Odisha Link
Bridging the Missing Links in Odisha

ସରକାରଙ୍କ ବଡ଼ ଘୋଷଣା!

ଭୁବନେଶ୍ବରରେ ୪ ଦିନଯାଏଁ ଟିକାକରଣ ହେଉଥିବା ବେଳେ ରାଜ୍ୟର ଅନ୍ୟ ଅଞ୍ଚଳରେ ସାମ୍ବାଦିକମାନେ କିଭଳି ଅଗ୍ରାଧିକାର ଭିତ୍ତିରେ ଟିକା ପାଇପାରିବେ ସେ ନେଇ ସରକାରଙ୍କ ପାଖରେ କୌଣସି ଯୋଜନା ନାହିଁ। ସର୍ବସାଧାରଣ ଟିକା ପାଇଁ ଗତ ସପ୍ତାହରୁ ଦେଶବ୍ୟାପୀ ପଞ୍ଜିକରଣ ଚାଲିଥିବା ବେଳେ ସାମ୍ବାଦିକଙ୍କୁ କୋଭିଡ୍‌ ଯୋଦ୍ଧା ଘୋଷଣା କରି ସରକାର କି ଅଧିକ ସୁବିଧା ଦେଲେ ବୋଲି ରାଜ୍ୟର ସାମ୍ବାଦିକ ମହଲରେ ପ୍ରଶ୍ନ ଉଠିଛି। 

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଅନ୍ତର୍ଗତ ଯେଉଁମାନେ ପଞ୍ଜିକୃତ ହୋଇନାହାନ୍ତି ସେମାନେ ସାମ୍ବାଦିକ ଭାବରେ ଗଣା ନୁହନ୍ତି। ପରୋକ୍ଷରେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଏଭଳି ଜଣାଇଛନ୍ତି। ଗତବର୍ଷ ପରି ଏ ବର୍ଷ ସାମ୍ବାଦିକମାନଙ୍କୁ ମୁଖ୍ୟମନ୍ତ୍ରୀ କୋଭିଡ୍‌ ଯୋଦ୍ଧା ଭାବେ ଘୋଷଣା କରିଛନ୍ତି। କିନ୍ତୁ ପ୍ରଶାସନିକ ସ୍ତରରେ ଅବହେଳା କାରଣରୁ ସାମ୍ବାଦିକମାନଙ୍କୁ ଏହାର ସୁଫଳ ମିଳୁନାହିଁ। ସୂଚନା ଓ ଲୋକସମ୍ପର୍କ ବିଭାଗର ଅଦୂରଦର୍ଶୀତା ଓ ସାମ୍ବାଦିକଙ୍କ ପ୍ରତି ବୈମାତୃକ ମନଭାବ କାରଣରୁ ସରକାର ଏ ଲାଗି ନିନ୍ଦା ମୁଣ୍ଡାଉଛନ୍ତି।

ଗତ ବର୍ଷ କୋଭିଡ୍‌ ପ୍ରଥମ ତରଙ୍ଗ ଆସିବା ବେଳେ ରାଜ୍ୟ ସରକାର ଅତି ତତ୍ପରତାର ସହ ସାମ୍ବାଦିକଙ୍କୁ କୋଭିଡ୍‌ ଯୋଦ୍ଧା ଘୋଷଣା କରିଥିଲେ। କରୋନା ଆକ୍ରାନ୍ତ ହୋଇ କୌଣସି ସାମ୍ବାଦିକ ମୃତ୍ୟୁବରଣ କଲେ, ସେମାନଙ୍କ ପରିବାର ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ପାଇବେ ବୋଲି ସରକାର ଘୋଷଣା କରିଥିଲେ। ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ସାମ୍ବାଦିକଙ୍କୁ କୋଭିଡ୍‌ ଯୋଦ୍ଧା ଘୋଷଣା କରିଥିବା ବେଳେ କ’ଣ ଅତିରିକ୍ତ ସୁବିଧା ମିଳିବ ସେ ନେଇ କିଛି କହିନଥିଲେ। ତେବେ ଏବେ ଟିକାକରଣ ଚାଲୁଥିବାରୁ ସାମ୍ବାଦିକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବ ବୋଲି ଆଶା କରାଯାଉଥିଲା।

