Odisha Link
Bridging the Missing Links in Odisha

କ୍ୟାପିଟାଲ ହସ୍ପିଟାଲକୁ ଆସିବ ଇକମୋ ମେସିନ: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ଇକମୋ ମେସିନ ନଥିବାରୁ ବହୁ ଗୁରୁତର କରୋନାରେ ପୀଡିତ ରୋଗୀଙ୍କୁ ଏୟାର ଲିଫ୍ଟିଂ କରାଯାଉଛି। ଏହି ବାବଦକୁ ରୋଗୀଙ୍କ ପରିବାରକୁ ୧ କୋଟି ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ୁଛି ଯାହା ବ୍ୟୟ ସାପେକ୍ଷ। ବହୁଲୋକ କଷ୍ଟରେ ଟଙ୍କା ଯୋଗାଡ଼ କରି ରୋଗୀଙ୍କୁ ଇକମୋ ଦ୍ୱାରା ଚିକିତ୍ସା କରାଉଛନ୍ତି। ମାତ୍ର ଗରିବଲୋକ ଏଥିରୁ ବଞ୍ଚିତ ହୋଇ ପ୍ରାଣ ହରାଉଛନ୍ତି। ତେବେ ରାଜଧାନୀ ଭୁବନେଶ୍ୱରସ୍ଥ କ୍ୟାପିଟାଲ ହସ୍ପିଟାଲକୁ ଜୀବନ ରକ୍ଷାକାରୀ ଇକମୋ ମେସିନ ଆସିବ ବୋଲି ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ କହିଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଇକମୋ ମେସିନ କିଣିବା ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯାଇଛି। କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଇକମୋ ମେସିନ ସ୍ଥାପନ କରାଯିବ। ସିଏସଆର ପାଣ୍ଠି ଜରିଆରେ ଇକମୋ କ୍ୟାପିଟାଲ ହସ୍ପିଟାଲରେ ଲାଗିବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି।

ସେହିପରି କରୋନା ସଂକ୍ରମଣ ସ୍ଥିତି ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନଲକ ନେଇ ନିଷ୍ପତ୍ତି ନେବେ। ଜିଲ୍ଲାର ସ୍ଥିିତି ଓ ସଂକ୍ରମଣ ନେଇ ଜିଲ୍ଲାପାଳମାନଙ୍କ ରିପୋର୍ଟ ଅନୁସାରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି।

ଡିଏମଇଟି ସିବିକେ ମହାନ୍ତି ଇକମୋ ସମ୍ପର୍କରେ କହିଛନ୍ତି ଯେ, ଇକମୋ ବ୍ୟୟ ବହୁଳ ଚିକିତ୍ସା। ପ୍ରଥମେ ୪ରୁ ୫ ଲକ୍ଷ ଟଙ୍କା ଦରକାର। ଚିକିତ୍ସା ଜାରି ରହିଲେ ଦିନକୁ ୧ ଲକ୍ଷରୁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ନିମୋନିଆ ହୋଇ ଭେଣ୍ଟିଲେଟର ଫେଲ ହେଲେ ଇକମୋ ଆବଶ୍ୟକ। ମେସିନ ଆଣି ଥୋଇଦେଲେ ହେବନି। ଏଥିପାଇଁ ମାନବ ସମ୍ବଳ ଦରକାର। ଏହି ମେସିନ ଆଣିବାକୁ ସରକାର ସବୁ ପ୍ରକାର ଚେଷ୍ଟା କରୁଛନ୍ତି। ଭାରତରେ ଏହି ମେସିନ ତିଆରି ହେଉନି। ବିଦେଶରୁ ଆଣିବାକୁ ପ୍ରକ୍ରିୟା ଚାଲିଛି ବୋଲି ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଥିଲେ।

Leave A Reply

Your email address will not be published.