Odisha Link
Bridging the Missing Links in Odisha

ଟାଇମ୍‌ସ ହାଇଅର୍‌ ଏଜୁକେଶନ ଏସିଆନ୍‌ ୟୁନିଭର୍ସିଟି ର‍୍ୟାକିଙ୍ଗରେ ରାଉରକେଲା ଏନ୍‌ଆଇଟି

ରାଉରକେଲା: ଟାଇମ୍‌ସ ହାଇଅର୍‌ ଏଜୁକେଶନ ଏସିଆନ୍‌ ୟୁନିଭର୍ସିଟି ର‍୍ୟାକିଙ୍କରେ ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି) ବିଭିନ୍ନ ବର୍ଗରେ ଉଲ୍ଲେଖନୀୟ ସ୍ଥାନ ଦଖଲ କରିଛି। ଦେଶର ସର୍ବଶ୍ରେଷ୍ଠ ଏନ୍‌ଆଇଟି ତାଲିକାରେ ପ୍ରଥମ ସ୍ଥାନ ଦଖଲ କରିଛି। ଏହାସହ ଏସିଆର ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ତାଳିକାରେ ୨୦୧-୨୫୦ ବର୍ଗରେ ରହିଛି। ଦେଶର ବୈଷୟିକ ଅନୁଷ୍ଠାନ ବର୍ଗରେ ୧୨ତମ ସ୍ଥାନ ଏବଂ ଦେଶର ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ମଧ୍ୟରେ ୨୬ତମ ସ୍ଥାନରେ ରହିଛି।

ଅନୁଷ୍ଠାନର ବିଭିନ୍ନ ଦିଗକୁ ଅନୁଶୀଳନ କରି ଏହି ର‍୍ୟାକିଙ୍ଗ ଦିଆଯାଇଥାଏ। ବିଶେଷକରି ଅନୁଷ୍ଠାନରେ ଶିକ୍ଷା ଦାନର ମାନ, ଗବେଷଣା, ଜ୍ଞାନର ଆଦାନ ପ୍ରଦାନ, ଅନ୍ତର୍ଜାତୀୟ ଦୃଷ୍ଟିକୋଣ ଆଦି ବିଭିନ୍ନ ଦିଗକୁ ତର୍ଜମା କରାଯାଇଥାଏ। ଏନେଇ ଏନ୍‌ଆଇଟି ନିର୍ଦ୍ଦେଶକ ପ୍ରଫେସର ଅନୀମେଶ ବିଶ୍ବାସ କହିଛନ୍ତି, ଅନୁଷ୍ଠାନର ପ୍ରତ୍ୟେକ ସଦସ୍ୟଙ୍କ ନିଷ୍ଠାପର ପରିଶ୍ରମ ତଥା ସମ୍ମିଳିତ ପ୍ରୟାସ ବ‌ଳରେ ଏହି ସଫଳତା ମିଳିପାରିଛି।

ଅନୁଷ୍ଠାନ ବିଭିନ୍ନ ସମୟରେ ଜ୍ଞାନର ଆଦାନ ପ୍ରଦାନ, ଗବେଷଣାକୁ ପ୍ରାଧାନ୍ୟ ଦେଇଆସିଛି। ବିଶେଷକରି ଗବେଷଣା କ୍ଷେତ୍ରରେ ଅନୁଷ୍ଠାନ ଅନ୍ତର୍ଜାତୀୟସ୍ତରରେ ପ୍ରଶଂସନୀୟ ହୋଇପାରିଛି। ଗବେଷଣାକୁ ବ୍ୟାପକ ଓ ତ୍ବରାନ୍ବିତ କରିବାକୁ ଅନୁଷ୍ଠାନରେ ୧୧ଟି ଗବେଷଣା କେନ୍ଦ୍ର ସ୍ଥାପିତ ହୋଇଛି। ସଂପ୍ରତି ଇସ୍ରୋ ସହ ମିଳିତ ଆନୁକୁଲ୍ୟରେ ସ୍ପେସ୍‌ ଟେକ୍ନୋଲୋଜି ଇନ୍‌କ୍ୟୁବେସନ ସେଣ୍ଟର୍‌(ଏସ୍‌-ଟିଆଇସି) ସ୍ଥାପନ କରାଯାଉଛି। ଏହି ସଫଳତା ଆଗାମୀ ଦିନରେ ଅଧିକରୁ ଅଧିକ ଉତ୍କୃଷ୍ଟତା ହାସଲ କରିବାକୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି।

Leave A Reply

Your email address will not be published.