ଅସଲରେ ଦେଖିଲେ ମୃତ ସମସ୍ତ ସାମ୍ବାଦିକ ୧୫ ଲକ୍ଷ ଟଙ୍କା ପାଉନାହାନ୍ତି। ଗତବର୍ଷ ୪୦ ସରିକି ସାମ୍ବାଦିକ କୋଭିଡ୍‌ରେ ପ୍ରାଣ ହରାଇଥିବା ବେଳେ ଏ ବର୍ଷ ୧୬ରୁ ଅଧିକ ସାମ୍ବାଦିକଙ୍କର ଦେହାନ୍ତ ହେଲାଣି। ତେବେ ଏମାନଙ୍କ ମଧ୍ୟରୁ ହାତଗଣତି ଜଣେ ଦିଜଣକୁ ଛାଡ଼ି ଅନ୍ୟ ସମସ୍ତେ ସରକାରୀ ସୁବିଧାରୁ ବଞ୍ଚିତ ଅଛନ୍ତି।

ଅନୁରୂପ ଭାବେ ଟିକାକରଣରେ ମଧ୍ୟ ପାତରଅନ୍ତର ଆରମ୍ଭ କରିଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ବରରେ ଗତକାଲି (ମେ ୩) ଠାରୁ ସାମ୍ବାଦିକଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଥିଲା। କେଉଁ ସାମ୍ବାଦିକଙ୍କୁ ଟିକା ଦିଆଯିବ ସେ ନେଇ ତାଲିକା କରିବାକୁ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଦାୟିତ୍ବ ଦିଆଯାଇଛି ବୋଲି ଗତକାଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ‘ଓଡ଼ିଶା ଲିଙ୍କ’କୁ କହିଥିଲେ। ଟିକାକରଣରେ ତତ୍କାଳ ପଞ୍ଜିକରଣ କରାଯିବ ଏବଂ ସାମ୍ବାଦିକମାନେ ନିଜର ଆଧାର କାର୍ଡ ଓ କାର୍ଯ୍ୟାଳୟ ପକ୍ଷରୁ ପ୍ରଦତ୍ତ ପରିଚୟପତ୍ର ଆଣି କଟକ ରୋଡ୍‌ ସ୍ଥିତ ଯାତ୍ରୀନିବାସରେ ପହଞ୍ଚିବାକୁ ବିଭିନ୍ନ ହ୍ବାଟ୍ସଆପ୍‌ ଗ୍ରୁପ୍‌ ମାଧ୍ୟମରେ ଗୋଟିଏ ଦିନ ଆଗରୁ ସାମ୍ବାଦିକମାନଙ୍କୁ ଓ ଗଣମାଧ୍ୟମ ସଂସ୍ଥାମାନଙ୍କୁ ସୂଚନା ଦିଆଯାଇଥିଲା। ପ୍ରଥମ ଦିନରେ ଗତକାଲି ପ୍ରାୟ ୩୦୦ ସାମ୍ବାଦିକ ସେଠାରେ ପଞ୍ଜିକରଣ ପାଇଁ ଧାଡ଼ିରେ ଠିଆ ହୋଇଥିଲେ। ପ୍ରାୟ ୫୦ ଜଣଙ୍କର ପଞ୍ଜିକରଣ ନେଇ ଆଉ ନିଆଯିବ ନାହିଁ ବୋଲି ଦାୟିତ୍ବରେ ଥିବା କର୍ମଚାରୀ ଘୋଷଣା କରିଥିଲେ। ବିଏମ୍‌ସିରୁ ଏକ ତାଲିକା ଆସିଛି ଓ ସେହି ତାଲିକାରେ ଥିବା ବ୍ୟକ୍ତିଙ୍କୁ ହିଁ କେବଳ ଟିକା ଦିଆଯିବ ବୋଲି ସେମାନେ କହିଥିଲେ। ପ୍ରଥମ ଦିନ ତାଲିକାରେ ଥିବା ପ୍ରାୟ ୧୪୬ ଜଣଙ୍କୁ ଏହିପରି ମୋଟ ପ୍ରାୟ ୨୦୦ ସାମ୍ବାଦିକଙ୍କୁ ଟିକା ଦିଆଯାଇଥିଲା। କେଉଁ ଆଧାରରେ ତାଲିକା ପ୍ରସ୍ତୁତ ହୋଇଛି ତାହାର କିଛି ସନ୍ତୋଷଜନକ ଉତ୍ତର ଉପସ୍ଥିତ ଅଧିକାରୀ ଦେଇପାରି ନଥିଲେ। ଯେଉଁମାନେ ନିଜ ନାମ ତାଲିକାଭୁକ୍ତ କରିବାକୁ ଚାହୁଁଛନ୍ତି ବିଏମ୍‌ସିକୁ ଯୋଗାଯୋଗ କରନ୍ତୁ ବୋଲି ସେମାନେ କହିଥିଲେ ଓ ଏଥିପାଇଁ ଏକ ହ୍ବାଟ୍ସଆପ୍‌ ନମ୍ବର ମଧ୍ୟ ଦେଇଥିଲେ।

