Odisha Link
Bridging the Missing Links in Odisha

ମୃତ୍ୟୁ ସହ ସଂଗ୍ରାମ କରୁଥିବା ଅଭିଷେକଙ୍କୁ ସାହାଯ୍ୟ ପାଇଁ ହାତ ଯୋଡିଲା ପରିବାର

ବାସୁଦେବପୁର: ଜୀବନ ସହ ସଂଗ୍ରାମ କରୁଛନ୍ତି ୨୮ ବର୍ଷୀୟ ଅଭିଷେକ ମହାପାତ୍ର। ଅଧାରେ ରହିଗଲା ଅଭିଷେକଙ୍କୁ ଏୟାର ଆମ୍ବୁଲାନ୍ସରେ ସ୍ଥାନାନ୍ତର ପ୍ରକ୍ରିୟା। ଗୁରୁତର ଅଭିଷେକଙ୍କୁ ସ୍ଥାନାନ୍ତର ପାଇଁ ଯୋଗାଡ ହୋଇପାରିଲାନି ଟଙ୍କା। ପୁଅକୁ ବଞ୍ଚାଇବାକୁ ସାହାଯ୍ୟ ମାଗୁଛନ୍ତି ତାଙ୍କ ପରିବାର। ଏପରି ଖବର ଭଦ୍ରକରୁ ଆସିଛି।

ମୋ ପୁଅକୁ ବଞ୍ଚାଇଦିଅ। ଆମ ପାଖରେ ଟଙ୍କାଟିଏ ନାହିଁ। ପୁଅର ଅବସ୍ଥା ଭାରି ଖରାପ। ସମସ୍ତଙ୍କୁ ନେହୁରା ହେଉଛି ଟଙ୍କା ଦିଅନ୍ତୁ ମୋ ପୁଅକୁ ବଞ୍ଚାଇ ଦିଅନ୍ତୁ… ମୃତ୍ୟୁ ସହ ସଂଗ୍ରାମ କରୁଥିବା ଅଭିଷେକ ମହାପାତ୍ରଙ୍କ ପାଇଁ କାନ୍ଦି କାନ୍ଦି ନେହୁରା ହେଉଛନ୍ତି। ସ୍ୱାମୀ ପାଇଁ ସ୍ତ୍ରୀ ବି କାନ୍ଦି କାନ୍ଦି ସାହାଯ୍ୟ ଭିକ୍ଷା ମାଗିଛନ୍ତି। ଓଡିଶାବାସୀଙ୍କୁ ଅନୁରୋଧ ମୋ ସ୍ୱାମୀଙ୍କୁ ବଞ୍ଚାଇଦିଅ। ଆପଣଙ୍କ ଗୋଟିଏ ଗୋଟିଏ ଟଙ୍କା ଆମ ପାଇଁ ମୂଲ୍ୟବାନ। ଦୟାକରି ସାହାଯ୍ୟ କର ବୋଲି କହିଛନ୍ତି ଅଭିଷେକଙ୍କ ପତ୍ନୀ।

ଯୁବ ଇଞ୍ଜିନିୟର ଅଭିଷେକ ମହାପାତ୍ର ମେ’ ୫ ତାରିଖରେ ବିବାହ କରିଥିଲେ। ହାତଗଣ୍ଠି ପଡ଼ିବାର ୮ ଦିନ ବିତିନି, ସିନ୍ଦୂରରେ ନଜର ଲଗାଇ ଦେଲା କରୋନା। ବିବାହର ୮ ଦିନ ପରେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ ଅଭିଷେକ। ପରେ ତାଙ୍କର କୋଭିଡ୍‌ ଟେଷ୍ଟ କରାଯାଇଥିଲା। ରିପୋର୍ଟ ପଜିଟିଭ୍‌ ଆସିବାରୁ ତାଙ୍କୁ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଦୀର୍ଘ ୨୩ ଦିନ ଧରି ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ଅଭିଷେକ ମହାପାତ୍ର। ମାତ୍ର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟୁନାହିଁ।

ଦିନକୁ ଦିନ ଅଭିଷେକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗୁଡୁଥିବାରୁ ଇକ୍‌ମୋ ଚିକିତ୍ସା ପଦ୍ଧତ୍ତି ଆପଣାଇବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର। ଏହି ପଦ୍ଧତ୍ତି ଓଡ଼ିଶାରେ ଉପଲବ୍ଧ ନଥିବାରୁ ପଶ୍ଚିମବଙ୍ଗକୁ ନେବାକୁ ପଡ଼ିବ। ଏଥିପାଇଁ ଅର୍ଥ ସାଜିଛି ବାଧକ। ଅଭିଷେକଙ୍କୁ ଏୟାରଲିଫ୍ଟିଂ ପାଇଁ ଦରକାର ପାଖାପାଖି ୩୦ଲକ୍ଷ ଟଙ୍କା ଏବଂ ଚିକିତ୍ସା ବାବଦକୁ ବହୁ ଅର୍ଥ ଦରକାର। ଏତେ ଟଙ୍କା ନଥିବାରୁ ସାହାର୍ଯ୍ୟ ପାଇଁ ଗୁହାରୀ କରୁଛନ୍ତି ଅଭିଷେକଙ୍କ ମା’ ଓ ପତ୍ନୀ।

ତେବେ ଜୀବନ ସହ ଯୁଦ୍ଧ କରୁଥିବା ଅଭିଷେକଙ୍କ ପାଇଁ ଆପଣ ଯଦି ତାଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଗୁଗୁଲ ପେ ନମ୍ବର- ୯୫୮୩୫୯୬୮୮୬ରେ ସହାୟତା କରନ୍ତୁ। ଫୋନ ପେ- ୯୫୮୩୫୯୬୮୮୬ରେ ବି ଟଙ୍କା ଦେଇ ସହଯୋଗ କରିପାରିବେ।

 

Leave A Reply

Your email address will not be published.