Odisha Link
Bridging the Missing Links in Odisha

ଆଜି ରାଉରକେଲା ଏନଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ରାଉରକେଲା: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆଜି ସକାଳ ୯ଟା ୪୫ ମିନିଟରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଆସି ପହଞ୍ଚିବେ ରାଷ୍ଟ୍ରପତି। ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସକାଳ ୯ଟା ୫୫ରେ ରାଉରକେଲା ଅଭିମୁଖେ ଯାତ୍ରା କରିବେ। ଝାରସୁଗୁଡ଼ାରୁ ରାଉରକେଲା ରାଷ୍ଟ୍ରପତିଙ୍କୁ ନେବାକୁ ଥିବା ୩ଟି ହେଲିକପ୍ଟର ଝାରସୁଗୁଡ଼ା ବିମାନ ବନ୍ଦରରେ ଆସି ପହଞ୍ଚି ସାରିଛି ।

ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୯ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଅପରାହ୍ନରେ ରାଷ୍ଟ୍ରପତି ରାଉରକେଲାରୁ ଫେରିବା ଯାଏଁ ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ଓ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଗତକାଲି ସଂଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଥିଲେ ରାଷ୍ଟ୍ରପତି। ତାଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ ପହଞ୍ଚିଥିଲେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏଥିସହ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଉପସ୍ଥିତ ରହି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସ୍ୱାଗତ କରିଥିଲେ। ୨ଦିନିଆ ଓଡିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାଜଭବନରେ ରାତ୍ରୀ ଯାପନ କରିଥିଲେ। ସେପଟେ ଆସନ୍ତାକାଲି ରାଷ୍ଟ୍ରପତିଙ୍କର କୋଣାର୍କ ଓ ପୁରୀ ଶ୍ରୀମନ୍ଦିର ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ଏନେଇ ସ୍ଥାନୀୟ ପ୍ରଶାସନ ସମସ୍ତ ପ୍ରସ୍ତୁତି ଶେଷ କରି ସାରିଛି।

Comments are closed.