Odisha Link
Bridging the Missing Links in Odisha

ମାନିଲେନି କଟକଣା, ମହାପ୍ରସାଦ ପାଇଁ ମାଳ ମାଳ ଲୋକ କଲେ ଭିଡ଼

ପୁରୀ : ସାବିତ୍ରୀ ଅମାବାସ୍ୟାକୁ ଆଖି ଆଗରେ ରଖି ମହାପ୍ରସାଦ ବିକ୍ରୟ ନେଇ ଅଣ୍ଟା ଭିଡିଥିଲା ପୁରୀ ଜିଲ୍ଲା ପ୍ରଶାସନ। ହେଲେ ଅସଲ ବେଳକୁ ସବୁ ଅବ୍ୟବସ୍ଥା ପଦାରେ ପଡିଛି। ଲୋକେ ଘଣ୍ଟା ଘଣ୍ଟା ଧରି ଟୋକେନ ଧରି ଛିଡା ହୋଇଥିବା ବେଳେ ସେମାନଙ୍କୁ ଅବଢ଼ା ମିଳି ପାରିଲା ନାହିଁ। ଯାହାକୁ ନେଇ ଢ଼େର ସମୟ ପର୍ଯ୍ୟନ୍ତ ଶହ ଶହ ଲୋକେ ରୁଣ୍ଡ ହୋଇ ହୋ ହାଲ୍ଲା କରିଥିଲେ।

ସାବିତ୍ରୀ ଅମାବାସ୍ୟାରେ ବ୍ରତଧାରୀ ମହିଳା ମହାପ୍ରସାଦ ଭୋଜନ କଲେ କୋଟିପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି। ତେଣୁ ଏହିଦିନ ଶ୍ରୀମନ୍ଦିର ବାହାରେ ଯଥେଷ୍ଟ ଭିଡ ହେବାର ଆଶଙ୍କା ରହିଥିଲା। ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଗତକାଲି ଗଣମାଧ୍ୟମକୁ କୁହାଯାଇଥିଲା। ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣ ଦ୍ୱାରରେ ୧୦ଟି ଲେଖାଏଁ କାଉଣ୍ଟର କରି ଦିନ ୧୧ଟା ପରଠାରୁ ଟୋକେନ ଦିଆଯିବ ବୋଲି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା। ଶୃଙ୍ଖଳିତ ଭାବେ ସମସ୍ତଙ୍କୁ ମହାପ୍ରସାଦ ବଂଟନ କରାଯିବା ନେଇ ବ୍ୟବସ୍ଥା ହୋଇଥିବା ଜିଲ୍ଲା ପ୍ରଶାସନ କହିଥିଲା।

ଏପରିକି ଅସ୍ଥାୟୀ ସେଡରେ ଚେୟାର ପକାଇ ଲୋକଙ୍କୁ ବସାଇବାର ବ୍ୟବସ୍ଥା ହୋଇଥିଲେ ବି ଲୋକସଂଖ୍ୟା ବଢ଼ିବା ହେତୁ ତାହା ଆଉ କାମରେ ଲାଗି ନଥିଲା। ଲୋକେ ସବୁ ନିୟମ ଭୁଲି ପୁଲିସ ଉପସ୍ଥିତିରେ ଉତ୍ତର ଓ ଦକ୍ଷିଣ ଦ୍ୱାର ସାମ୍ନାରେ ଘଂଟା ଘଂଟା ଧରି ଏକାଠି ହୋଇଥିଲେ। ପୁଲିସ ସବୁ ଦେଖିଥିଲେ ବି ଚୁପ ଚାପ ରହିଥିଲା। ଏମିତିକି ଜିଲ୍ଲା ପ୍ରଶାସନର କୌଣସି ବରିଷ୍ଠ ଅଧିକାରୀ ଢ଼େର ସମୟ ଯାଏଁ ଦେଖା ଦେଇନଥିଲେ।

କୋଭିଡ ନିୟମ ସବୁ ଚୁଲିକି ଯାଇଥିଲା। ଲୋକେ ସାମାଜିକ ଦୂରତା ଭୁଲି ଅବଢ଼ା ନେବାକୁ ଏକାଠି ହୋଇଥିଲେ। କାଉଣ୍ଟରରୁ ଟୋକେନ ଆଣିବି ଦୀର୍ଘ ସମୟ ଯାଏଁ ଲୋକଙ୍କୁ ଅବଢ଼ା ମିଳିନଥିଲା। ହେଲେ ନିୟମ ଭାଙ୍ଗି କିଛି ବ୍ୟକ୍ତି ଶ୍ରୀମନ୍ଦିର ଭିତରୁ ଅବଢ଼ା ଆଣିଥିବାର ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଉତ୍ତେଜନା ବଢ଼ିଥିଲା। ପାର୍କିଂ, ବ୍ୟାରିକେଡ, କୋଭିଡ ଗାଇଡଲାଇନ ସବୁର ଧଜିଆ ଉଡାଇ ଲୋକେ ଗହଳି କଲେ।

Leave A Reply

Your email address will not be published.