ସାମ୍ବାଦିକ ସରକାରୀ ସ୍ବୀକୃତିପ୍ରାପ୍ତ ନହେଲେ ଟିକା ନାହିଁ
ଭୁବନେଶ୍ବର: ସାମ୍ବାଦିକଙ୍କୁ ଟିକା ଦିଆଯିବା ନେଇ ସାରା ରଜ୍ୟରୁ ଦାବି ଉଠିବା ପରେ ସରକାର ରାଜ୍ୟ ସାରା ସାମ୍ବାଦିକଙ୍କ ପାଇଁ ଅଗ୍ରାଧିକାର ଭିତ୍ତିରେ ଟିକାକରଣ ବ୍ୟବସ୍ଥା କରିଛନ୍ତି। ଏ ନେଇ ଗତକାଲି ଅତିରିକ୍ତ ମୁଖ୍ୟ ସଚିବ ପିକେ ମହାପାତ୍ର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି। ତେବେ କେବ ସରକାରୀ ଅଧିସ୍ବୀକୃତ (ଆକ୍ରିଡିଟେଡ୍) ସାମ୍ବାଦିକଙ୍କୁ ଟିକା ଦିଆଯିବ ବୋଲି ଏହି ଚିଠିରେ ସ୍ପଷ୍ଟ ଉଲ୍ଲେଖ ରହିଛି।
ଚିଠି ନମ୍ବର ୧୩୪୦୨ (ତାରିଖ ୪ ମେ ୨୦୨୧) ଅନୁସାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ହେବାକୁ ଥିବା ଏହି ଟିକାକରଣ କାର୍ଯ୍ୟକୁ ଲୋକ ସମ୍ପର୍କ ଅଧିକାରୀ ପରିଚାଳନା କରିବେ। ଚିଠିକୁ ଅତି ଗୁରୁତର ସହକାରେ ବିବେଚନା କରି ସାମ୍ବାଦିକମାନଙ୍କୁ ତୁରନ୍ତ ଟିକାଦେବାକୁ ଚିଠିରେ ଉଲ୍ଲେଖ ରହିଛି। ତେବେ ଆକ୍ରିଡିଟେଡ୍ ହୋଇନଥିବା ସାମ୍ବାଦିକ ଏ ସୁବିଧାରୁ ବଞ୍ଚିତ ହେବେ।
୪ ଦିନ ତଳେ ମୁଖ୍ୟମନ୍ତ୍ରୀ ରାଜ୍ୟର ସାମ୍ବାଦିକମାନଙ୍କୁ କୋଭିଡ୍ ଯୋଦ୍ଧା ବୋଲି ଘୋଷଣା କରିଥିବା ବେଳେ ଏ ଘୋଷଣା କେବଳ ଆକ୍ରିଡିଟେଡ୍ ସାମ୍ବାଦିକଙ୍କ ପାଇଁ ବୋଲି ସ୍ପଷ୍ଟ କରିନଥିଲେ। ତେବେ ଅତିରିକ୍ତ ମୁଖ୍ୟସଚିବଙ୍କ ଗତକାଲିର ଚିଠିରୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ଯୋଦ୍ଧାର ଅସଲ ସଜ୍ଞା ମିଳିଯାଇଛି ବୋଲି ସାମ୍ବାଦିକ ମହଲରେ ଚର୍ଚ୍ଚା ହେଉଛି।
କୋଭିଡ୍ ସମୟରେ ସବୁଠୁ ଅଧିକ ସଚଳ ଥିବା ଓ୍ବେବ୍ ପୋର୍ଟାଲ୍ଗୁଡ଼ିକରେ କାର୍ଯ୍ୟରତ ଅଧିକାଂଶ ସାମ୍ବାଦିକ ଆକ୍ରିଡିଟେଡ୍ ହୋଇ ନଥିବା ବେଳେ ଗ୍ରାମାଞ୍ଚଳରେ ମଧ୍ୟ ବହୁ ଖବରକାଗଜ ଓ ଟିଭି ସାମ୍ବାଦିକ ଏଯାଏଁ ସରକାରୀ ସ୍ବୀକୃତି ପାଇନାହାନ୍ତି। ସବୁଠୁ ରୋଚକ କଥା ହେଲା ସରକାରଙ୍କ ତଥାକଥିତ ଆକ୍ରିଡିଟେଡ୍ ସାମ୍ବାଦିକ ତାଲିକାରେ ଥିବା ଅନେକ ସାମ୍ବାଦିକ କେବେଠୁ ମୃତ୍ୟୁବରଣ କରି ସାରିଥିବା ବେଳେ ଆଉ କେତେକ ସାମ୍ବାଦିକତା ଛାଡ଼ିସାରିଲେଣି।
ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କୁ କୋଭିଡ୍ ଯୋଦ୍ଧା ଘୋଷଣା କରିବା ଆଗରୁ ଆକ୍ରିଡିଟେଡ୍ ତାଲିକା ସଂଷାଧନ କରିବା ସହ ସେଥିରେ ସାମ୍ବାଦିକଙ୍କୁ ସାମିଲ କରିବାର ଥିଲା ବୋଲି ମତ ପ୍ରକାଶ ପାଇଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ଜାଣିଶୁଣି ଓ୍ବେବ୍ ପୋର୍ଟାଲ ସାମ୍ବାଦିକଙ୍କୁ ଅଣଦେଖା କରୁଥିବା ବେଳେ ନିଜର ଅନୁଗତ ସାମ୍ବାଦିକଙ୍କୁ ଅଗ୍ରାଧିକାର ଦେବାକୁ ଉଦ୍ୟମ କରୁଛି ଓ ଏହା ଦ୍ବାରା ସରକାର ବଦନାମ ହେଉଥିବା ସାମ୍ବାଦିକ ମହଲରେ ଚର୍ଚ୍ଚା ହେଉଛି।