Odisha Link
Bridging the Missing Links in Odisha

‘ଅନ୍ତର୍ଜାତୀୟ’ ଶବ୍ଦକୁ ନେଇ ମତପାର୍ଥକ୍ୟ

ଅନ୍ତର୍ଜାତୀୟ ସ୍ତରରେ ନ ହେଲା ନାହିଁ, ସରକାର ଏହାକୁ ଏକ ଜାତୀୟ ସ୍ତରର ପୁରସ୍କାର ମଧ୍ୟ କରିପାରନ୍ତେ। ଦେଶରେ ଏବେ ଦୁଇ ପ୍ରମୁଖ ସାହିତ୍ୟ ସମ୍ମାନ 'ସରସ୍ବତୀ ସମ୍ମାନ' ଓ 'ଜ୍ଞାନପୀଠ ପୁରସ୍କାର' ସହ ପୁରସ୍କାର ରାଶି ଯଥାକ୍ରମେ ୧୫ ଲକ୍ଷ ଟଙ୍କା ଓ ୧୧ ଲକ୍ଷ ଟଙ୍କା ଦିଆଯାଉଛି। ସେଇ ହିସାବରେ ଦେଖିଲେ ସମ୍ଭବତଃ ମନୋଜ ଦାସଙ୍କ ନାମରେ ନାମିତ ଏ ପୁରସ୍କାର ଦେଶରେ ତୃତୀୟ ସର୍ବୋଚ୍ଚ ସାହିତ୍ୟ ସମ୍ମାନ ହୋଇପାରନ୍ତା।

ଭୁବନେଶ୍ବର: ବିଶ୍ବପ୍ରସିଦ୍ଧ ଓଡ଼ିଆ ଲେଖକ ମନୋଜ ଦାସଙ୍କ ମୃତ୍ୟୁ ପରେ ତାଙ୍କ ସ୍ମୃତିକୁ ଅଧିକ ସ୍ମରଣୀୟ କରିବା ପାଇଁ ରାଜ୍ୟର ମନୋଜପ୍ରେମୀମାନେ ସରକାରଙ୍କୁ ନାନାଦି ପରାମର୍ଶ ଦେଇଥିଲେ। ଶ୍ରୀ ଦାସଙ୍କ ମୃତ୍ୟୁର ମାତ୍ର ସପ୍ତାହେ ପରେ ତରବରିଆ ଭାବରେ ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଲେ, ତାହା ସବୁ ମହଲରେ ପ୍ରଶଂସିତ ହେଲା ସତ। ତେବେ ମନୋଜ ଦାସଙ୍କ ନାମରେ ସରକାର ଯେଉଁ ପୁରସ୍କାର ଘୋଷଣା କଲେ ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଭିନ୍ନ ମତ ପ୍ରକାଶ ପାଇଛି। ଏହାକୁ କିଏ ସ୍ବାଗତ କରିଛନ୍ତି ତ ଆଉ କିଏ ସମାଲୋଚନା କରିଛନ୍ତି। କେବଳ ଅନ୍ତର୍ଜାତୀୟ ଶବ୍ଦ ଲଗାଇଦେଇ କୌଣସି ପୁରସ୍କାରକୁ ଅନ୍ତର୍ଜାତୀୟ କରିହୁଏନାହିଁ ବୋଲି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ମନୋଜ ଦାସଙ୍କ ପରି ଜଣେ ପ୍ରସିଦ୍ଧ ଓ ବହୁପଠିତ ଦ୍ବିଭାଷୀ ଲେଖକଙ୍କ ନାମରେ ଦେଉଥିବା ପୁରସ୍କାରର ରୂପରେଖ ବାବଦରେ ସରକାର ପୁନର୍ବିଚାର କରିବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଛି।

ମନୋଜ ଦାସଙ୍କ ନାମରେ ରାଜ୍ୟ ସରକାର ଏକ ଅନ୍ତର୍ଜାତୀୟ ପୁରସ୍କାର ଦେବେ ବୋଲି ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏଥିପାଇଁ ପୁରସ୍କାର ରାଶି ୧୦ ଲକ୍ଷ ଟଙ୍କା ରହିଛି। ଏ ପୁରସ୍କାର ଓଡ଼ିଶାରେ ଦିଆଯିବ, ଓଡ଼ିଆ ଲୋକଙ୍କୁ ଦିଆଯିବ। କେବଳ ଫରକ ଏତିକି ଓଡ଼ିଶାରେ ଯେଉଁ ଲେଖକ ଇଂରାଜୀ ଭାଷାରେ ଲେଖୁଛନ୍ତି ସେମାନଙ୍କୁ ଏ ପୁରସ୍କାର ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଖ୍ୟାତିସମ୍ପନ୍ନ କଥାଶିଳ୍ପୀ ପଦ୍ମଶ୍ରୀ ପ୍ରତିଭା ରାୟ ସରକାରଙ୍କ ଏ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ଡ. ରାୟ କହିଛନ୍ତି,

