Odisha Link
Bridging the Missing Links in Odisha

ଆୟୁଷ୍ମାନ ଭାରତ: ୪ ବର୍ଷରେ ଖର୍ଚ୍ଚ ହୋଇଛି ମାତ୍ର ୭% ଅର୍ଥ

୪ ବର୍ଷରେ ଆୟୁଷ୍ମାନ ଭାରତ ଯୋଜନାରେ ମୋଟ ୨୧,୩୬୦ କୋଟି ଟଙ୍କାରୁ ଜାତୀୟ ସ୍ବାସ୍ଥ୍ୟ ପ୍ରାଧିକରଣ (NHA)କୁ ମିଳିଛି ମାତ୍ର ୧,୫୪୦ କୋଟି

ନୂଆଦିଲ୍ଲୀ: ଗୋଟିଏ ପଟେ କୋଭିଡ୍‌ ଦ୍ବିତୀୟ ଲହଡ଼ିରେ ଭାରତୀୟ ସ୍ବାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର ସବୁ ସାମନାକୁ ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହୁ ପ୍ରଚାରିତ ଯୋଜନା ଆୟୁଷ୍ମାନ ଭାରତ (ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା) ବାବଦରେ ଆସିଛି ସାଂଘାତିକ ତଥ୍ୟ। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ସଂଖ୍ୟା ଦର୍ଶାଉଛି ଯେ ଗତ ୪ ବର୍ଷ ଭିତରେ ଏ ଯୋଜନାରେ ବରାଦ ଅର୍ଥର ମାତ୍ର ୭% ଦେଇଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ।

ପୁଣେର ସାମାଜିକ କର୍ମୀ ପ୍ରଫୁଲ୍ଲ ସାରଦା ଆର୍‌ଟିଆଇ ଆଇନ ସହାୟତାରେ ଆୟୁଷ୍ମାନ ଭାରତ ଯୋଜନା ବାବଦରେ କେନ୍ଦ୍ର ସରକାରଙ୍କୁ ତଥ୍ୟ ମାଗିଥିଲେ। ଏହାର ଉତ୍ତରରେ ସରକାର ଯାହା ତଥ୍ୟ ଦେଇଛନ୍ତି ତାହା ଦେଖିଲେ ଆଖି ଖୋସି ହୋଇଯିବ।

ଚଳିତ ବର୍ଷ ମେ’ ୧୩ ତାରିଖରେ ଆର୍‌ଟିଆଇ ଆବେଦନ ଦାଖଲ ହୋଇଥିବା ବେଳେ ସେବେ ସୁଦ୍ଧା ବିଗତ ୪ ବର୍ଷରେ ଜାତୀୟ ସ୍ବାସ୍ଥ୍ୟ ପ୍ରାଧିକରଣ ମାତ୍ର ୧,୫୪୦ କୋଟି ଟଙ୍କା ଖର୍ଚ୍ଚ କରିଛି ବୋଲି ଅର୍ଥ ମନ୍ତ୍ରାଳୟ ଜଣାଇଛନ୍ତି। ଏହି ଯୋଜନାରେ ୪ ବର୍ଷର ବଜେଟ୍‌ ୨୧,୩୬୦ କୋଟି ହୋଇଥିବା ବେଳେ ସରକାର ଏହାର ମାତ୍ର ୭ ପ୍ରତିଶତ ବ୍ୟୟ କରିଛନ୍ତି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୮ ମସିହାରେ ଆରମ୍ଭ ହୋଇଥିବା ଏହି ଆୟୁଷ୍ମାନ ଭାରତ ଯୋଜନାରେ ଏଯାବତ ୧.୮୧ କୋଟି ବ୍ୟକ୍ତି ଚିକିତ୍ସା ସୁବିଧା ଆପଣେଇଥିବା ବେଳେ ଗରିବ ଲୋକଙ୍କୁ ପ୍ରାୟ ୧୬ କୋଟି ଆୟୁଷ୍ମାନ୍‌ କାର୍ଡ ପ୍ରଦାନ କରାଯାଇଛି ବୋଲି ଆଜି ବିଜେପି ଟୁଇଟ୍‌ କରିଛି।

ଆୟୁଷ୍ମାନ ଭାରତ କାର୍ଡ ଧାରୀ ବ୍ୟକ୍ତି ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସେବା ପାଇପାରିବେ ବୋଲି ସରକାର ଘୋଷଣା କରିଥିଲେ। ଓଡ଼ିଶା ଏଯାବତ୍‌ ଏହି ଯୋଜନାରେ ସାମିଲ ହୋଇନାହିଁ। ବଦଳରେ ଓଡ଼ିଶା ନିଜସ୍ବ ସ୍ବାସ୍ଥ୍ୟ ବିମା ଯୋଜନା ପ୍ରଚଳନ କରିଛି।

Leave A Reply

Your email address will not be published.