Odisha Link
Bridging the Missing Links in Odisha

ସାମ୍ବାଦିକ ଅମଜାଦ ବାଦଶାହଙ୍କ ଦେହାନ୍ତ

ବିଭିନ୍ନ ଟେଲିଭିଜନ ଚ୍ୟାନେଲରେ କାମ କରିବା ପରେ କିଛିବର୍ଷ ଧରି ସେ ନ୍ୟୁଜ୍‌ଫାଷ୍ଟ୍‌ ଟିଭି ନାମରେ ଏକ ଡିଜିଟାଲ୍‌ ନ୍ୟୁଜ୍‌ ପ୍ଲାଟ୍‌ଫର୍ମ ଆରମ୍ଭ କରିଥିଲେ। ଏହା ଭିନ୍ନ ରାୟପୁରର ଏକ ସାମ୍ବାଦିକତା ଶିକ୍ଷାନୁଷ୍ଠାନରେ ସାମୟିକ ଭାବେ ଅଧ୍ୟାପନା କରୁଥିଲେ ଅମଜାଦ।

ଝାରସୁଗୁଡ଼ା: କରୋନାର କରାଳ ଗ୍ରହଣରେ ବଳିପଡ଼ିଛି ପୁଣି ଜଣେ ସାମ୍ବାଦିକଙ୍କର ଜୀବନ। ବରିଷ୍ଠ ସାମ୍ବାଦିକ ଅମଜାଦ ବାଦଶାହଙ୍କର ଆଜି ପରଲୋକ ହୋଇଯାଇଛି। ଦୁଇ ସପ୍ତାହରୁ ଅଧିକ ସମୟ ଧରି ସେ କୋଭିଡ୍‌ ପଜିଟିଭ୍‌ ଥିଲେ ଓ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଆଜି ପ୍ରାଣ ହରାଇଛନ୍ତି।

ପ୍ରାୟ ୨ ଦଶନ୍ଧି ଧରି ସାମ୍ବାଦିକତା ବୃତ୍ତିରେ ଥିବା ଅମଜାଦ ଢେଙ୍କାନାଳସ୍ଥିତ ଭାରତୀୟ ଜନସଂଚାର ସଂସ୍ଥାନ (ଆଇଆଇଏମ୍‌ସି)ରୁ ସାମ୍ବାଦିକତା ପଢ଼ିଥିଲେ। ବିଭିନ୍ନ ଟେଲିଭିଜନ ଚ୍ୟାନେଲରେ କାମ କରିବା ପରେ କିଛିବର୍ଷ ଧରି ସେ ନ୍ୟୁଜ୍‌ଫାଷ୍ଟ୍‌ ଟିଭି ନାମରେ ଏକ ଡିଜିଟାଲ୍‌ ନ୍ୟୁଜ୍‌ ପ୍ଲାଟ୍‌ଫର୍ମ ଆରମ୍ଭ କରିଥିଲେ। ଏହା ଭିନ୍ନ ରାୟପୁରର ଏକ ସାମ୍ବାଦିକତା ଶିକ୍ଷାନୁଷ୍ଠାନରେ ସାମୟିକ ଭାବେ ଅଧ୍ୟାପନା କରୁଥିଲେ ଅମଜାଦ।

ଅମଜାଦ ଚଳିତ ମାସ ୭ ତାରିଖରେ କରୋନାରେ ପୀଡ଼ିତ ହୋଇଥିଲେ। ପରଦିନ ଅର୍ଥାତ୍‌ ଏପ୍ରିଲ ୮ ତାରିଖରେ ତାଙ୍କୁ ଝାରସୁଗୁଡ଼ା କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ହେବାରୁ ତାଙ୍କୁ ରାଉରକେଲା ସ୍ଥିତ ଜୟପ୍ରକାଶ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ଅପରାହ୍ଣ ୪ଟା ୩୦ରେ ରାଉରକେଲାରେ ତାଙ୍କର ମୃତ୍ୟୁ ହୋଇଛି।

ତାଙ୍କ ବାପା ଗୌନ୍ତିଆ ମହମ୍ମଦ ଜମିଉଲ୍ଲା ଜଣେ ଜଣାଶୁଣା କବି। ଅମଜାଦଙ୍କ ପରିବାର ପୁରୁଷାନୁକ୍ରମିକ ଭାବେ ସ୍ଥାନୀୟ ରଥଯାତ୍ରାରେ ଛେରାପହଁରା କରି ଓଡ଼ିଶାରେ ସାଂପ୍ରଦାୟିକ ସଦ୍‌ଭାବର ଏକ ନିଆରା ଉଦାହରଣ ସୃଷ୍ଟିକରିଛନ୍ତି।

ପିତା, ପତ୍ନୀ, ୪ ବର୍ଷର କନ୍ୟା ଓ ଦୁଇମାସର ଏକ ଶିଶୁପୁତ୍ରକୁ ଛାଡ଼ି ଆଜି ଚିରଦିନ ପାଇଁ ଏ ଧରାରୁ ବିଦାୟ ନେଇଛନ୍ତି ଅମଜାଦ। ତାଙ୍କ ମୃତ୍ୟୁରେ ଓଡ଼ିଶା ସାମ୍ବାଦିକତା ଜଗତରେ ଅପୂରଣୀୟ କ୍ଷତି ହୋଇଛି।

Leave A Reply

Your email address will not be published.