Odisha Link
Bridging the Missing Links in Odisha

ଗଣମାଧ୍ୟମ: ଜନଗଣଙ୍କ ପାଇଁ

ମତବ୍ୟକ୍ତ କରିବାର ଅଧିକାର ଫ୍ରିଡମ୍ ଅଫ୍ ଏକ୍ସପ୍ରେସନ୍ କୁ ସବୁ ଦେଶରେ ଲୋକଙ୍କ ପାଇଁ ସୁନିଶ୍ଚିତ କରାଯାଇପାରିନାହିଁ । ଗଣମାଧ୍ୟମର ଯେତିକି ବିକାଶ ଘଟିଛି, ପ୍ରେସ୍ ଫ୍ରିଡମ୍ ବା ସମ୍ବାଦ ପ୍ରସାରଣର ଯେଉଁସବୁ ସୁଯୋଗ ଆସିଛି, ଏପରିକି ଇଂଟରନେଟ୍ ତଥା ଏବେକାର ସୋସିଆଲ୍ ମିଡିଆର ପ୍ରଚୁର ବିସ୍ତାର ସତ୍ୱେ ଲୋକଙ୍କୁ ଯଥେଷ୍ଟ ସୁଯୋଗ ସୁଲଭ ହୋଇନାହିଁ।

ସବ୍ୟସାଚୀ ଅମିତାଭ

ମେ ୩ ତାରିଖକୁ ସାରା ବିଶ୍ୱରେ ଗଣମାଧ୍ୟମ ସ୍ୱାଧୀନତା ଦିବସ ବା ‘ୱାର୍ଲଡ ପ୍ରେସ୍ ଫ୍ରିଡମ୍ ଡେ’ ଭାବେ ପାଳନ କରାଯାଏ । ୨୫ ବର୍ଷ ତଳେ ଅର୍ଥାତ୍ ୧୯୯୧ ମଇ ମାସ ତିନି ତାରିଖରେ ଆଫ୍ରିକା ମହାଦେଶର ସାମ୍ବାଦିକ ଓ ପତ୍ରପତ୍ରିକା ଏବଂ ଟେଲିଭିଜନ ବ୍ରଡକାଷ୍ଟିଂ ପ୍ରଫେସନାଲମାନେ ଗୋଟିଏ ସମ୍ମିଳନୀରେ ଏକାଠି ହୋଇଥିଲେ । ଗଣମାଧ୍ୟମ ସ୍ୱାଧୀନତା ଉପରେ ଆୟୋଜିତ ଏହି ସମ୍ମିଳନୀ ନାମିବ୍ୟା ରାଜଧାନୀ ଉଇଣ୍ଡ ହକ୍ ସହରରେ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀର ସିଦ୍ଧାନ୍ତକୁ ‘ଉଇଣ୍ଡହକ୍ ଘୋଷଣା’ ବୋଲି କୁହାଯାଇଥାଏ । ଏହି ଘୋଷଣାର ମୂଳତତ୍ୱଟି ହେଲା ‘Promoting independent and Pluralistic media’ ଅର୍ଥାତ୍ ଗଣମାଧ୍ୟମକୁ ସ୍ୱାଧୀନ ଭାବେ ଓ ଦାୟିତ୍ୱବୋଧ ସହ କାମ କରିବାକୁ ପ୍ରୋତ୍ସାହିତ କରିବା । ଗଣମାଧ୍ୟମକୁ ଏକ ନିର୍ଭିକ ଓ ନିରପେକ୍ଷ ସମାଜସେବା କହିଲେ ବି ଭୁଲ୍ ହେବନାହିଁ । ପୃଥିବୀର ବିଭିନ୍ନ ରାଷ୍ଟ୍ରସମୂହ ଦ୍ୱାରା ଉଇଣ୍ଡ ହକ୍ ଘୋଷଣାନାମା ନିୟମିତ ଭାବେ ୩୦ ବର୍ଷ ହେଲା ପାଳନ କରାଯାଉଛି ।

