Odisha Link
Bridging the Missing Links in Odisha

ମମତାଙ୍କ ପୁତୁରା ହେଲେ ଟିଏମସିର ସାଧାରଣ ସମ୍ପାଦକ

କୋଲାକତା: ଆଜି ତୃଣମୂଳ କଂଗ୍ରେସର ସାଂଗଠନିକ ସ୍ତରରେ ଏକ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ତୃଣମୂଳ କଂଗ୍ରେସର ସୁପ୍ରିମୋ ତଥା ପ୍ରତିଷ୍ଠାତା ମମତା ବାନାର୍ଜୀଙ୍କ ପୁତୁରା ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଦଳର ସାଧାରଣ ସଂପାଦକ ରୂପେ ନିଯୁକ୍ତ କରିଛନ୍ତି।

ନିର୍ବାଚନ ପରେ ଆଜି ପ୍ରଥମଥର ପାଇଁ ଟିଏମସିର କାର୍ଯ୍ୟକାରୀ କମିଟିର ବୈଠକ ବସିଥିଲା। ବୈଠକରେ ସାଂଗଠନିକ ଅଦଳବଦଳ ସମ୍ପର୍କରେ ନିଷ୍ପତ୍ତି ହୋଇଛି। ଏଣିକି ପଶ୍ଚିମବଙ୍ଗ ବ୍ୟତୀତ ଦେଶର ବିଭିନ୍ନ ରାଜ୍ୟରେ ଟିଏମସି ତା’ର ସାଂଗଠନିକ ସ୍ଥିତିକୁ ସୁଦୃଢ଼ କରିବ ବୋଲି କମିଟି ନିଷ୍ପତ୍ତି ନେଇଛି। ଏଥିପାଇଁ ଆଗାମୀ ଦିନ ପାଖରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଆସନ୍ତା ବର୍ଷ ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ଗୁଜୁରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଦଳ ପ୍ରତିଦ୍ୱନ୍ଦ୍ୱିତା କରିବ।

ପଶ୍ଚିମବଙ୍ଗର ମନ୍ତ୍ରୀ ପାର୍ଥ ଚାଟାର୍ଜୀ କହିଛନ୍ତି, “ଆଜି ପାର୍ଟି ନିଷ୍ପତ୍ତି ନେଇଛି ଯେ ଗୋଟିଏ ପଦରେ ଜଣେ ବ୍ୟକ୍ତି ହିଁ ରହିବେ। ବିଭିନ୍ନ ପଦବୀ ଦଳୀୟ ନେତାଙ୍କୁ ଦିଆଯାଇଛି।” ଅଭିଷେକ ବାନାର୍ଜୀ ଦଳର ଜାତୀୟ ସାଧାରଣ ସମ୍ପାଦକ ପଦ ପାଇଥିବାରୁ ତାଙ୍କୁ ଏବେ ଟିଏମସି ୟୁଥ ୱିଙ୍ଗର ଇନ ଚାର୍ଜ ପଦରୁ ଇସ୍ତଫା ଦେବାକୁ ପଡ଼ିଛି।

ୟୁଥ ୱିଙ୍ଗର ନେତୃତ୍ୱ ଅଭିନେତାରୁ ରାଜନେତା ବନିଥିବା ସାୟୋନି ଘୋଷ ନେବେ। ସେହିପରି ଟିଏମସି ସାଂସଦ କାକୋଲି ଘୋଷ ଦସ୍ତିଦର ଟିଏମସିର ମହିଳା ମୋର୍ଚ୍ଚା ସଭାପତି ହୋଇଛନ୍ତି। ଇଣ୍ଡିଆନ ନ୍ୟାଶନାଲ ତୃଣମୂଳ ଟ୍ରେଡ ୟୁନିୟନର ଜାତୀୟ ସଭାପତି ପଦ ସାଂସଦ ଦୋଳା ସେନଙ୍କୁ ମିଳିଛି।

ଅନ୍ୟପକ୍ଷରେ ଦଳର ବରିଷ୍ଠ ନେତା ପୂର୍ଣ୍ଣେନ୍ଦୁ ବୋଷଙ୍କୁ ଟିଏମସି ଚାଷୀ ସଂଗଠନର ସଭାପତି କରାଯାଇଛି। ଟିଏମସି ସାଂସ୍କୃତି ସେଲର ଇନ ଚାର୍ଜ ପଦ ପ୍ରଥମଥର ବିଧାୟକ ହୋଇଥିବା ପୂର୍ବତନ ଫିଲ୍ମ ନିର୍ମାତା ରାଜ ଚକ୍ରବର୍ତ୍ତୀଙ୍କୁ ମିଳିଛି।

Leave A Reply

Your email address will not be published.