ଏ ପୁରସ୍କାର ଅଭିନନ୍ଦନୀୟ। ମୁଁ ଏଭଳି ଘୋଷଣାକୁ ସ୍ବାଗତ କରୁଛି। ପୁରସ୍କାରର ସମ୍ପୂର୍ଣ୍ଣ ରୂପରେଖ ବାବଦରେ ମୁଁ ଜାଣିନାହିଁ। ଏ ପୁରସ୍କାର ବାବଦରେ ଗତକାଲି ଟିଭିରୁ ଯାହା ଜାଣିଲି। ହୁଏତ ଓଡ଼ିଶା ବାହାରେ ରହୁଥିବା ଓଡ଼ିଆ ଲେଖକଙ୍କୁ ଏ ପୁରସ୍କାର ଦିଆଯାଇପାରେ ବା ସରକାର ଏ ନେଇ ନିର୍ଦ୍ଦିଷ୍ଟ ରୂପରେଖ ପରେ ପ୍ରକାଶ କରିପାରନ୍ତି।

ପ୍ରସିଦ୍ଧ କବି ଓ ଗବେଷକ ଜଗନ୍ନାଥ ପ୍ରସାଦ ଦାସ ସରକାରଙ୍କର ଏ ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି। ସେ କହିଛନ୍ତି,

ଇଂରାଜୀରେ ଲେଖୁଥିବା ଓଡ଼ିଆ ଲେଖକଙ୍କୁ ପୁରସ୍କାର ଦିଆଯିବାର ନିଷ୍ପତ୍ତି ଏକ ଓଡ଼ିଆ ଭାଷା ବିରୋଧୀ ପଦକ୍ଷେପ। ଓଡ଼ିଶାର ଟଙ୍କା ଓଡ଼ିଆ ଭାଷା ପାଇଁ ବ୍ୟୟ ହେଉ।

ବରିଷ୍ଠ କବି ଓ ଚିନ୍ତକ ହରପ୍ରସାଦ ଦାସ କହିଛନ୍ତି,

ଜଣେ ଓଡ଼ିଆ ସାହିତ୍ୟିକଙ୍କ ନାମରେ ଏକ ଅନ୍ତର୍ଜାତୀୟ ପୁରସ୍କାର ପ୍ରତିଷ୍ଠିତ ହେବା ସବୁ ଓଡ଼ିଆଙ୍କ ପାଇଁ ଆନନ୍ଦ ଓ ଗୌରବର ବିଷୟ। କହିବାରେ ଦ୍ବିଧା ନାହିଁ ଯେ ବିଜ୍ଞାନକୁ ଲୋକପ୍ରିୟ କରିବା ପାଇଁ ବିଜୁ ପଟ୍ଟନାୟକଙ୍କ ଦ୍ବାରା ପ୍ରତିଷ୍ଠିତ କଳିଙ୍ଗ ପୁରସ୍କାର ପ୍ରକୃତରେ ଆନ୍ତର୍ଜାତିକ ସ୍ତରରେ ଓଡ଼ିଆଙ୍କ ସାମୁହିକ ପରିଚିତି ସ୍ଥାପିତ କରିଛି। ଏପର୍ଯ୍ୟନ୍ତ କୌଣସି ବି ସରକାର କୌଣସି ଲେଖକଙ୍କ ନାମରେ ଆନ୍ତର୍ଜାତିକ ପୁରସ୍କାର ଆଉ କୌଣସି ଭାଷାରେ କଳ୍ପନା କରିନାହାନ୍ତି। ଏ ଉନ୍ନତ କଳ୍ପନା ପାଇଁ ମଧ୍ୟ ସରକାର ଧନ୍ୟବାଦର ପାତ୍ର। କିନ୍ତୁ ଆନ୍ତର୍ଜାତିକ ପୁରସ୍କାରକୁ କେବଳ ଓଡ଼ିଆଙ୍କ ଭିତରେ ସୀମିତ କରିଦେଲେ ଏ ପୁରସ୍କାରର ଆନ୍ତର୍ଜାତିକ ପ୍ରତିଷ୍ଠା ଦୁର୍ବଳ ହୋଇଯିବ ବୋଲି ମୁଁ ବିଚାରକରେ। ଏ ପୁରସ୍କାର ଦେଇ ଓଡ଼ିଆଙ୍କୁ ଇଂରାଜୀରେ ଲେଖି ଆନ୍ତର୍ଜାତିକ ଖ୍ୟାତି ପ୍ରାପ୍ତି ପାଇଁ ଉତ୍ସାହିତ କରିବା ବା ସଂକଳ୍ପବଦ୍ଧ କରିବା ସରକାରଙ୍କର ଉଦ୍ଦେଶ୍ୟ। କିନ୍ତୁ ପ୍ରକୃତରେ ଓଡ଼ିଶାର ଲୋକ ଆନ୍ତର୍ଜାତିକ ସ୍ତରର ଇଂରାଜୀ ଲିଖନ କରୁଥିବାର ଦୃଷ୍ଟାନ୍ତ ଓଡ଼ିଆ ଡାୟାସ୍ପୋରାରେ ମଧ୍ୟ ଲକ୍ଷଣୀୟ ନୁହେଁ। ତେଣୁ ଏ ପୁରସ୍କାରକୁ ସମଗ୍ର ବିଶ୍ବ ପାଇଁ ଖୋଲିଦିଆଯାଉ।