ବର୍ତମାନ ସମୟରେ ଗଣମାଧ୍ୟମରେ ଅଦ୍ଭୁତପୂର୍ବ ପରିବର୍ତନ ଆସିସାରିଛି । ସମୟ ସହ ତାଳ ଦେଇ ନ୍ୟୁଜ୍ ପେପର ଓ ଟିଭି ଚ୍ୟାନେଲ ତଥା ଅନ୍ୟ ବ୍ରଡକାଷ୍ଟ ମାଧ୍ୟମଗୁଡିକର ସଂଖ୍ୟା ବଢିବାରେ ଲାଗିଛି । ସେଇ ତୁଳନାରେ ଖବର ସରବରାହ ସଂସ୍ଥା, ଖବରକାଗଜ, ପତ୍ରପତ୍ରିକା, ରେଡିଓ ଓ ଟିଭି ବ୍ରଡକାଷ୍ଟିଂରେ କାମ କରୁଥିବା ସାମ୍ବାଦିକ ଓ ସଂପାଦକମାନଂକ ସଂଖ୍ୟା ଓ ଯୋଗ୍ୟତା ବଢିଛି । ମୋଟାମୋଟି ଏ ବୃତିରେ ଏବେ ସମସ୍ତେ ପ୍ରଫେସନାଲ ହୋଇସାରିଲେଣି। ତା ଛଡା ଇଂଟରନେଟ୍, ଡିଜିଟାଲ ମିଡିଆ, ସୋସିଆଲ୍ ମିଡିଆ, ଓଟିଟି ପ୍ଲାଟଫର୍ମର ପ୍ରଚାରପ୍ରସାର ମାସ୍ ମିଡିଆ ବା ଗଣମାଧ୍ୟମ ପାଇଁ ଅପୂର୍ବ ସୁଯୋଗ ଆଣିଦେଇଛି ।

ଏହି ସୁଯୋଗ ସୁବିଧାର ସଦୁପଯୋଗ କରି ଗଣତନ୍ତ୍ର ଶାସନକୁ ଆହୁରି ଅଧିକ ସକ୍ରିୟ କରିବାକୁ ଉଦ୍ୟମ ଚାଲିଛି । ମାସ୍ କମୁନିକେଶନ୍ ସୁଯୋଗ ପ୍ରଶସ୍ତ ହେଉଥିବାରୁ ସାଧାରଣ ଲୋକେ ନିଜର ମତ ଜାହିର କରିବାକୁ ସମର୍ଥ ହେଉଛନ୍ତି । ଆରଟିଆଇ ଆଇନ୍ ସକ୍ରିୟ ଭାବେ କାମ କରୁଥିବାରୁ କୌଣସି ତଥ୍ୟ ଓ ସୂଚନାଠାରୁ ଲୋକଙ୍କୁ ଅଲଗା ରଖିବା ବା ଗୋପନ ରଖିବା ଆଉ ସମ୍ଭବପର ନାହିଁ । ଲୋକଙ୍କ ମତାମତର ଗୁରୁତ୍ୱ ରହିଛି ବୋଲି ଏବେ ପ୍ରତ୍ୟେକ ରାଷ୍ଟ୍ରର ସରକାର ବି ଉପଲବ୍ଧ କରିସାରିଲେଣି । ଲୋକଙ୍କ କଥା ନିଶ୍ଚିତ ଶୁଣିବାକୁ ପଡିବ, ସେମାନଂକ ଆପତି-ଅଭିଯୋଗକୁ ଗୁରୁତ୍ୱ ଦେବାକୁ ପଡିବ, ଏ ଚିନ୍ତାଧାରା କେବଳ ଗ୍ରହଣୀୟ ନୁହେଁ ବରଂ ଅଗ୍ରାଧିକାର ପାଇବାରେ ଲାଗିଲାଣି । ଦେଶବାସୀଙ୍କ କୌଣସି କଲ୍ୟାଣପ୍ରଦ ଯୋଜନାରେ ଲୋକଙ୍କ ମତାମତ ଲୋଡାଯାଉଛି । ନିଜର ଜୀବନ ଓ ଦେଶର ଭବିଷ୍ୟତ ଜନମାସନରେ ପ୍ରତିଫଳିତ ହେବାରେ ଲାଗିଛି । ୱାର୍ଲ ପ୍ରେସ୍ ଫ୍ରିଡମ୍ ଡେ ପାଳନ କରିବାର ତାତ୍ପର୍ଯ୍ୟ ହେଲା, ସାଧାରଣ ଲୋକଙ୍କ ମୌଳିକ ଅଧିକାର ‘Right to Information’ ଓ ‘Freedom of Expression’ କୁ ବଳବତର କରିବା ।

