Odisha Link
Bridging the Missing Links in Odisha

ହୋଲି ଉପଲକ୍ଷେ ବିଏମସି ପକ୍ଷରୁ ଜାରି ହେଲା ଗାଇଡଲାଇନ୍

ଭୁବନେଶ୍ୱର: ହୋଲି ଉପଲକ୍ଷେ ଭୁବନେଶ୍ୱର ମହାନଗର ନିଗମ ବା ବିଏମସି ପକ୍ଷରୁ ଜାରି ହେଲା ଗାଇଡଲାଇନ୍। ଏହା ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଏସଆରସିଙ୍କ ଦ୍ୱାରା ଜାରି କରାଯାଇଥିବା ଗାଇଡ଼ଲାଇନକୁ କଡାକଡି ଭାବେ ପାଳନ କରାଯିବ। ରାଜଧାନୀରେ ଦୋଳ ଓ ହୋଲି ପାଇଁ ଅଲଗା ନିୟମ ରହିବ। ସର୍ବସାଧାରଣରେ ହୋଲି ଖେଳିବ ଉପରେ ପ୍ରତିବନ୍ଧକ ଲାଗିଛି।

ନିଜ ଘରେ ପରିବାର ସଦସ୍ୟଙ୍କ ସହ ହୋଲି ଖେଳିବା ପାଇଁ ବିଏମସି କମିଶନର ପରାମର୍ଶ ଦେଇଛନ୍ତି। ସେ ପୁଣି କହିଛନ୍ତି ଯେ, ରଙ୍ଗ ଦୋକାନ ଖୋଲିବା ନେଇ କିଛି କଟକଣା ନାହିଁ। ଦୋଳ ଯାତ୍ରାରେ ପ୍ରତ୍ୟେକ ବିମାନ ସହ ସର୍ବାଧିକ ୫ ରୁ ୬ ଜଣଙ୍କୁ ଅନୁମତି ମିଳିବ।

ମେଳଣ ସ୍ଥାନରେ ଏକାସାଙ୍ଗରେ ନୁହଁ ବରଂ ପର୍ଯ୍ୟାୟ କ୍ରମେ ୧୦ଟି ବିମାନ ଆସିବ। ମେଳଣରେ ମଧ୍ୟ ସର୍ବାଧିକ ୫୦ ରୁ ୬୦ଜଣଙ୍କୁ ଅନୁମତି ଦିଆଯିବ। ଏଥିପାଇଁ ଆୟୋଜକ ସ୍ୱତନ୍ତ୍ର ଭାବେ ଆବେଦନ କରି ଅନୁମତି ନେବେ।

ରାଜ୍ୟରେ ବର୍ଦ୍ଧିତ କରୋନା ସଂକ୍ରମଣ ପୁଣି ଥରେ ଭୟ ବଢାଇଛି। ଉଭୟ କଟକ ଓ ଭୁବନେଶ୍ୱରରେ ସଂଖ୍ୟା କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଏଣୁ ଅସାବଧାନତା ନୁହଁ ବରଂ ସଚେତନତା ଓ ସତର୍କତା ଅବଲମ୍ବନ କରିବା ଜରୁରୀ।

ଭୁବନେଶ୍ୱରରେ ଦୁଇଜଣ ବିଦେଶୀ ଫେରନ୍ତା ପଜିଟିଭ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ଭଲ ଅଛି ବୋଲି ବିଏମସି କମିଶନର କହିଛନ୍ତି। ରାଜ୍ୟରେ ଦୋଳଯାତ୍ରା ଓ ଏହାସହିତ ଜଡ଼ିତ ସମସ୍ତ ଧାର୍ମିକ ଓ ସାଂସ୍କୃତିକ ସମାବେଶକୁ ଅନୁମତି ଦିଆଯିବନି ।

କୋଭିଡ୍‌ ନିୟମ ଅନୁସାରେ ମନ୍ଦିରରେ ଧାର୍ମିକ ପୂଜାର୍ଚ୍ଚନା ଓ ନୀତିକାନ୍ତି ହୋଇପାରିବ। ମନ୍ଦିରରେ ଦୋଳ ଉତ୍ସବ ପାଳନ ଓ ଏହି ଦିନ ଶ୍ରଦ୍ଧାଳୁଙ୍କ ମନ୍ଦିର ପ୍ରବେଶକୁ ନେଇ ସ୍ଥାନୀୟ ପ୍ରଶାସନ ସ୍ଥିତିକୁ ଦେଖି ନିଷ୍ପତ୍ତି ନେବ। ନିର୍ଦ୍ଦିଷ୍ଟ ସଂଖ୍ୟକ ଲୋକଙ୍କୁ ନେଇ ଦୋଳ ମେଳଣ ପାଇଁ ଅନୁମତି ଦିଆଯିବ ବୋଲି ଏସ୍‌ଆର୍‌ସି ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ।

Comments are closed.