ପ୍ରସିଦ୍ଧ କଥାକାର ଓ ସ୍ତମ୍ଭକାର ଗୌରହରି ଦାସ କହିଛନ୍ତି,

ଏହି ପୁରସ୍କାର ସର୍ବଭାରତୀୟ ସ୍ତରରେ ଦିଆଯିବାର ବ୍ୟବସ୍ଥା ହେଉ। ମନୋନୟନ ପରିଧିକୁ ସଂକୀର୍ଣ୍ଣ କରାନଯାଉ। ଜ୍ଞାନପୀଠ ଓ ସରସ୍ବତୀ ପରି ଏଥିରେ ଇଂରାଜୀ ସମେତ ସବୁ ଭାରତୀୟ ଭାଷାକୁ ଅନ୍ତର୍ଭୁକ୍ତ କରାଗଲେ ଓଡ଼ିଶା ମନୋଜ ଦାସଙ୍କୁ ରାଜ୍ୟ ବାହାରକୁ ନେଇପାରିବ ଓ ଜାତୀୟ ସ୍ତରରେ ପ୍ରତିଷ୍ଠିତ କରିପାରିବ। ତାଙ୍କର ସମ୍ମାନ ରକ୍ଷା ନିମନ୍ତେ ଏହି ପ୍ରସ୍ତାବକୁ ସରକାର ବିଚାର କରିବାକୁ ଅନୁରୋଧ।

ପ୍ରସିଦ୍ଧ କଥାଶିଳ୍ପୀ ଓ ଶିଶୁସାହିତ୍ୟିକ ଦାଶ ବେନହୁର କହିଛନ୍ତି,

ଇଂରାଜୀରେ ଲେଖୁଥିବା ଓଡ଼ିଆ ଲେଖକମାନଙ୍କୁ ଏହା ନୂଆ ପ୍ରେରଣା ଦେବ, ଉତ୍ସାହିତ କରିବ। ଏହା ଫଳରେ ଓଡ଼ିଆ ଚିନ୍ତା ଓ ଚେତନା ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିପାରିବ।