ଦୁଃଖର କଥା ହେଲା- ମତବ୍ୟକ୍ତ କରିବାର ଅଧିକାର ଫ୍ରିଡମ୍ ଅଫ୍ ଏକ୍ସପ୍ରେସନ୍ କୁ ସବୁ ଦେଶରେ ଲୋକଙ୍କ ପାଇଁ ସୁନିଶ୍ଚିତ କରାଯାଇପାରିନାହିଁ । ଗଣମାଧ୍ୟମର ଯେତିକି ବିକାଶ ଘଟିଛି, ପ୍ରେସ୍ ଫ୍ରିଡମ୍ ବା ସମ୍ବାଦ ପ୍ରସାରଣର ଯେଉଁସବୁ ସୁଯୋଗ ଆସିଛି, ଏପରିକି ଇଂଟରନେଟ୍ ତଥା ଏବେକାର ସୋସିଆଲ୍ ମିଡିଆର ପ୍ରଚୁର ବିସ୍ତାର ସତ୍ୱେ ଲୋକଙ୍କୁ ଯଥେଷ୍ଟ ସୁଯୋଗ ସୁଲଭ ହୋଇନାହିଁ। ମତପ୍ରକାଶ ସୁଯୋଗ ପାଇବାରେ ଆଜି ବି ବିଶ୍ୱର ଅନେକ ବ୍ୟକ୍ତି ନଗଣ୍ୟ ହୋଇରହିଯାଇଛନ୍ତି । ମତବ୍ୟକ୍ତ କରିବା ସ୍ୱାଧୀନତା ଉପରେ ଅନେକ ରାଜନୈତିକ ତଥା ସାମରିକ କଟକଣା ରହିଛି । ଧର୍ମ ନାମରେ ‘ଫ୍ରିଡମ୍ ଅଫ୍ ଏକ୍ସପ୍ରେସନ୍‌’ କୁ
ସଙ୍କୁଚିତ କରିବା ପାଇଁ ପ୍ରୟାସ କରାଯାଉଛି । ଅପରାଧ ଏବଂ ଦଙ୍ଗା ହଙ୍ଗାମାରେ ଲିପ୍ତ ଅପରାଧପ୍ରବଣ ବ୍ୟକ୍ତିଙ୍କର ସ୍ୱାର୍ଥରେ ବାଧା ଘଟିବା ସମ୍ଭାବନା ଥିଲେ, ସେମାନେ ମଧ୍ୟ ‘ଫ୍ରିଡମ୍ ଅଫ୍ ଏକ୍ସପ୍ରେସନ୍‌’କୁ କଳେ ବଳେ କୌଶଳେ ରୋକି ଦିଅନ୍ତି । ତେବେ ବର୍ତମାନ ସମୟରେ ଫେସବୁକ୍ ଓ ଟ୍ୱିଟର ପରି ଅନେକ ସୋସିଆଲ୍ ମିଡିଆ ଏବେ ବେଶ୍ ସକ୍ରିୟ ହୋଇସାରିଥିବାରୁ ସାଧାରଣ ଲୋକଙ୍କ ପାଖରେ ପ୍ରକୃତ ତଥ୍ୟ ଓ ସତ୍ୟ ଅବିଳମ୍ବେ ପହଂଚିଯାଇପାରୁଛି। ଆଉ ଜନମତ ସୃଷ୍ଟି ହେବା ପାଇଁ ବେଶୀ ସମୟ ବି ଲାଗୁନି।

