Odisha Link
Bridging the Missing Links in Odisha

ପାଣ୍ଡିଆନ୍‌ ଫ୍ୟାନ୍‌ସ‌ କ୍ଲବ୍‌ ନାମରେ ପାଣ୍ଡିଆନ୍‌ଙ୍କୁ ବଦନାମ!

ଦୁଇଦିନ ତଳେ ଏକ ପୋଷ୍ଟରେ ପାଣ୍ଡିଆନ୍‌ଙ୍କ ମହାନତା ଦର୍ଶାଇବା ଆଳରେ ତାଙ୍କୁ ରାଜନୈତିକ ଦଳ ସହ ଯୋଡ଼ାଯିବାର ଉପକ୍ରମ କରାଯିବା ଭଳି ମନେହେଉଛି।

ଭୁବନେଶ୍ବର: କିଛିଦିନ ହେବ ସାମାଜିକ ଗଣମାଧ୍ୟମରେ ଭି କେ ପାଣ୍ଡିଆନ୍‌ ଫ୍ୟାନ୍‌ସ‌ କ୍ଲବ ନାମରେ ଏକ ଗ୍ରୁପ୍‌ କାର୍ଯ୍ୟ କରୁଛି। ୨୦୨୦ ଫେବ୍ରୁଆରୀ ୧ ତାରିଖରୁ ଆରମ୍ଭ ହୋଇଥିବା ଏ ଗ୍ରୁପ୍‌ରେ ଶିବାନୀକାନ୍ତ ଦାଶ ଆଡ୍‌ମିନ୍‌ ଅଛନ୍ତି। ଏହି ଗ୍ରୁପ୍‌ରେ ୩୬ ହଜାର ସଦସ୍ୟ ଅଛନ୍ତି। ଗ୍ରୁପ୍‌ଟି ୫-ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କ ବିଭିନ୍ନ ଜନହିତକର ପଦକ୍ଷେପକୁ ପ୍ରଚାର କରିବା ପାଇଁ ପ୍ରସ୍ତୁତ କରାଯାଇଥିବା ଭଳି ମନେ ହେଉଥିଲେ ହେଁ ବେଳେବେଳେ ଗ୍ରୁପ୍‌ର କାର୍ଯ୍ୟକଳାପ ସନ୍ଦେହଜନକ ଲାଗୁଛି।

ଦୁଇଦିନ ତଳେ ଏକ ପୋଷ୍ଟରେ ପାଣ୍ଡିଆନ୍‌ଙ୍କ ମହାନତା ଦର୍ଶାଇବା ଆଳରେ ତାଙ୍କୁ ରାଜନୈତିକ ଦଳ ସହ ଯୋଡ଼ାଯିବାର ଉପକ୍ରମ କରାଯିବା ଭଳି ମନେହେଉଛି। ଶିବାନୀକାନ୍ତ ଦାଶଙ୍କ ଦ୍ବାରା ରବିବାର ଅପରାହ୍ଣ ୫ଟା ୫୪ରେ କରାଯାଇଥିବା ଏ ପୋଷ୍ଟ୍‌ରେ ସଚିବ ଭିକେ ପାଣ୍ଡିଆନ୍‌ଙ୍କର ଏକ ଫଟୋ ରହିଛି। ଫଟୋ ତଳେ ଉଲ୍ଲେଖ ଅଛି ଯେ ଗାଧୁଆଘରେ ପଡ଼ି ମେରୁହାଡ଼ ଭାଙ୍ଗିଯାଇଥିବା ସୁଲୋଚନା ଦାସ ଅନ୍ୟଦଳରୁ ଆସିଥିଲେ ହେଁ ତାଙ୍କୁ ସହଯୋଗ କରି ପାଣ୍ଡିଆନ୍‌ ସାର୍‌ ମହାନତା ଦେଖାଇଛନ୍ତି। ପାଣ୍ଡିଆନ୍‌ ସାର୍‌ ସ୍ବତନ୍ତ୍ର ବିମାନରେ ଦିଲ୍ଲୀରୁ ଡାକ୍ତର ଡାକି କିମ୍‌ସ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଇଛନ୍ତି ଏବଂ ଏ ମହାନତା ସବୁଦିନ ପାଇଁ ମନେରହିବ ବୋଲି ପୋଷ୍ଟରେ ଉଲ୍ଲେଖ ଅଛି।