ଜଣାଶୁଣା କବି ଓ ସଂପାଦକ ହରପ୍ରସାଦ ପରିଚ୍ଛା ପଟ୍ଟନାୟକ କହିଛନ୍ତି,

ମନୋଜ ଦାସଙ୍କ ଭଳି ଜଣେ ପ୍ରଖ୍ୟାତ ସାହିତ୍ୟିକଙ୍କ ସ୍ମରଣରେ ସରକାର ଗୋଟିଏ ଅନ୍ତର୍ଜାତୀୟ ପୁରସ୍କାର ଦେବାକୁ ଚିନ୍ତା କରିଛନ୍ତି, ଏହାକୁ ମୁଁ ସ୍ବାଗତ କରୁଛି। ତେବେ ଗୋଟିଏ ପୁରସ୍କାରକୁ ଅନ୍ତର୍ଜାତୀୟ ବୋଲି ଘୋଷଣା କରି, ତାହାକୁ କେବଳ ଓଡ଼ିଶାର ଲେଖକଙ୍କ ଭିତରେ ସୀମିତ ରଖିଦେଲେ ଏହା ମନୋଜ ଦାସଙ୍କ ପ୍ରତି ଅପମାନ ଏବଂ ଏହା ଆମ ସଙ୍କୀର୍ଣ୍ଣ ଦୃଷ୍ଟିକୋଣକୁ ମଧ୍ୟ ସୂଚାଉଛି। ପୁରସ୍କାରକୁ ଅନ୍ତର୍ଜାତୀୟ କହି ପ୍ରଦେଶ ଭିତରେ ସୀମିତ ରଖିବା ଏକ ବିରୋଧାଭାସ। ଏହି ଅନ୍ତର୍ଜାତୀୟ ପୁରସ୍କାରକୁ ସତରେ ଆନ୍ତର୍ଜାତିକ ସ୍ତରରେ ହିଁ ଦିଆଯାଉ। ନ ହେଲେ ଏଥିରୁ ଅନ୍ତର୍ଜାତୀୟ ଶବ୍ଦଟିକୁ କାଟିଦେଇ ପୁରସ୍କାରକୁ ଓଡ଼ିଶା ଭିତରେ ସୀମିତ ରଖାଯାଉ।

ପ୍ରସିଦ୍ଧ ଇଂରାଜୀ ଲେଖକ ଓ ଅନୁବାଦନ ଯତୀନ୍ଦ୍ର କୁମାର ନାୟକ କହିଛନ୍ତି,

ସରକାରଙ୍କର ଏଭଳି ନିଷ୍ପତ୍ତି ଏକ ଉଚିତ ବିଚାର ବୋଲି ମୋର ମନେ ହେଉନାହିଁ। ଇଂରାଜୀରେ ଲେଖୁଥିବା ଭାରତୀୟ ଲେଖକଙ୍କ ପାଇଁ ଏ ପୁରସ୍କାରକୁ ଉନ୍ମୁକ୍ତ କରାଯିବା ଉଚିତ। ପୂର୍ବରୁ ଓଡ଼ିଶାରୁ ଗଙ୍ଗାଧର ମେହେରଙ୍କ ନାମରେ ଯେଉଁ ପୁରସ୍କାରଟି ଦିଆହୋଇ ଆସୁଛି ତାହା ମଧ୍ୟ ପ୍ରମୁଖ ଭାରତୀୟ ଲେଖକଙ୍କୁ ଦିଆଯାଉଛି।

ମନୋଜ ଦାସଙ୍କ ନାମରେ ଅନ୍ତର୍ଜାତୀୟ ପୁରସ୍କାର ଭିନ୍ନ ତାଙ୍କ ପୈତୃକ ବାସଭବନକୁ ଏକ ଐତିହ୍ୟ ସ୍ଥଳରେ ପରିଣତ କରିବା ସହ ସେଠାରେ ସଂଗ୍ରହାଳୟ ଓ ପାଠାଗାର ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ସେହିପରି ବିଦ୍ୟାଳୟ ସ୍ତରରେ ଓଡ଼ିଆ ଓ ଇଂରାଜୀ ଭାଷାରେ ଲେଖୁଥିବା ତରୁଣ ପ୍ରତିଭାଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସରକାରଙ୍କର ଏ ନିଷ୍ପତ୍ତି ସବୁକୁ ବିଭିନ୍ନ ବର୍ଗରୁ ସ୍ବାଗତ କରାଯାଇଥିଲେ ବି ଅନ୍ତର୍ଜାତୀୟ ପୁରସ୍କାର ପ୍ରଦାନକୁ ନେଇ ପ୍ରଶ୍ନ ଉଠିଛି। ସରକାର ଏ ଦିଗରେ ପୁନର୍ବିଚାର କରିବା ସହ ରାଜ୍ୟର ପ୍ରବୀଣମାନଙ୍କ ପରାମର୍ଶ ନେଇ ପୁରସ୍କାର ରୂପରେଖର ପୁନର୍ବିନ୍ୟାସ କରନ୍ତୁ ବୋଲି ଦାବି ହେଉଛି।

