Odisha Link
Bridging the Missing Links in Odisha

ଦିଲ୍ଲୀ ସରକାରଙ୍କ ଡୋର ଷ୍ଟେପ୍‌ ରାସନ ଯୋଗାଣ ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ: ଦିଲ୍ଲୀ ସରକାର କରିଥିବା ଡୋର ଷ୍ଟେପ୍‌ ରାସନ ଯୋଗାଣ ଉପରେ କେନ୍ଦ୍ରର ରୋକ। ଲୋକଙ୍କୁ ଦୁଆର ମୁହଁରେ ରାସନ ସାମଗ୍ରୀ ଯୋଗାଇ ଦେବାକୁ କେନ୍ଦ୍ର ରୋକ ଲଗାଇଛି। ଏ ସମ୍ପର୍କରେ ଅଧିକ ସୂଚନା ଦେବା ପାଇଁ ଆସନ୍ତାକାଲି ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରେସ କନଫରେନ୍ସ କରିବେ।

ସୂଚନା ମୁତାବକ, ଡୋର ଷ୍ଟେପ ରାସନ ଯୋଗାଣ ଯୋଜନା ଦିଲ୍ଲୀ ସରକାର ମାତ୍ର କିଛି ଦିନ ମଧ୍ୟରେ ଲଞ୍ଚ କରିବାର ଥିଲା। ଏଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ମଧ୍ୟ ଶେଷ ହୋଇଥିଲା। ଏହି ଯୋଜନାରେ ପ୍ରାୟ ୭୨ ଲକ୍ଷ ହିତାଧିକାରୀଙ୍କୁ ସେମାନଙ୍କ ଘର ପାଖରେ ରାସନ ଯୋଗାଣ କରାଯାଇଥାଆନ୍ତା। ବିଶେଷ କରି କରୋନା ସଂକ୍ରମଣ ସମୟରେ ଏପରି ଯୋଜନା ବେଶ ଫଳପ୍ରଦ ହେବ ବୋଲି ଦିଲ୍ଲୀ ସରକାର ଆଶା କରିଥିଲେ। କିନ୍ତୁ କେନ୍ଦ୍ର ସରକାର ଆଜି ଏହି ଯୋଜନା ଉପରେ ରୋକ ଲଗାଇ ଦେଇଛନ୍ତି।

ଦିଲ୍ଲୀ ସରକାର ଡୋର ଷ୍ଟେପ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଯାଉଥିଲେ ହେଁ ଏଥିପାଇଁ କେନ୍ଦ୍ରର ଅନୁମତି ଆଣି ନଥିଲେ। ସେହିପରି ଏହି ଘଟଣାକୁ ନେଇ କୋର୍ଟରେ ଶୁଣାଣି ଚାଲିଥିବାରୁ ଉପ ରାଜ୍ୟପାଳ ମଧ୍ୟ ଏ ସଂକ୍ରାନ୍ତ ଫାଇଲକୁ ଅଗ୍ରାହ୍ୟ କରିଥିଲେ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଯୋଜନାର କାର୍ଯ୍ୟକାରିତା ଉପରେ ରୋକ ଲଗାଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଦିଲ୍ଲୀ ଖାଦ୍ୟ ଯୋଗାଣ ମନ୍ତ୍ରୀ ଇମରାନ ହୁସେନ କହିଛନ୍ତି, ବର୍ତ୍ତମାନର ନିୟମ ଅନୁଯାୟୀ ଏପରି ଏକ ଯୋଜନାକୁ କାର୍ଯ୍ୟକାରୀ କରିବାକୁ କାହାର ଅନୁମତି ଜରୁରୀ ନୁହେଁ। କୋର୍ଟ ମଧ୍ୟ ଯୋଜନାକୁ କାର୍ଯ୍ୟକାରୀ ନ କରିବା ପାଇଁ କୌଣସି ନିର୍ଦ୍ଦେଶ ଦେଇନାହାନ୍ତି। ରାଜନୀତିକ ଉଦ୍ଦେଶ୍ୟ ରଖି ଦିଲ୍ଲୀ ସରକାରଙ୍କ ମହତ୍ତ୍ୱକାଂକ୍ଷୀ ଯୋଜନା ଉପରେ ରୋକ ଲଗାଯାଇଛି ବୋଲି ସେ କହିଛନ୍ତି।

Leave A Reply

Your email address will not be published.