ପୋଷ୍ଟରୁ ମନେହେଉଛି ଏହା ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ତଥା କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବା ସୁଲୋଚନା ଦାସଙ୍କୁ ଇଙ୍ଗିତ କରାଯାଇଛି। ତାଙ୍କର ଦୁର୍ଘଟଣା ଘଟି ମେରୁହାଡ଼ ଭାଙ୍ଗିଥିଲା କି ନାହିଁ ତାହା ଭିନ୍ନ କଥା, ତେବେ ଜଣେ ଦକ୍ଷ ସରକାରୀ ଅଧିକାରୀଙ୍କୁ ଏଭଳି ଦଳୀୟ ଢାଞ୍ଚାରେ ଯୋଡ଼ିବା ଉଦ୍ଦେଶ୍ୟ ପ୍ରଣୋଦିତ କି ବୋଲି ସ୍ବତଃ ପ୍ରଶ୍ନଉଠୁଛି।

ଭିକେ ପାଣ୍ଡିଆନ୍‌ ଫ୍ୟାନ୍‌ସ କ୍ଲବ୍‌ର ଏହି ପୋଷ୍ଟ ତଳେ ବହୁ ବ୍ୟକ୍ତି ନକରାତ୍ମକ ମତ ଦେଇଛନ୍ତି। ପାଣ୍ଡିଆନ୍‌ ବାବୁ ସରକାରୀ ଲୋକ ଓ ତାଙ୍କୁ ଦଳ ସହ ଯୋଡ଼ନାହିଁ ବୋଲି କେହି ପରାମର୍ଶ ଦେଇଥିବା ବେଳେ ସଚିବଙ୍କ ଏ ତତ୍ପରତା କେବଳ ଧନୀ ଓ ଦଳୀୟ ପଦାଧିକାରୀଙ୍କପାଇଁ ବୋଲି ଅନ୍ୟ କେତେଜଣ ସମାଲୋଚନା କରିଛନ୍ତି। ରୋଗୀ ମୃତ୍ୟୁଶଯ୍ୟାରେ ନ ଥିବା ବେଳେ ତାଙ୍କ ପାଇଁ ସରକାରୀ ସଚିବ ଚାର୍ଟର୍ଡ ଫ୍ଲାଇଟ୍‌ କାହିଁକି ବ୍ୟବହାର କଲେ ବୋଲି କେହି ପ୍ରଶ୍ନ କରିଛନ୍ତି। ୫-ଟି ସଚିବଙ୍କ ଏଭଳି ତତ୍ପରତା ସାରା ଓଡ଼ିଶା ପାଇଁ ହେଲେ ଭଲହୁଅନ୍ତା ବୋଲି ଆଉ ଜଣେ ମତ ରଖିଛନ୍ତି। ବିଭିନ୍ନ ଗ୍ରାମାଞ୍ଚଳରେ ଅସୁସ୍ଥ ଓ ନିରାଶ୍ରୟ ଅବସ୍ଥାରେ ଚିକିତ୍ସା ପାଇଁ ଅପେକ୍ଷା କରିଥିବାର ଫଟୋ ଓ ଖବର ଛାଡ଼ି ଅନ୍ୟ କେତେଜଣ ବ୍ୟକ୍ତି ପାଣ୍ଡିଆନଙ୍କ ଠାରୁ ସମାନ ସେବା ଦାବି କରି ଏହି ପୋଷ୍ଟ ତଳେ ମନ୍ତବ୍ୟ ରଖିଛନ୍ତି।

ଭି କେ ପାଣ୍ଡିଆନ୍‌ ଫ୍ୟାନ୍‌ସ କ୍ଲବ୍‌ ଫେସ୍‌ବୁକ୍‌ ଦ୍ବାରା ପରୀକ୍ଷିତ (ଭେରିଫାଏଡ୍) ହୋଇନଥିବା ବେଳେ ଏହା ସତରେ ପାଣ୍ଡିଆନଙ୍କ ଜାଣତରେ ହେଉଛି ନା ଏହି ଗ୍ରୁପ୍‌ ପଛରେ ଭିନ୍ନ ଉଦ୍ଦେଶ୍ୟ ରହିଛି ବୁଝାପଡ଼ୁନାହିଁ। ଅନୁରୂପ ଭାବେ ସମାନ ନାମରେ ଫେସବୁକ୍‌ରେ ଏକାଧିକ ଗ୍ରୁପ୍‌ ଥିବାରୁ କେଉଁଟି ସିଦ୍ଧ ଓ କେଉଁଟି ଅସିଦ୍ଧ ଜାଣିବା କାଠିକର।

Leave A Reply

Your email address will not be published.