ଗତକାଲି ସଂଧ୍ୟାରେ ସରକାର ପୁଣି ନିଜର ନୀତି ବଦଳାଇଛନ୍ତି। ଏ ବାବଦରେ ଅଜ୍ଞ ଥିବା କିଛି ସାମ୍ବାଦିକ ଯେଉଁମାନେ ପ୍ରଥମ ଦିନ ଆସି ଟିକା ପାଇବାରୁ ବଞ୍ଚିତ ହୋଇଥିଲେ ଆଜି ସକାଳୁ ପୁଣି ସେଠାରେ ଧାଡ଼ି ଲଗାଇଥିଲେ। ତେବେ ସୂଚନା ଓ ଲୋକସମ୍ପର୍କ ବିଭାଗ ଗତକାଲି ନେଇଥିବା ନିଷ୍ପତ୍ତି ଅନୁସାରେ ଆଜିଠାରୁ ଆଉ ତିନିଦିନ ଯାଏଁ ଟିକା ଦିଆଯିବ ଓ ଯେଉଁମାନଙ୍କର ନାମ ଗୋପବନ୍ଧୁ ସ୍ବାସ୍ଥ୍ୟବୀମା ଅଧୀନରେ ପଞ୍ଜୀକୃତ ହୋଇଛି କେବଳ ସେଇମାନେ ହିଁ ଟିକା ନେଇପାରିବେ। ୟୁନିଟ୍‌ ୬ ବାଳିକା ଉଚ୍ଚବିଦ୍ୟାଳୟ ଠାରେ ଏହି ଟିକା ଦିଆଯିବ। ଯେଉଁମାନେ ବୀମାଭୁକ୍ତ ସେମାନେ ନିଜର ବୀମା କାର୍ଡ ସହ ଆଧାର କାର୍ଡ ଆଣି ଆସିଲେ ଟିକା ପାଇପାରିବେ। ଅନ୍ୟ ସାମ୍ବାଦିକମାନେ ଏ ଟିକାକରଣର ଫାଇଦା ନେଇପାରିବେନାହିଁ।

