Odisha Link
Bridging the Missing Links in Odisha

ବାତ୍ୟା ୟାସ୍: ବାଲେଶ୍ୱର ଓ ଭଦ୍ରକରେ ୨ରୁ ୪ ମିଟର ଉଠିବ ଜୁଆର

ୟାସ ପ୍ରଭାବରେ ସମୁଦ୍ର ୭ କିମି ପର୍ଯ୍ୟନ୍ତ ଆଗକୁ ମାଡ଼ି ଆସିପାରେ

ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ୟାସ୍ ପ୍ରଭାବରୁ ଉପକୂଳ ଓଡ଼ିଶାରେ ଆଂଶିକ ବର୍ଷା ସହିତ ପବନ ଆରମ୍ଭ ହୋଇଛି। ଆଇଏମ୍‌ଡି ସୂଚନା ଅନୁସାରେ, ଭଦ୍ରକରୁ ବାଲେଶ୍ବର ମଧ୍ୟରେ ଏହାର ଭୟଙ୍କର ପ୍ରଭାବ ପଡ଼ିବ। ୟାସ୍ ସ୍ଥଳଭାଗ ଛୁଇଁବା ସମୟରେ ଉତ୍ତର ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ହୋଇ କୂଳ ଲଂଘିବ। ସମୁଦ୍ରରେ ୨ ରୁ ୪ ମିଟର ପାଖାପାଖି ଜୁଆର ଉଠିପାରେ।

ବାଲେଶ୍ୱର ସମୁଦ୍ରରେ ସବୁଠୁ ଉଚ୍ଚ ଜୁଆର ଆସିବା ଆଶଙ୍କା ରହିଛି। ତେବେ ଭଦ୍ରକରେ ୟାସ ପ୍ରଭାବରେ ସମୁଦ୍ର ୭ କିମି ପର୍ଯ୍ୟନ୍ତ ଆଗକୁ ମାଡ଼ି ଆସିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ୨ ରୁ ୪ ମିଟର ଉଚ୍ଚ ଜୁଆର ଉଠିପାରେ ସମୁଦ୍ରରେ। ବାଲେଶ୍ୱରର କୁମ୍ଭୀରଗାରୀରେ ୨.୧ ରୁ ୩.୮ ମିଟର ଉଚ୍ଚ ଜୁଆର ଆଶଙ୍କା ଅଛି। ଅର୍ଥାତ ୬.୮ ଫୁଟରୁ ୧୨.୪ ଫୁଟ ଉଚ୍ଚ ଜୁଆର ଉଠିବ ସମୁଦ୍ରରେ। ଏଠାରେ ଜୁଆର ଅଢେ଼ଇ କିଲୋମିଟର ପାଖାପାଖି ଆଗକୁ ମାଡ଼ି ଆସିପାରେ। କୁମ୍ଭୀରଗିରି ବାଲେଶ୍ୱରର ଚାନ୍ଦିପୁର ପାଖାପାଖି ରହିଛି। ଏହା ପାଖକୁ ରହିଛି ସୁବର୍ଣ୍ଣରେଖା।

ଭଦ୍ରକର ମୋହନପୁର ପାଖରେ ୩ ଫୁଟରୁ ୬.୮ ଫୁଟ ଉଚ୍ଚ ଜୁଆର ଉଠିପାରେ ସମୁଦ୍ର। ବାସୁଦେବପୁର ଓ ଇଞ୍ଚୁଡ଼ି ମଝିରେ ରହିଛି ମୋହନପୁର। ଏଠାରେ ସମୁଦ୍ର ଜୁଆର ୭ କିମି ପର୍ଯ୍ୟନ୍ତ ଆଗକୁ ମାଡ଼ି ଯାଇପାରେ।

କେନ୍ଦ୍ରାପଡ଼ା ଭିତରକନିକା ଓ କନିକା ଦ୍ୱୀପ ପାଖ ଟିକାୟତନଗରରେ ସମୁଦ୍ର ଜୁଆର ୫ ଫୁଟ ପାଖାପାଖି ଉପରକୁ ଉଠିପାରେ। ଏହା ପ୍ରଭାବରେ ସମୁଦ୍ର ଅଢେ଼ଇ କିମିରୁ ଅଧିକ ଆଗକୁ ମାଡ଼ିଯାଇପାରେ। ଏଭଳି ସତର୍କ ସୂଚନାକୁ ନେଇ ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତ କରିବା ସହ ସମୁଦ୍ର ପାଖ ଅଞ୍ଚଳବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇବା ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.