସାଂସଦମାନେ ସ୍ମାରକ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଓଡିଶାରେ ରାଜ୍ୟ ସରକାରଙ୍କ ଦ୍ୱାରା ଧାନ କ୍ରୟ ନେଇ ଓଡିଶାର ଚାଷୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ଓଡିଶାର କୃଷକମାନଙ୍କୁ ନିରନ୍ତର ସହଯୋଗ କରି ଆସୁଛନ୍ତି। ୨୦୧୪ ପର ଠାରୁ କେନ୍ଦ୍ର ସରକାର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ଆଧାରରେ ଓଡ଼ିଶାର ଚାଷୀଙ୍କ ଠାରୁ ୩୭୦ ଲକ୍ଷ ମେଟ୍ରିକ୍ ଟନ୍‌(ଏଲଏମଟି) ଧାନ ୬୦ ହଜାର ୫୯୪ କୋଟି ଟଙ୍କା ମୂଲ୍ୟରେ କିଣିଛନ୍ତି। ପିଏମ-କିଷାନ ଯୋଜନାରେ ପ୍ରତି ୩ ମାସରେ ପ୍ରତ୍ୟେକ ପଞ୍ଜିକୃତ ଚାଷୀଙ୍କ ବ୍ୟାଙ୍କ୍ ଖାତାକୁ ୨ ହଜାର ଟଙ୍କା ଲେଖାଁଏ ହସ୍ତାନ୍ତର କରାଯାଇଛି।

ଓଡ଼ିଶାର ସମସ୍ତ ଯୋଗ୍ୟ ପଞ୍ଜିକୃତ ଚାଷୀଙ୍କ ବ୍ୟାଙ୍କ୍ ଖାତାକୁ ୩ହଜାର ୨୭୪.୨୧ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି। ପିଏମ ଫସଲ ବୀମା ଯୋଜନା ଅଧୀନରେ ୨୦.୯୪ ଲକ୍ଷ ବୀମାକୃତ ଚାଷୀଙ୍କୁ ଫସଲ ନଷ୍ଟ ଅଭିଯୋଗ ସ୍ୱରୂପ ୪ହଜାର ୪୨୪.୮୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ଶାସକ ଦଳ ଧାନ କ୍ରୟ ପାଇଁ କେନ୍ଦ୍ରର ଆର୍ôଥକ ସହାୟତା ଗ୍ରହଣ କରିନଥିବା ଭଳି ବିଭ୍ରାନ୍ତିକର ତଥ୍ୟ ଦେବା ସହ ପରିଚାଳନାରେ ନିଜର ବିଫଳତାକୁ ଲୁଚାଇବା ପାଇଁ ପ୍ରୟାସ କରୁଛି।

ଓଡ଼ିଶାରେ ବ୍ୟାପକ ଫସଲ ସତ୍ୱେ ରାଜ୍ୟ ସରକାରଙ୍କ ଦୀର୍ଘ ଦିନର ଅପାରଗତା, ପ୍ରଶାସନିକ ଅବ୍ୟବସ୍ଥା ଏବଂ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ଶାସନ କଳର ଅପବ୍ୟବହାର କାରଣରୁ ରାଜ୍ୟରେ ଧାନ କ୍ରୟରେ ବିଳମ୍ବ ଏବଂ ଧାନ ହ୍ରାସ ହେବାର ମୂଳ କାରଣ ହୋଇଛି। ଅନୁକୂଳ ମୌସୁମୀ କାରଣରୁ ଧାନ ଅମଳର ଆଶା କରାଯାଉଥିବା ଅପେକ୍ଷା ଚଳିତ ବର୍ଷ ରାଜ୍ୟ ସରକାର ପ୍ରତ୍ୟେକ ଏକର ଜଳସେଚିତ ଜମି ପାଇଁ ୧୯ କ୍ୱିଂଟାଲ ଏବଂ ପ୍ରତ୍ୟେକ ଏକର ଅଣଜଳସେଚିତ ଜମି ପାଇଁ ୧୩ କ୍ୱିଂଟାଲ ଧାନ କ୍ରୟ ସର୍ବୋଚ୍ଚ ମୂଲ୍ୟର ସଂଶୋଧନ କରିନାହାଁନ୍ତି।