ଗୋଟିଏ ପଟେ ପ୍ରେସ୍ ଫ୍ରିଡମ୍ କଥା କୁହାଯାଉଥିବା ବେଳେ ଅନ୍ୟ ପକ୍ଷରେ ଅନେକ ସମୟରେ ଖବରକାଗଜ ପୋଡାଯିବା, ଟିଭି ଚ୍ୟାନେଲ ଅଫିସରେ ଭଙ୍ଗାରୁଜା ହେବା, ସାମ୍ବାଦିକଙ୍କ ଉପରେ ଆକ୍ରମଣ ବା ହତ୍ୟା ପରି ଘଟଣା ଗଣମାଧ୍ୟମର ସ୍ୱାଧୀନତା ଉପରେ ବି ପ୍ରଶ୍ନଚିହ୍ନ ସୃଷ୍ଟି କରୁଛି । ଆମ ଦେଶରେ ବି ଏପରି ସଂଖ୍ୟା କିଛି କମ୍ ନୁହଁନ୍ତି। ତଥ୍ୟ ଅନୁସାରେ ୧୯୯୨ରୁ ବର୍ତ୍ତମାନ ଯାଏଁ ଆମ ଦେଶରେ 50 ଜଣ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି । ଯାହା ଗଣତନ୍ତ୍ର ତଥା ପ୍ରେସ୍ ଫ୍ରିଡମ୍ ପାଇଁ ଜମା ଶୁଭଙ୍କର ନୁହେଁ । ତେଣୁ ବିଶ୍ୱ ଗଣମାଧ୍ୟମ ସ୍ୱାଧିନତା ଦିବସ ଅବସରରେ ୟୁ.ଏନ୍‌.ଓ, ୟୁନେସ୍କୋ ତଥା ୟୁ.ଏନ୍‌.ଏଚ୍‌.ଆର୍‌.ସି (ୟୁ.ଏନ୍ ହାଇକମିଶନର ଫର୍ ହ୍ୟୁମାନ ରାଇଟ୍ସ) ତରଫରୁ ଯେଉଁ ସବୁ ସନ୍ଦେଶ ପ୍ରକାଶିତ ହୋଇଛି ତାର ମୋଟାମୋଟି ନିର୍ଯ୍ୟାସ ହେଲା- ‘Free, independent and pluralistic media have an indispensable role to play in rooting out racism and xenophobia’ ବର୍ତମାନ ସମୟରେ ମିଡିଆ ପ୍ରଫେସନାଲମାନଙ୍କର ସମାଜ ପ୍ରତି ଗୁରୁଦାୟିତ୍ୱ ରହିଛି । ଜନସାଧାରଣଙ୍କୁ ତଥ୍ୟ ଯୋଗାଇ ଜ୍ଞାନୀ କରାଉଛନ୍ତି, ରାଜନୈତିକ, ଅର୍ଥନୈତିକ, ସାମାଜିକ, ସାମରିକ ସମସ୍ୟାଗୁଡିକର ପୃଷ୍ଠଭୂମି ବାବଦରେ ଅବଗତ କରାଇବା ସହ ଲୋକେ କିପରି ପରସ୍ପର ସହ ଶାନ୍ତି ଓ ସଦ୍‌ଭାବ ବୃଦ୍ଧି କରି ଚଳିବେ, ତାହା ମଧ୍ୟ ମିଡିଆ ପ୍ରଫେସନାଲ୍ ମାନେ କରୁଛନ୍ତି । ସେଥିପାଇଁ ନିସନ୍ଦେହରେ କୁହାଯାଇପାରେ ‘Media professionals have a vital role in educating the public and fostering peace and mutual respect among people.’ ପ୍ରକୃତରେ କହିବାକୁ ଗଲେ ପ୍ରେସ୍ ଦିବସର ବାସ୍ତବ ନିର୍ଯାସ ହେଲା ‘Free Flow of Ideas’. ଏହା ସମ୍ଭବ ହୋଇପାରିଲେ ବିଶ୍ୱବାସୀ ଉପକୃତ
ହେବେ ।

