Odisha Link
Bridging the Missing Links in Odisha

ତୋ ପାଇଁ ଦିଲ୍‌ ହୁଏ ନାଗିନ୍‌ ନାଗିନ୍…

ସରକାରୀ ଦାୟିତ୍ବରେ ଥିବା ମଣିଷର ବ୍ୟକ୍ତିଗତ ଜୀବନଟିଏ ମଧ୍ୟ ରହିଛି। ତେବେ ଚାକିରି ପାଇଁ ପଦ ଓ କର୍ତ୍ତବ୍ୟର ଶପଥ ନେଇଥିବା ଏ ବାବୁବାବୁଆଣୀମାନେ ଥାନା ଭିତରେ କର୍ତ୍ତବ୍ୟରତ ଅବସ୍ଥାରେ ଏ ଯେଉଁ ଠିଆପାଲା କରୁଛନ୍ତି ତାହାକୁ ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି।

ଯାଜପୁର: ହୋଲି ଅବସରରେ ଆଇନଶୃଙ୍ଖଳା ରକ୍ଷା ଦାୟିତ୍ବରେ ଥିବା ପୁଲିସ ନିଜର କର୍ତ୍ତବ୍ୟ ଭୁଲି ମଜଲିସ୍‌ରେ ମାତିଥିଲା। ଥାନା ଭିତରେ କବାଟ କିଳି ଚାଲିଥିଲା ନାଗିନ୍‌ ନାଚ ଆଉ ଏହାର ତାଳେ ତାଳେ ଡେଉଁଥିଲା ପୁଲିସ ବାବୁମାନଙ୍କର ଉନ୍ମତ୍ତ ପାଦ। ପୁଲିସ ପୋଷାକରେ ଲାଗିଥିଲା ନାନାରଙ୍ଗର ଅବିର। କାହାର ପାଦ ବି ଠିକରେ ପଡ଼ୁ ନଥିଲା। ମଝିରେ ନାଚୁଥିଲେ ମହିଳା କର୍ମଚାରୀ, ତାଙ୍କୁ ଘେରି ରହିଥିଲେ ଥାନାର ଅନ୍ୟ ପୁରୁଷ କର୍ମଚାରୀ। କେତେବେଳେ ମହିଳାଙ୍କ ଅଣ୍ଟା ଦରିପକାଉଥିଲେ ଥାନା ବାବୁ ତ ପୁଣି କେବେ ତାଙ୍କ ହାତକୁ ଧରି ନାଚିବାକୁ ଉଦ୍ୟତ ହେଉଥିଲେ ଯୁବ ଉପଅଧିକାରୀ।

ଥାନା ବାବୁଙ୍କର ଏ ମଉଜର ଭିଡିଓ ଏବେ ଯାଜପୁର ଜିଲ୍ଲାରେ ଭାଇରାଲ୍‌ ହେଉଛି। ପାଣିକୋଇଲି ଥାନା ଭିତରେ ହୋଲି ଦିନ ଚାଲିଥିବା ଏ ନାଚତାମସାରେ ପୂରା ଥାନାର କର୍ମଚାରୀ ସାମିଲ ଥିବା ଦେଖାଯାଉଛି। ରେକର୍ଡରେ ‘ତୋ ପାଇଁ ଦିଲ୍‌ ହୁଲ ନାଗିନ୍‌ ନାଗିନ୍‌’ ଗୀତ ବାଜୁଛି। ଏହାର ତାଳେ ତାଳେ ନାଚୁଛନ୍ତି ଥାନା ଅଧିକାରୀଙ୍କ ସେମେତ ସହକାରୀ ଅଧିକାରୀ ଓ ଅନ୍ୟ କର୍ମଚାରୀ। ମହିଳା କର୍ମଚାରୀ ଜଣକ ଖୁସିରେ ନାଚୁଥିବା ବେଳେ କିଏ ତାଙ୍କ ଅଣ୍ଟା ଧରିପକାଉଛି ତ ପୁଣି କିଏ ହାତରେ ହାତ ଛନ୍ଦିବାକୁ ଉଦ୍ୟତ। କାହାର ବି ପାଦ ଠିକରେ ପଡ଼ୁ ନଥିବାରୁ ଥାନା ଭିତରେ ଖାକି ପୋଷାକରେ ଥାଇ ସେମାନେ ପ୍ରଚୁର ମାଦକଦ୍ରବ୍ୟ ପାନ କରିଥିବା ମଧ୍ୟ ସାଧାରଣରେ ଆଲୋଚନା ହେଉଛି।

ସରକାରୀ କର୍ମଚାରୀ ହେଲେ ବି ସେମାନଙ୍କର ହସମଉଜ କରିବାର ସମସ୍ତ ଅଧିକାର ରହିଛି। ସରକାରୀ ଦାୟିତ୍ବରେ ଥିବା ମଣିଷର ବ୍ୟକ୍ତିଗତ ଜୀବନଟିଏ ମଧ୍ୟ ରହିଛି। ତେବେ ଚାକିରି ପାଇଁ ପଦ ଓ କର୍ତ୍ତବ୍ୟର ଶପଥ ନେଇଥିବା ଏ ବାବୁବାବୁଆଣୀମାନେ ଥାନା ଭିତରେ କର୍ତ୍ତବ୍ୟରତ ଅବସ୍ଥାରେ ଏ ଯେଉଁ ଠିଆପାଲା କରୁଛନ୍ତି ତାହାକୁ ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଏ ଭିଡିଓ ଜିଲ୍ଲା ପ୍ରଶାସନ ଓ ପୁଲିସ ବିଭାଗର ବରିଷ୍ଠ ଅଧିକାରୀଙ୍କ ଦୃଷ୍ଟିକୁ ମଧ୍ୟ ଆସିଛି। ଏ ନେଇ ଖୁବ୍‌ ଶୀଘ୍ର କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ମିଳିଛି।