Odisha Link
Bridging the Missing Links in Odisha

ତୈଳ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ କରିବ କଂଗ୍ରେସ

ଭୁବନେଶ୍ୱର: କରୋନାର ୨ୟ ଲହରରେ ଲୋକଙ୍କ ଜୀବିକା ଉପରେ ପ୍ରଭାବ ପଡିଥିବାବେଳେ ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି ପାଇବାରେ ଲାଗିଛି। କିଛି ସ୍ଥାନରେ ପେଟ୍ରୋଲ ଓ ଡିଜେଲର ଦର ଲିଟର ପ୍ରତି ୧୦୦ ଟଙ୍କା ପାର କରିଛି। ଫଳରେ ସାଧାରଣ ଲୋକଙ୍କ ଉପରେ ଏହାର ପ୍ରଭାବ ପଡୁଛି। ଏହାର ପ୍ରତିବାଦରେ କଂଗ୍ରେସ ଧାରଣା ଦେବା ସହ ବିକ୍ଷୋଭ କରିବ ବୋଲି ନିଷ୍ପତ୍ତି ନେଇଛି।

ତୈଳଯାତ ଦ୍ରବ୍ୟ ଉଭୟ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବା ଦାବିରେ ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶରେ ଆସନ୍ତା ୧୧ ତାରିଖ ପ୍ରାତ ୭ରୁ ୧୧ଟା ପର୍ୟ୍ୟନ୍ତ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଆଗରେ କଂଗ୍ରେସ ଦଳ ତରଫରୁ ସାଂକେତିକ ଧାରଣା ଓ ବିକ୍ଷୋଭ କରାଯିବ । ଏନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି।

ଏହି ଅବସରରେ କୋଭିଡ-୧୯ର ସମସ୍ତ ନୀତିନିୟମକୁ ଅନୁପାଳନ କରି ଯଥା ମାସ୍କ ପିନ୍ଧିବା, ସାମାଜିକ ଦୂରତାକୁ ବଜାୟ ରଖାଯିବ ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ। ଏଥିସହ ୧୧ ତାରିଖର କାର୍ୟ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲା, ବ୍ଲକ, ନଗର ସ୍ତରରେ ତୁରନ୍ତ ଜିଲ୍ଲା କଂଗ୍ରେସ ସଭାପତିମାନେ ପ୍ରସ୍ତୁତି ବୈଠକ କରିବାକୁ ସେ କହିଛନ୍ତି । ଏଥିସହ ବିକ୍ଷୋଭ ସ୍ଥଳକୁ ପେଟ୍ରୋଲ ଓ ଡିଜେଲ ବ୍ୟବହୃତ କୌଣସି ଯାନବାହନ ବ୍ୟବହାର କରି ନ ଆସିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ।

ଗତ ୧୩ ମାସ ମଧ୍ୟରେ ପେଟ୍ରୋଲ ଲିଟର ପ୍ରତ ୨୫.୭୨ ଓ ଡିଜେଲ ୨୩.୯୩ ଟଙ୍କା କେନ୍ଦ୍ର ସରକାର ବଢ଼ାଇଥିଲା ବେଳେ ଗତ ୫ମାସ ମଧ୍ୟରେ ୪୩ ଥର ଦର ବୃଦ୍ଧି ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସରକାର ଟିକସ ବୃଦ୍ଧିର ବାହାନାରେ ମହାମାରୀ ସମୟରେ ଲୋକଙ୍କଠାରୁ ଲୁଟୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।

Leave A Reply

Your email address will not be published.