ସେହିପରି ଚଳିତ ବର୍ଷ ‘ୱାର୍ଲଡ ପ୍ରେସ୍ ଫ୍ରିଡମ୍ ଡେ’ର ଥିମ୍ ରଖାଯାଇଛି- “Information as a Public Good.” ଅର୍ଥାତ୍ ସମାଗ୍ରିକ ଭାବେ ଦେଖିବାକୁ ଗଲେ ସୂଚନା ଆଦାନପ୍ରଦାନକୁ କିପରି ସାଧାରଣ ଲୋକଂକ କାମରେ ଲଗାଯାଇପାରିବ ତାହା ହିଁ ଏଥରର ମୂଳବିନ୍ଦୁ। ମୋଟାମୋଟି ବର୍ତ୍ତମାନର କରୋନା ପରିସ୍ଥିତିରେ ସୂଚନା ଆଦାନପ୍ରଦାନରେ ଗଣମାଧ୍ୟମର ଭୂମିକା ସାରା ବିଶ୍ବ ଦେଖୁଛି। ଲୋକଂକୁ ଏହି ଭୟଙ୍କର ବିପତ୍ତି ସମୟରେ ଗଣମାଧ୍ୟମ ସଚେତନ କରୁଛି, ସୂଚନା ଦେଉଛି ଓ ଲୋକଂକ ସେବାରେ ଲାଗିଛି। କୋଭିଡ୍ ସଂକ୍ରମିତ ହେବାର ଆଶଂକା ଥିବା ସତ୍ତ୍ବେ ଏପରିକି ଅନେକ କୋଭିଡରେ ସଂକ୍ରମିତ ହୋଇ ପ୍ରାଣ ହରାଇସାରିଥିଲେ ବି, ନିଜ ଜୀବନକୁ ବାଜି ଲଗାଇ ସାମ୍ବାଦିକ ଭାଇଭଉଣୀମାନେ ନିଜ ଦାୟିତ୍ବ ବା କର୍ତ୍ତବ୍ୟରୁ ହଟିନାହାଁନ୍ତି। ସରକାର କୋଭିଡ୍ ବିରୋଧୀ ଯୁଦ୍ଧରେ ସାମ୍ବାଦିକଂକୁ ଖାଲି ମୁହଁରେ ସମ୍ମୁଖ ଯୋଦ୍ଧା କହିଥିଲେ ବି ସେମାନଙ୍କୁ ଆନୁସଙ୍ଗିକ ସୁବିଧାସୁଯୋଗ ଦେଇନି ବା ପଦକ୍ଷେପ କରିନି। ତା ସତ୍ବେ ବି ବର୍ତ୍ତମାନର ମହାମାରୀ ସମୟରେ ସାମ୍ବାଦିକ ଓ ଗଣମାଧ୍ୟମ ଯେପରି ଅବିରତ କାମ କରିଚାଲିଛନ୍ତି, ଲୋକଂକୁ ଅହରହ ତଥ୍ୟସୂଚନା ଓ ସଚେତନତା ବାଣ୍ଟି ଚାଲିଛନ୍ତି, ସେଥିପାଇଁ ସେମାନଙ୍କୁ ସାଲ୍ୟୁଟ୍।

‘ୱାର୍ଲଡ ପ୍ରେସ୍ ଫ୍ରିଡମ୍ ଡେ’ ପାଳନ ଅବସରରେ ଗଣମାଧ୍ୟମ ସାମ୍ବାଦିକ ଓ ସଂପାଦକମାନଙ୍କ ଗୁରୁଦାୟିତ୍ୱକୁ ଜୋର୍ ଦିଆଯାଇ କୁହାଯାଇଛି, ‘Journalists to adhere to the highest standards of their profession, to refuse to lend their skills to hate mongering and always upholds the principle of impartiality’. ସାମ୍ବାଦିକତା ଖୁବ୍ ଉଚ୍ଚସ୍ତରର ହେଉ, ସାମ୍ବାଦିକମାନେ ନିରପେକ୍ଷ ସମ୍ବାଦ ପରିବେଷଣ କରି ଦେଶ ତଥା ରାଜ୍ୟର ଉନ୍ନତିରେ ସହାୟକ ହୁଅନ୍ତୁ ।

ଲେଖକ ସୋସିଆଲ ମିଡିଆରେ ଜଣେ ବିଶେଷଜ୍ଞ, ଅଧୁନା ବାଙ୍ଗାଲୋର ରେ ଅବସ୍ଥାପିତ, ମୋବାଇଲ୍‌-୯୪୩୮୨୯୬୫୧୯
Leave A Reply

Your email address will not be published.