Odisha Link
Bridging the Missing Links in Odisha

୫ ଜଣ ହରାଇଲେ ମନ୍ତ୍ରୀପାହ୍ୟା: ମନ୍ତ୍ରୀ ପରିଷଦ ବାହାରେ କାହାକୁ ମିଳିଛି ସୁବିଧା, ଜାଣନ୍ତୁ

ଭୁବନେଶ୍ବର: ରାଜ୍ୟ ମନ୍ତ୍ରୀ ପରିଷଦ ବାହାରେ ବିଭିନ୍ନ ପଦବୀରେ ଅବସ୍ଥାପିତ ବ୍ୟକ୍ତିଙ୍କୁ ମନ୍ତ୍ରୀ ପାହ୍ୟା ମିଳିଥଥିବା ବେଳେ ଏମାନଙ୍କ ମଧ୍ୟରୁ ୫ ଜଣଙ୍କ ଠାରୁ ଏହି ପାହ୍ୟା ପ୍ରତ୍ୟାହାର କରି ନିଆଯାଇଛି। ଗତକାଲି ବିଧାନସଭାରେ ଏ ନେଇ ସ୍ପଷ୍ଟ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।

ମନ୍ତ୍ରୀ ପାହ୍ୟା ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୩ ଜଣ ବିଜେଡି ନେତା ଥିବା ବେଳେ ଜଣେ ଲେଖିକା ଓ ଜଣେ ଶିକ୍ଷାବିତ ଅଛନ୍ତି। ସେମାନେ ହେଲେ ରାଜ୍ୟସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ, ରାଜ୍ୟ ଯୁବକଲ୍ୟାଣ ବୋର୍ଡ କାର୍ଯ୍ୟକାରୀ ଅଧ୍ୟକ୍ଷ ବିଜୟ ନାୟକ, ‘ମୋ କଲେଜ’ ଅଧ୍ୟକ୍ଷ ଆକାଶ ଦାସ ନାୟକ, ‘ମୋ ସ୍କୁଲ’ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଓ ଓଡ଼ିଶା ଆଦର୍ଶ ମହାବିଦ୍ୟାଳୟ ପରାମର୍ଶଦାତା ବିଜୟ ସାହୁ।

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏ କଥା ସ୍ପଷ୍ଠ କରିଛନ୍ତି ମନ୍ତ୍ରୀ ଶ୍ରୀ ଆରୁଖ। ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ମନ୍ତ୍ରୀ ପରିଷଦ ବାହାରେ ୨୭ ଜଣ ମନ୍ତ୍ରୀପାହ୍ୟା ସୁବିଧା ପାଉଛନ୍ତି। ସେମାନଙ୍କ ମଧ୍ୟରେ ୭ ଜଣ କ୍ୟାବିନେଟ୍‌ ମନ୍ତ୍ରୀ ପାହ୍ୟା ସୁବିଧା ପାଉଥିବା ବେଳେ ୨୦ ଜଣ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ସୁବିଧା ପାଉଛନ୍ତି।

କ୍ୟାବିନେଟ୍‌ ମନ୍ତ୍ରୀ ପାହ୍ୟା ପାଉଥିବା ବ୍ୟକ୍ତିମାନେ ହେଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ, ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ, ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ, ରାଜ୍ୟ ନିର୍ମାଣ ଶ୍ରମିକ ବୋର୍ଡ ଅଧ୍ୟକ୍ଷ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ପରାମର୍ଶଦାତା କେ ଶ୍ରୀନାଥ ରେଡ୍ଡୀ।

ଅନୁରୂପ ଭାବେ ୨୦ ଜଣ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ସୁବିଧା ପାଉଛନ୍ତି। ସେମାନଙ୍କ ମଧ୍ୟରେ ସରକାରୀ ଉପମୁଖ୍ୟ ସଚେତକଙ୍କ ଭିନ୍ନ ୭ ଜଣ ପରାମର୍ଶଦାତା ନିଯୁକ୍ତ ହୋଇଥିବା ବେଳେ ୧୨ ଜଣ ବିଧାୟକ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ଏହି ସୁବିଧା ପାଉଛନ୍ତି। ସରକାରୀ ଉପମୁଖ୍ୟ ସଚେତକ ରୋହିତ ପୁଜାରୀ, ମିଶନ୍ଶକ୍ତି ପରାମର୍ଶଦାତା ଲୋପାମୁଦ୍ରା ବକ୍ସିପାତ୍ର, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପରାମର୍ଶଦାତା ସୁଧୀର ଦାସ, ଇଲେକ୍‌ଟ୍ରନିକ୍ସ ଓ ସୂଚନାପ୍ରଯୁକ୍ତି ବିଭାଗ ପରାମର୍ଶଦାତା ଅନୁଭବ ପଟ୍ଟନାୟକ, କୃଷି ବିଭାଗ ପରାମର୍ଶଦାତା କୃତିବାସ ପାତ୍ର, ଓଡ଼ିଶା କୃଷି ବିପଣନ ବୋର୍ଡ ପରାମର୍ଶଦାତା ରାମଚନ୍ଦ୍ର ପଣ୍ଡା, ସ୍ବାସ୍ଥ୍ୟ ପରାମର୍ଶଦାତା ପିକେ ପ୍ରଧାନ ଓ ଫାଇନାନ୍ସ ଟେକନଲୋଜି ପରାମର୍ଶଦାତା ସ୍ବପ୍ନେନ୍ଦୁ ମହାନ୍ତିଙ୍କୁ ରାଷ୍ଟ୍ରପାହ୍ୟା ମିଳିଛି।

ତେବେ ପୂର୍ବୋକ୍ତ ୫ ଜଣ ବ୍ୟକ୍ତିଙ୍କର ମନ୍ତ୍ରୀପାହ୍ୟା କେବେ ଠାରୁ ଓ କାହିଁକି ପ୍ରତ୍ୟାହାର କରିନିଆଯାଇଛି ତାହା ସ୍ପଷ୍ଟ ହୋଇନାହିଁ।

Comments are closed.