ଯେଉଁ ସାମ୍ବାଦିକମାନେ ବୀମାଭୁକ୍ତ ହୋଇନାହାନ୍ତି ସେମାନାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍‌ ଯୋଦ୍ଧା ଘୋଷଣାରେ କୌଣସି ସୁବିଧା ମିଳିବନାହିଁ ବୋଲି ପ୍ରକାରାନ୍ତରେ ସ୍ପଷ୍ଟ କରିଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ। ରାଜ୍ୟରେ ୧୪ ମାସ ଧରି କୋଭିଡ୍‌ କଟକଣା ଉଣାଅଧିକେ ଜାରି ରହିଥିବା ବେଳେ ଏ ସମୟରେ ସାମ୍ବାଦିକମାନେ କିଭଳି ବୀମାଭୁକ୍ତ ହେବେ ବା ସେମାନଙ୍କୁ କିଭଳି ଚିହ୍ନଟ କରାଯିବ ସେ ନେଇ ଆଦୌ ତତ୍ପର ନଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ କିଛି ରାଜନୈତିକ ବ୍ୟକ୍ତିଙ୍କ ଇସାରାରେ ଉଠବସ ହେଉଥିବା ଚର୍ଚ୍ଚା ହେଉଛି। ପ୍ରଥମେ ଲୁଚାଛପାରେ ଦୁଇଟି ଟିଭି ଚ୍ୟାନେଲର ସାମ୍ବାଦିକଙ୍କୁ ଟିକା ଦେଇ ସରକାର ସମାଲୋଚନାର ଶିକାର ହେବା ପରେ ତରବରରେ ମୁଖ୍ୟମନ୍ତ୍ରୀ ସାମ୍ବାଦିକଙ୍କୁ ପୁଣି କୋଭିଡ୍‌ ଯୋଦ୍ଧା ଘୋଷଣା କରିଥିଲେ।

ସାମ୍ବାଦିକଙ୍କୁ ଟିକାଦେବାରେ ପାତରଅନ୍ତର ନେଇ ବିସ୍ଫୋରକ ପରିସ୍ଥିତି ଉପୁଜିବା ଆଗରୁ ତରବରିଆ ଭାବରେ କେବଳ ଭୁବନେଶ୍ବରରେ ସରକାର ଟିକାକରଣ ଆରମ୍ଭ କରିଛନ୍ତି। କୋଭିଡ୍‌ ବେଳେ ସାମ୍ବାଦିକମାନେ କିଭଳି ବୀମାଭୁକ୍ତ ହେବେ, ପୂର୍ବରୁ ବୀମାଭୁକ୍ତ ହୋଇ ଏବେ ତାଲିକାରୁ ବାଦ ପଡ଼ିଥିବା ସାମ୍ବାଦିକ କିଭଳି ନିଜ ନାମକୁ ପୁନଃ ପଞ୍ଜିକରଣ କରିପାରିବେ ସେ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପାଖରେ କୌଣସି ଆଗ୍ରହ ନାହିଁ।

ଅନ୍ୟପଟେ କେବଳ ଭୁବନେଶ୍ବରରେ ୪ ଦିନଯାଏଁ ଟିକାକରଣ ହେଉଥିବା ବେଳେ ରାଜ୍ୟର ଅନ୍ୟ ଅଞ୍ଚଳରେ ସାମ୍ବାଦିକମାନେ କିଭଳି ଅଗ୍ରାଧିକାର ଭିତ୍ତିରେ ଟିକା ପାଇପାରିବେ ସେ ନେଇ ସରକାରଙ୍କ ପାଖରେ କୌଣସି ଯୋଜନା ନାହିଁ। ସର୍ବସାଧାରଣ ଟିକା ପାଇଁ ଗତ ସପ୍ତାହରୁ ଦେଶବ୍ୟାପୀ ପଞ୍ଜିକରଣ ଚାଲିଥିବା ବେଳେ ସାମ୍ବାଦିକଙ୍କୁ କୋଭିଡ୍‌ ଯୋଦ୍ଧା ଘୋଷଣା କରି ସରକାର କି ଅଧିକ ସୁବିଧା ଦେଲେ ବୋଲି ରାଜ୍ୟର ସାମ୍ବାଦିକ ମହଲରେ ପ୍ରଶ୍ନ ଉଠିଛି।

Leave A Reply

Your email address will not be published.