Odisha Link
Bridging the Missing Links in Odisha

କରୋନା ଟିକାରୁ GST ଛାଡ଼ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ସାରା ଦେଶ ଏବେ କରୋନା ସହ ଲଢ଼ୁଥିବା ବେଳେ ଟିକାକରଣ ଜାରି ରହିଛି। ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ଲାଗି କେନ୍ଦ୍ର ମାଗଣା ଟିକା ଯୋଗାଇ ଦେଉଛି। ରାଜ୍ୟ ସରକାର ୧୮ରୁ ୪୪ ବର୍ଷ ବୟସ୍କଙ୍କ କୋଭିଡ୍ ଟିକାକରଣ ମାଗଣାରେ କରିବେ ବୋଲି ଘୋଷଣା କରିଛନ୍ତି । ୧୮ରୁ ୪୪ ବର୍ଷ ବୟସ୍କଙ୍କ ଲାଗି ରାଜ୍ୟ ସରକାର ନିଜ ପାଣ୍ଠିରୁ ଟିକା କିଣୁଛନ୍ତି।

ଟିକା ଉପରେ ଜିଏସଟି ଲାଗିଥିବାରୁ ଭ୍ୟାକ୍ସିନ୍ ଦର ରାଜ୍ୟ ପାଇଁ ଅଧିକ ହେଉଛି। ଟିକା କ୍ରୟ ଉପରେ ସମ୍ପୂର୍ଣ୍ଣ ଭାବେ ଜିଏସଟି ହ୍ରାସ୍ କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭ୍ୟାକ୍ସିନ୍ ଉପରୁ ଜିଏସଟି ସମ୍ପୂର୍ଣ୍ଣ ଛାଡ଼ କଲେ ରାଜ୍ୟ ଉପକୃତ ହେବ। ସମସ୍ତଙ୍କୁ ଟିକାକରଣରେ ଏହି ପଦକ୍ଷେପ ସହାୟକ ହେବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଲମ୍ବା କୋଭିଡ୍ ଯୁଦ୍ଧ ପାଇଁ ସମସ୍ତଙ୍କ ସହଯୋଗ ଦରକାର। ରାଜ୍ୟମାନଙ୍କୁ ସହଯୋଗ କଲେ ଦେଶ ଏକାଠି କରୋନା ବିରୋଧୀ ଯୁଦ୍ଧ ଲଢ଼ି ପାରିବ। ଅର୍ଥାଭାବ କେବଳ ଗୋଟିଏ ରାଜ୍ୟକୁ ପ୍ରଭାବିତ କରିବ ନାହିଁ ବରଂ ଦେଶ ଗତିକୁ ଲେଉଟାଣି ମୋଡ଼କୁ ନେଇଯିବ ବୋଲି ନବୀନ ଲେଖିଛନ୍ତି। ଏହା ସହିତ ପେଟ୍ରୋଲ, ଡିଜେଲ୍, ମଦ ଇତ୍ୟାଦି ଉପରୁ ଆଦାୟ ବିଭିନ୍ନ ସେସ୍ ଏବଂ ସରଚାର୍ଜେସକୁ କେନ୍ଦ୍ର ସରକାର ପାଉଛନ୍ତି।

ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସେହି ଅର୍ଥକୁ ରାଜ୍ୟମାନଙ୍କ ସହ କେନ୍ଦ୍ର ସରକାର ସମାନ ଭାବେ ବିତରଣ ପାଇଁ ନବୀନ ଅନୁରୋଧ କରିଛନ୍ତି। ଏହାଦ୍ୱାରା ମହାମାରୀ ବିରୋଧରେ ଟିକାକରଣ, ମାଗଣା ଚିକିତ୍ସା ଏବଂ ଅନ୍ୟ ପଦକ୍ଷେପ ନେବା ସମ୍ଭବ ହୋଇପାରିବ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.