କଥାକାର ଆଶିଷ କୁମାର ଗଡ଼ନାୟକ କହିଛନ୍ତି,

ସରକାରଙ୍କର ଏହା ଏକ ସୁନ୍ଦର ପ୍ରୟାସ। ତେବେ କୌଣସି ପୁରସ୍କାର ଓଡ଼ିଆ ଲୋକଙ୍କୁ ହିଁ ଦିଆଯିବ ଓ ତାକୁ ଏକ ଅନ୍ତର୍ଜାତୀୟ ପୁରସ୍କାର କହାଯିବ, ଏ ଯୁକ୍ତି ମତେ ଠିକ୍ ଲାଗୁନାହିଁ। ୟୁନେସ୍କୋ ଦ୍ଵାରା ପ୍ରଦାନ କରା ଯାଉଥିବା ‘କଳିଙ୍ଗ ପ୍ରାଇଜ’ ଭଳି ଏହାକୁ ଦିଆଗଲେ ଭଲହେବ। ଭାଷାର ପ୍ରତିବନ୍ଧକକୁ ଡେଇଁଲେ ଆମର ଏଠି ବି ଅନେକ ଅନ୍ତର୍ଜାତୀୟ ଚିନ୍ତକ ଅଛନ୍ତି। ଆମ ଲେଖକମାନେ କୌଣସି ସ୍ଥାନୀୟ ସଂରକ୍ଷଣ ନୀତି ଆବଶ୍ୟକ କରନ୍ତିନି, ମୋର ଏ ଆତ୍ମବିଶ୍ୱାସ ବହୁ ଦିନର।

କଥାକାର ଶୁଭ୍ରାଂଶୁ ପଣ୍ଡା କହିଛନ୍ତି,

ନୋବେଲ ପୁରସ୍କାର(ବିଶ୍ବର ଯେ କୌଣସି ଭାଷାର ଲେଖକଙ୍କୁ) ବା ବୁକର ପୁରସ୍କାର (ଇଂରାଜୀ ଭାଷାରେ ଲିଖିତ ପୁସ୍ତକକୁ) ଭଳି ଯଦି ମନୋଜ ଦାସ ପୁରସ୍କାର ଅନ୍ତର୍ଜାତୀୟ ସ୍ତରରେ ଦିଆଯାଇପାରନ୍ତା ତେବେ ଉଭୟ ମନୋଜ ଦାସଙ୍କ ସମ୍ମାନ ବୃଦ୍ଧି ସହ ଓଡ଼ିଆ ଭାଷା ମଧ୍ୟ ପରିଚିତି ପାଆନ୍ତା। ଅନ୍ତର୍ଜାତୀୟ ସ୍ତରରେ ନ ହେଲା ନାହିଁ, ସରକାର ଏହାକୁ ଏକ ଜାତୀୟ ସ୍ତରର ପୁରସ୍କାର ମଧ୍ୟ କରିପାରନ୍ତେ। ଦେଶରେ ଏବେ ଦୁଇ ପ୍ରମୁଖ ସାହିତ୍ୟ ସମ୍ମାନ ‘ସରସ୍ବତୀ ସମ୍ମାନ’ ଓ ‘ଜ୍ଞାନପୀଠ ପୁରସ୍କାର’ ସହ ପୁରସ୍କାର ରାଶି ଯଥାକ୍ରମେ ୧୫ ଲକ୍ଷ ଟଙ୍କା ଓ ୧୧ ଲକ୍ଷ ଟଙ୍କା ଦିଆଯାଉଛି। ସେଇ ହିସାବରେ ଦେଖିଲେ ସମ୍ଭବତଃ ମନୋଜ ଦାସଙ୍କ ନାମରେ ନାମିତ ଏ ପୁରସ୍କାର ଦେଶରେ ତୃତୀୟ ସର୍ବୋଚ୍ଚ ସାହିତ୍ୟ ସମ୍ମାନ ହୋଇପାରନ୍ତା। ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ଆଶା।

ବର୍ତ୍ତମାନ ରାଜ୍ୟରେ ସର୍ବୋଚ୍ଚ ସାହିତ୍ୟ ପୁରସ୍କାର ଭାବେ ପରିଗଣିତ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାରକୁ ରାଜ୍ୟ ସରକାର ନିକଟରେ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ଘରୋଇ ପ୍ରତିଷ୍ଠାନ ଇମ୍ଫା ପ୍ରଦତ୍ତ ଶାରଳା ପୁରସ୍କାରର ପୁରସ୍କାର ରାଶି ମଧ୍ୟ ୫ ଲକ୍ଷ ଟଙ୍କା ରହିଛି। କଟକ ସାରଳା ସଂସଦ ଦ୍ବାରା ପ୍ରଦତ୍ତ ସାରଳା ସମ୍ମାନର ପରିମାଣ ୧ ଲକ୍ଷ ୫ ହଜାର ଟଙ୍କା ରହିଛି।

Leave A Reply

Your email address will not be published.