Odisha Link
Bridging the Missing Links in Odisha

ଭୋଇ ସେବକଙ୍କ ସଙ୍ଗେ ଖାଇଲେ ଜିଲ୍ଲାପାଳ

ଜିଲ୍ଲାପାଳ ସମସ୍ତଙ୍କ ପରି ଧାଡ଼ିରେ ଠିଆ ହୋଇଥିଲେ। ପରେ ପରେ ଭୋଇମାନଙ୍କ ସଙ୍ଗେ ଏକାଠି ଚଟାଣରେ ବସି ଖାଇଥିଲେ ଶ୍ରୀ ବର୍ମା । ଏଭଳି ଦୃଶ୍ୟ ସମସ୍ତଙ୍କୁ ତାଜୁବ୍‌ କରିଥିଲା।

ପୁରୀ: ପାଖେଇ ଆସୁଛି ଶ୍ରୀଜିଉଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଯାହାରି ପାଇଁ ଚଳଚଞ୍ଚଳ ହୋଇ ଉଠିଛି ରଥଖଳା। କରୋନା କାଳ ମଧ୍ୟରେ ସମସ୍ତ କଟକଣା ମାନି ରଥକାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି ବିଶ୍ୱକର୍ମା, କରତୀ, ଓଝା ସେବକ ତଥା ଭୋଇ ସେବକ। ଏସବୁ ମଧ୍ୟରେ ହଠାତ୍‌ ଚର୍ଚ୍ଚାରେ ପୁରୀ ଜିଲ୍ଲାପାଳ। କାରଣ ଭୋଇ ସେବକୁ ମାନଙ୍କ ସଙ୍ଗେ ଏକାଠି ଚକା ପକାଇ ମଧ୍ୟାହ୍ନଭୋଜନ କରିଥିଲେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା। ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଲାଗି ରହିଛି।

ମିଳିଥିବା ସୂଚନା ମୁତାବିକ, ଜୋତାଷ୍ଟାଣ୍ଡ ନିକଟ ଚଟାଣରେ ରଥ ନିର୍ମାଣକାରୀ ସେବକଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଯାଇଛି । ବିଶ୍ୱକର୍ମା, କରତୀ, ଓଝା ସେବକ ତଥା ଭୋଇ ସେବକଙ୍କ ପାଇଁ ଅଲଗା ଅଲଗା ଖାଇବା ବ୍ୟବସ୍ଥା ହୋଇଛି। ସୋମବାର ଅପରାହ୍ନରେ ଠାକୁରଙ୍କ ଦର୍ଶନ ସାରି ଜିଲ୍ଲାପାଳ ସମର୍ଥ ବର୍ମା ସିଧା ପହଁଞ୍ଚିଥିଲେ ଭୋଇ ସେବାୟତ ଖାଉଥିବା ସ୍ଥାନରେ। ଜିଲ୍ଲାପାଳ ଆସିବାର ସୂଚନା ଥିବାରୁ ତାଙ୍କ ପାଇଁ ଅଲଗା ଖାଇବା ବ୍ୟବସ୍ଥା ଚେୟାର ଟେବୁଲର ଆୟୋଜନ ମଧ୍ୟ ହୋଇଥିଲା। ଜିଲ୍ଲାପାଳଙ୍କ ସାଙ୍ଗରେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ମାନେ ଉପସ୍ଥିତ ଥିଲେ।

ହେଲେ ଜିଲ୍ଲାପାଳ ସମସ୍ତଙ୍କ ପରି ଧାଡ଼ିରେ ଠିଆ ହୋଇଥିଲେ। ପରେ ପରେ ଭୋଇମାନଙ୍କ ସଙ୍ଗେ ଏକାଠି ଚଟାଣରେ ବସି ଖାଇଥିଲେ ଶ୍ରୀ ବର୍ମା । ଏଭଳି ଦୃଶ୍ୟ ସମସ୍ତଙ୍କୁ ତାଜୁବ୍‌ କରିଥିଲା। ଭୋଇ ସର୍ଦ୍ଦାରଙ୍କ ଠାରୁ ସୁବିଧା ଅସୁବିଧା ପଚାରି ବୁଝିଥିଲେ। ଶ୍ରୀ ବର୍ମାଙ୍କ ଏଭଳି ବ୍ୟବହାର ଓ ଆଚରଣକୁ ନେଇ ସବୁ ମହଲରେ ପ୍ରଶଂସା କରାଯାୁଛି ମଧ୍ୟ।

ଜିଲ୍ଲାପାଳଙ୍କ ସହ କିଛି କ୍ଷଣ ବିତାଇ ଭୋଇ ସର୍ଦ୍ଦାର ରବି ଭୋଇ କହିଛନ୍ତି ଯେ, ଜୀବନରେ ଏହା ମୋର ପ୍ରଥମ ଅନୁଭୂତି । ଜିଲ୍ଲାପାଳ ଆମକୁ ପଚାରିଥିଲେ ଅପାଣମାନେ ଅଲଗା କାହିଁକି ଖାଉଛନ୍ତି ? ସମସ୍ତେ ଜାଣନ୍ତି ସମାଜରେ ଥିବା ଭେଦଭାବ। ତଥାପି ଏତେ ବଡ଼ ବ୍ୟକ୍ତି ଆମ ସହ ବସି ଖାଇବା କଥା ଏବେବି ବିଶ୍ୱାସ ହେଉନି। ଏଭଳି ଜିଲ୍ଲାପାଳ ଆମ୍ଭେ ଦେଖି ନାହୁଁ ବୋଲି ସେ କହିଛନ୍ତି।

Leave A Reply

Your email address will not be published.