Odisha Link
Bridging the Missing Links in Odisha

ବିନା ଅନୁମତିରେ ଓଡ଼ିଆରେ ନକଲ

ଆମେ ଏ ନେଇ ମୂଳ ସିନେମା ନିର୍ଦ୍ଦେଶକ ମାଥୁକୁଟ୍ଟି ଜାଭିୟରଙ୍କୁ ଯୋଗାଯୋଗ କରିଥିବା ବେଳେ କନ୍ନଡ଼, ତେଲୁଗୁ ଓ ତାମିଲ ସିନେମା ନିର୍ମାଣ ପାଇଁ ରାଇଟ୍ସ ବିକ୍ରି ହୋଇଥିବା ସେ ସୂଚନା ଦେଇଥିଲେ। ଏହି ତିନୋଟି ଭାଷା ଛଡ଼ା ବାକି ଭାରତୀୟ ଭାଷାରେ ରାଇଟ୍ସ ବୋନି କପୁରଙ୍କ ସଂସ୍ଥାକୁ ଦିଆଯାଇଛି ବୋଲି ସେ ସୂଚନା ଦେଇଥିଲେ।

ଭୁବନେଶ୍ବର: ବିନା ଅନୁମତିରେ ପ୍ରସିଦ୍ଧ ମଲାୟଲମ ଚଳଚ୍ଚିତ୍ର ‘ହେଲେନ୍’ର କାହାଣୀ (ପ୍ରାୟ ଫ୍ରେମ୍‌ ଟୁ ଫ୍ରେମ୍) ଓ ପୋଷ୍ଟର୍‌ ନକଲ କରି କୁଖ୍ୟାତି ଅର୍ଜନ କରିଥିବା ଅଶୋକ ପତିଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ମୋନାଲିସା’ ଆଇନର ଜାଲରେ ଛନ୍ଦି ହୋଇପାରେ। ନକଲ ନେଇ ଜଣାପଡ଼ିବା ପରେ ଏହାର ସ୍ବତ୍ବ (ରାଇଟ୍ସ) ହାତେଇଥିବା ବୋନି କପୁରଙ୍କ ସଂସ୍ଥା ‘ବେଭିୟୁ ପ୍ରୋଜେକ୍ଟସ ଏଲ୍‌ଏଲ୍‌ପି’ ଆଇନର ଆଶ୍ରୟ ନେବାକୁ ଅଣ୍ଟା ଭିଡ଼ିଛି।

ଜି-ସାର୍ଥକ ଫିଲ୍ମସ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର ‘ମୋନାଲିସା’ ଆସନ୍ତା ରବିବାର (୨୫ ଏପ୍ରିଲ)ରେ ମୁକ୍ତିଲାଭ କରୁଥିବା ବେଳେ ନକଲ ସମ୍ପର୍କିତ ଖବର ପ୍ରଥମେ ଓଡ଼ିଶା ଲିଙ୍କରେ ପ୍ରକାଶିତ ହୋଇଥିଲା। ଚଳିତ ବର୍ଷ ଦୁଇଟି ଜାତୀୟ ପୁରସ୍କାର ପାଇଥିବା ମଲାୟଲମ୍‌ ଚଳଚ୍ଚିତ୍ର ହେଲେନ୍‌ (୨୦୧୯)ର ଏହା ନକଲ ବୋଲି ଏହାର ପ୍ରମୋ ଭିଡିଓ ଓ ପୋଷ୍ଟରରୁ ସନ୍ଦେହ ହେବାରୁ ଆମେ ଏ ନେଇ ନିର୍ଦ୍ଦେଶକ ଅଶୋକ ପତିଙ୍କୁ ଯୋଗାଯୋଗ କରିଥିଲୁ। ସେ ରାଇଟ୍ସ କିଣା ବାବଦରେ ଅଜ୍ଞ ଥିବାବେଳେ ପ୍ରଯୋଜକ ଏ ନେଇ ପ୍ରଯୋଜକ ଜାଣିଥିବେ ବୋଲି ସେ କହିଥିଲେ। ଆମେ ପ୍ରଯୋଜକ ଅଜୟ ରାଉତ କିମ୍ବା ଜି-ସାର୍ଥକ ଫିଲ୍ମସର କର୍ମକର୍ତ୍ତାଙ୍କ ସହ ଏ ନେଇ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ବି ବିଫଳ ହୋଇଛୁ।

ଆମେ ଏ ନେଇ ମୂଳ ସିନେମା ନିର୍ଦ୍ଦେଶକ ମାଥୁକୁଟ୍ଟି ଜାଭିୟରଙ୍କୁ ଯୋଗାଯୋଗ କରିଥିବା ବେଳେ କନ୍ନଡ଼, ତେଲୁଗୁ ଓ ତାମିଲ ସିନେମା ନିର୍ମାଣ ପାଇଁ ରାଇଟ୍ସ ବିକ୍ରି ହୋଇଥିବା ସେ ସୂଚନା ଦେଇଥିଲେ। ଏହି ତିନୋଟି ଭାଷା ଛଡ଼ା ବାକି ଭାରତୀୟ ଭାଷାରେ ରାଇଟ୍ସ ବୋନି କପୁରଙ୍କ ସଂସ୍ଥାକୁ ଦିଆଯାଇଛି ବୋଲି ସେ ସୂଚନା ଦେଇଥିଲେ।

କାଳେ ବୋନି କପୁରଙ୍କ ସଂସ୍ଥା ଓଡ଼ିଆ ସିନେମା ପାଇଁ ଅନୁମତି ଦେଇଥିବେ ଏ ନେଇ ଆମେ ତାଙ୍କୁ ଯୋଗାଯୋଗ କରିଥିଲୁ। ଓଡ଼ିଆ ସିନେମା ପାଇଁ କୌଣସି ପ୍ରକାର ରାଇଟ୍ସ ଏଯାବତ୍‌ ଦିଆଯାଇନାହିଁ ବୋଲି ତାଙ୍କ ସଂସ୍ଥା ସ୍ପଷ୍ଟ କରିଛି। ଏ ନେଇ ତାଙ୍କ ସଂସ୍ଥା କୋର୍ଟକୁ ଯାଇପାରେ ବୋଲି ବୋନି କପୁରଙ୍କ ଆଇନ ପରାମର୍ଶଦାତା ପଙ୍କଜ ଖାରବଣ୍ଡା ଓଡ଼ିଶା ଲିଙ୍କକୁ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ବୋନି କପୁରଙ୍କ ସଂସ୍ଥା ପକ୍ଷରୁ ଓଡ଼ିଆ ସିନେମା ‘ମୋନାଲିସା’ର ନିର୍ମାତାଙ୍କୁ ଯୋଗାଯୋଗ କରାଯାଇଛି। ସିନେମା ରାଇଟ୍ସ ନେବା ନେଇ କୌଣସି ସମାଧାନର ପନ୍ଥା ନ ବାହାରିଲେ ବେଭିୟୁ ପ୍ରୋଜେକ୍ଟସ ଏଲ୍‌ଏଲ୍‌ପି ଓଡ଼ିଆ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ବିରୋଧରେ ଆଇନର ଆଶ୍ରୟ ନେଇପାରେ।

କାହାଣୀ ନକଲ, ପୋଷ୍ଟର ବି ନକଲ!

Leave A Reply

Your email address will not be published.