Odisha Link
Bridging the Missing Links in Odisha

ଅପ୍ରୀତିକର ପରିସ୍ଥିତି ପାଇଁ ବାଚସ୍ପତି ଦାୟୀ: ପ୍ରଦୀପ୍ତ

ଭୁବନେଶ୍ବର: ବିଧାନସଭାରେ ବାଚସ୍ପତି ପାତରଅନ୍ତର କରୁଥିବା ଅଭିଯୋଗ ଆଣିଲା ବିଜେପି। ଧାରଣାରୁ ଓହରିବା ପରେ ସାମ୍ବାଦିକ ସମ୍ମିଳନୀ କରି ନିଜର ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ। ବିଧେୟକ ପାରିତ ହେଲେ ଜଣେ ନିର୍ବାଚିତ ପ୍ରତିନିଧି ଭାବେ ଗୃହରେ କହିବାର ଅଧିକାର ରହିଛି।

କିନ୍ତୁ ଯେତେବେଳେ ଗତକାଲି ବିନା ଆଲୋଚନାରେ ବିଲ୍ ପାରିତ କରାଗଲା, ସେତେବେଳେ ବିରୋଧୀ ଦଳ ନେତା ଭାବେ କହିବାକୁ ଛିଡା ହେଲେ ମଧ୍ୟ ବାଚସ୍ପତି ଆମ ଆଡକୁ ଅନାଇଲେ ନାହିଁ ।ବିଜେପି ସଦସ୍ୟ ବାରମ୍ବାର କହିବା ସତ୍ତେ୍ୱ ମଧ୍ୟ ବାଚସ୍ପତି ଶୁଣିଲେନି।

ତେଣୁ ବାଚସ୍ପତିଙ୍କ ଦୃ୍ଷ୍ଟି ଆକର୍ଷଣ କରିବାକୁ ହେଡଫୋନ, କଲମ ଫୋପାଡା ଯାଇଛି। କିନ୍ତୁ ଏହି ପ୍ରସଙ୍ଗରେ ଆମକୁ ପକ୍ଷ ରଖିବାକୁ ସୁଯୋଗ ନ ଦେଇ ୩ ଜଣ ବିଧାୟକଙ୍କୁ ସସପେଣ୍ଡ କରିଦିଆଗଲା। ବିନା ଦୋଷରେ ଆମେ ଦଣ୍ଡିତ ହେଇଛୁ।

ପ୍ରକାଶ ଯେ, ବିଧାନସଭାରେ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲା ସେଥିପାଇଁ ଖୋଦ ବାଚସ୍ପତି ଦାୟୀ। ବିଜେଡିର ଖେଳନା ଭଳି କାମ କରୁଥିବାରୁ ଏଭଳି ସ୍ଥିତି ଉପୁଜିଲା ବୋଲି କହିଛନ୍ତି ପ୍ରଦୀପ୍ତ। ବିରୋଧୀଙ୍କ କଥା ଶୁଣିବାକୁ ଗୃହର ଅଧ୍ୟକ୍ଷ ଓ ଗୃହର ନେତା ଶୁଣିବାକୁ ବାଧ୍ୟ କିନ୍ତୁ ବିଧାନସଭାରେ ତାହାର ବ୍ୟତିକ୍ରମ ହେଉଛି।

ବିଧାନସଭା ଯେମିତି ନ ଚାଲୁ ତାହା ଚାହୁୁଁଛନ୍ତି ଶାସକ ଦଳ, କାରଣ ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳ ବଦନାମ ହେବାର ଭୟ ଥିବାରୁ ଏଭଳି କରୁଛନ୍ତି। ତେଣୁ ପାରିତ ହୋଇଥିବା ବିଲ୍ ବାବଦରେ ରାଜ୍ୟପାଳଙ୍କୁ ଭେଟି ଫେରାଦ ହେବୁ ବୋଲି କହିଛନ୍ତି ପ୍ରଦୀପ୍ତ। ଏପରିକି ବିନା ଆଲୋଚନାରେ ବିଲ୍ ପାରିତ ହୋଇଥିବାରୁ ଏହାକୁ ମଞ୍ଜୁରୀ ନ ଦେବାକୁ କହିବୁ।

ସୂଚନାଯୋଗ୍ୟ ଯେ, ବିଧାନସଭାରେ ବାଚସ୍ପତିଙ୍କୁ ଚପଲ ଫିଙ୍ଗାଯିବା ଘଟଣାରେ ୩ ବିଧାୟକଙ୍କୁ ସସପେଣ୍ଡ କରାଯାଇଥିଲା। ଯାହାକୁ ନେଇ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଥିଲେ ବିଜେପି ବିଧାୟକ। ରାତି ତମାମ ଧାରଣାରେ ବସିବା ପରେ ବିଜେପି ସହପ୍ରଭାରୀଙ୍କ ଅନୁରୋଧ ପରେ ଧାରଣାରୁ ହଟିଥିଲେ ବିଜେପି ବିଧାୟକ।

Comments are closed.