ଏହି କାରଣରୁ ହଜାର ହଜାର ଚାଷୀ ଧାନ ବିକ୍ରି କରିପାରିନାହାନ୍ତି। ପରେ ସେମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଧାରିତ ଏମଏସପି ମୂଲ୍ୟ କ୍ୱିଂଟାଲ ପିଛା ୧୮୬୮ ଟଙ୍କା ଦାମରୁ ଅଧା ମୂଲ୍ୟରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଲେ। ଆଞ୍ଚଳିକ ଗଣମାଧ୍ୟମରୁ ଶୁଣିବାକୁ ମିଳୁଛି ଯେ, ଶାସକ ଦଳର କିଛି ସମର୍ଥକମାନେ ଧାନକୁ ଅଧିକା ଦାମରେ ବିକ୍ରି କରିବା ପାଇଁ ଚାଷୀ ମାନଙ୍କୁ ବକେୟା ଧାନକୁ ବିକ୍ରି କରିବା ପାଇଁ ବାରଣ କରାଯାଇଛି। ଧାନ ସଂଗ୍ରହ କେନ୍ଦ୍ର (ପିପିସି) ପାଇଁ ସାଧାରଣ ବଣ୍ଟନ ବିଭାଗ ଦ୍ୱାରା ବଣ୍ଟାଯାଇଥିବା ଧାନ କିଣା ଟୋକନ ୩୦ ଦିନ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରିବାର ସମୟ ସୀମା ରହିଥିବା ବେଳେ ଧାନ କିଣାରେ ବିଳମ୍ବ ଯୋଗୁଁ ସରକାରଙ୍କ ଏହି ଟୋକନ ବ୍ୟବସ୍ଥା ବିଫଳ ହୋଇଛି।

ଯାହା ରାଜ୍ୟ ସରକାରଙ୍କ ପ୍ରଶାସନିକ ବିଫଳତାକୁ ଦର୍ଶାଉଛି । ପଞ୍ଜିକୃତ ଚାଷୀ ମାନଙ୍କୁ ମଧ୍ୟ ଟୋକନ ଦେବାରେ ଅନେକ ବିଳମ୍ବ ହେବାର ଦେଖାଯାଇଥିବା ବେଳେ ଅମଳର ବହୁତ ପୂର୍ବରୁ ଅନେକ ଚାଷୀଙ୍କୁ ଟୋକନ ବଣ୍ଟନ କରାଯାଇଛି। ଧାନର ସଂରକ୍ଷଣ ଏବଂ ପରିବହନର ବ୍ୟବସ୍ଥା ନଥିବା କାରଣରୁ ରାଜ୍ୟ ସରକାରଙ୍କ ଅଫିସର ମାନଙ୍କ ଦ୍ୱାରା ମଣ୍ଡି ମାଫିଆ, ମଧ୍ୟସ୍ଥି, ଦଲାଲଙ୍କ ପାଦୃଭାବ ବଢୁଛି।

ଟୋକନ ନିର୍ଦ୍ଦାରିତ ସମୟ ଶେଷ ହୋଇଯିବା କାରଣରୁ ଅନେକ ଚାଷୀମାନେ ପିପିସି ଅଥବା ମଣ୍ଡିରେ ଧାନ ବିକ୍ରି କରିବାରୁ ବଞ୍ଚିତ ହେଉଛନ୍ତି। ଏହି ଗରିବ ଚାଷୀମାନେ କଟନୀ ଛଟନୀର ଶିକାର ହେଉଛନ୍ତି। ପରିବହନ ଖର୍ଚ୍ଚ ଏବଂ ମହଜୁଦ୍ କରି ରଖିବା ପାଇଁ ଅର୍ଥର ଅଭାବରୁ ଧାନ ଚାଷୀମାନେ ବହୁତ୍ କମ ମୂଲ୍ୟରେ ନିଜର ଉତ୍ପାଦିତ ସାମଗ୍ରୀକୁ ଏପିଏମସି ମଣ୍ଡିରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଏହି କାରଣରୁ ଚାଷୀମାନେ ଋଣାଗ୍ରସ୍ତ ତଥା ଚାପର ବଶବର୍ତୀ ହୋଇ ଆତ୍ମହତ୍ୟା ଉଦ୍ୟମ କରିବାକୁ ବାଧ୍ୟ ହୁଅନ୍ତି। ଏହି ସମସ୍ତ ତଥ୍ୟରୁ ରାଜ୍ୟ ସରକାରଙ୍କ ଅପାରଗତା ଓ ଭୁଲ ନୀତି ଯୋଗୁଁ ଆନୁଷ୍ଠାନିକ ଭାବରେ ଚାଷୀ ମାନଙ୍କୁ ଶୋଷଣ କରାଯାଉଥିବା ସ୍ପଷ୍ଟ ହେଉଥିବା ସ୍ମାରକ ପତ୍ରରେ ଉଲ୍ଲେଖ ରହିଛି।

ପ୍ରକାଶ ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା, ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ, ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ମୟୂରଭଞ୍ଜ ଲୋକସଭା ସାଂସଦ ବିଶେଶ୍ୱର ଟୁଡୁ, ବଲାଙ୍ଗୀରର ଲୋକସଭା ସାଂସଦ ସଙ୍ଗୀତା ସିଂହଦଓ, ସମ୍ବଲପୁର ସାଂସଦ ନୀତିଶ ଗଙ୍ଗଦେଓ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ବରଗଡ ଲୋକସଭା ସାଂସଦ ସୁରେଶ ପୂଜାରି ପ୍ରମୁଖ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଂଟନ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଭେଟି ଏହି ସ୍ମାରକ ପତ୍ର ପ୍ରଦାନ କରିଥିଲେ।

Comments are closed.