Odisha Link
Bridging the Missing Links in Odisha

ଟଙ୍କା ପାଇଁ ଝରାଫୁଲକୁ ହତ୍ୟା: ଯାଜପୁର ଏସ୍‌ପି

ଯାଜପୁର: ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲ ହତ୍ୟା ମାମଲା ଉପରୁ ହଟିଲା ପରଦା। ଟଙ୍କା ପାଇଁ ଝରାଫୁଲକୁ ହତ୍ୟା କରାଯାଇଥିଲା। ଝରାଫୁଲଙ୍କୁ ହତ୍ୟା କରିଥିଲା ପୁରୁଷ ବନ୍ଧୁ ରାକେଶ। ୩୦ ହଜାର ଟଙ୍କା ପାଇଁ ଝରାଫୁଲଙ୍କୁ ଶ୍ବାସରୁଦ୍ଧ କରି ହତ୍ୟା କରିଥିଲା ରାକେଶ। ଆଜି ଏନେଇ ସୂଚନା ଦେଇଛନ୍ତି ଯାଜପୁର ଏସ୍‌ପି।

ଯାଜପୁର ଏସପିଙ୍କ ସୂଚନା ମୁତାବକ, ପୁରୁଷ ବନ୍ଧୁ ରାକେଶ ଝରାଫୁଲଙ୍କ ଠାରୁ ୩୦ ହଜାର ଟଙ୍କା ଧାର ନେଇଥିଲେ। ଝରାଫୁଲ ରାକେଶକୁ ସେହି ୩୦ ହଜାର ଟଙ୍କା ମାଗୁଥିଲେ। ତେବେ ବାରମ୍ବାର ଟଙ୍କା ମାଗିବାରୁ ରାକେଶ ଝରାଫୁଲଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ।

ଯୋଜନା ମୁତାବକ ରାକେଶ, ଅମେରଶ ସହାୟତାରେ ଭୁବନେଶ୍ବରରେ ଏକ ଗେଷ୍ଟ ହାଉସ୍ରେ ଏକ ରୁମ୍ ବୁକ୍ କରିଥିଲେ। ପ୍ରଥମେ ଝରାଫୁଲ ସହ ହୋଟେଲରେ ଖାଇଥିଲେ ତାପରେ ଗେଷ୍ଟହାଉସ୍ରେ କିଛି ସମୟ ବିତାଇଥିଲେ। ସେଠାରେ ହିଁ ରାକେଶ ତାଙ୍କୁ ଶ୍ବାସରୁଦ୍ଧ କରି ହତ୍ୟା କରିଥିଲା। ପରେ ଶକ୍ତିଶେଖର ସହାୟତାରେ ମୃତଦେହକୁ ଯାଜପୁରରେ ଫିଙ୍ଗି ଦେଇଥିଲା।

ସୂଚନାଯୋଗ୍ୟ, ଜାନୁଆରୀ ୨୭ ତାରିଖ ସକାଳେ ଝରାଫୁଲଙ୍କ ମୃତଦେହ ଯାଜପୁର କୁଆଖିଆ ନିକଟ ମୂଳାପାଳ ଛକ-ରାଜେନ୍ଦ୍ରପୁର ରାସ୍ତା କଡ଼ରୁ ମିଳିଥିଲା। ଜାନୁଆରୀ ୨୫ ତାରିଖରେ ସେ ଭୁବନେଶ୍ୱରରେ ରହୁଥିବା ଧରମ ବାପା ଚକ୍ରଧରଙ୍କ ଝିଅ ଜନ୍ମଦିନ ପାର୍ଟିରେ ଯୋଗଦେବାକୁ ଗାଁରୁ ଭୁବନେଶ୍ୱର ଆସିଥିଲା। ୨୬ ତାରିଖରେ ପୂର୍ବାହ୍ନ ୧୧ଟା ବେଳେ ଜୟଦେବ ବିହାରରେ ଝରାଫୁଲଙ୍କୁ ଯଶିପୁର ଯାଉଥିବା ଝାଡେଶ୍ୱର ବସ୍‌ରେ ବସାଇଥିଲେ ଚକ୍ରଧର। କିନ୍ତୁ ଅସୁସ୍ଥ ଦର୍ଶାଇ ଝରାଫୁଲ ବାଣୀବିହାର ଛକରେ ଓହ୍ଲାଇ ପଡ଼ିଥିଲେ।

ଝରାଫୁଲ ବସ୍‌ରେ ବସିବାର କିଛି ସମୟ ପରେ ବାପା ରମାକାନ୍ତ ଫୋନ୍‌ କରିଥିଲେ। ଝରାଫୁଲ ଫୋନ୍‌ ରିସିଭ୍‌ କରି ଦେହ ଅସୁସ୍ଥ ଲାଗିବାରୁ ସାଙ୍ଗ ସୋନାଲିଙ୍କ ଘରେ ଅଛି ବୋଲି କହିଥିଲେ। ତା’ପରଠାରୁ ତାଙ୍କ ମୋବାଇଲ୍‌ ବନ୍ଦ ରହିଥିଲା। ୨୭ ତାରିଖ ସକାଳେ ଯାଜପୁର କୁଆଖିଆ ନିକଟ ରାସ୍ତା କଡ଼ରୁ ଝରାଫୁଲଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପୋଷ୍ଟମଟର୍ମ ରିପୋର୍ଟରେ ଶ୍ୱାସରୁଦ୍ଧ ହୋଇ ଝରାଫୁଲ ନାୟକଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିବା ବେଳେ ଅଧିକ ତଦନ୍ତ ପାଇଁ ଝରାଫୁଲଙ୍କ ଭିସେରା ଟେଷ୍ଟ କରାଯାଇଥିଲା।

Leave A Reply

Your email address will not be published.