Odisha Link
Bridging the Missing Links in Odisha

ରଜ ପରେ ହେବ ସମୀକ୍ଷା, ପରିସ୍ଥିତି ଦେଖି ନିଆଯିବ ଅନ୍‌ଲକ୍‌ ନିଷ୍ପତ୍ତି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ ଜୁନ୍‌ ମାସ ଆଣିଛି ଆଶ୍ବସ୍ତିକର ଖବର। ରାଜ୍ୟରେ ଲକ୍‌ଡାଉନ୍, ସପ୍ତାହାନ୍ତ ସଟ୍‌ଡାଉନ୍‌ କଟକଣା ଲାଗୁ ହେବା ପରେ ନିୟନ୍ତ୍ରଣାଧୀନ ସ୍ଥିତିକୁ ଫେରୁଛି କରୋନା ସଂକ୍ରମଣ। ରାଜ୍ୟରେ ଏବେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ। ଦୈନକି ସଂକ୍ରମଣ ବି କମିବାରେ ଲାଗିଛି। ହେଲେ ଚିନ୍ତା ବଢ଼ାଉଛି କରୋନା ଜନିତ ମୃତ୍ୟୁ ସଂଖ୍ୟା। ରାଜ୍ୟରେ ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ରଜ ପରେ ପରିସ୍ଥିତିକୁ ଅନୁଧ୍ୟାନ କରି ଅନ୍‌ଲକ୍‌ ନିଷ୍ପତ୍ତି ନିଆଯିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

ଶୁକ୍ରବାର ଗଣମାଧ୍ୟମକୁ କହିଛନ୍ତି ଯେ, ରାଜ୍ୟରେ ଧୀରେ ଧୀରେ ଖସୁଛି କରୋନା ଗ୍ରାଫ୍। ପୂର୍ବ ସ୍ଥିତିରେ ଉନ୍ନତି ଆସୁଛି। ଦୈନିକ ସଂକ୍ରମଣ ଓ ଆକ୍ଟିଭ କେସ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଛି। ଯେଉଁଠି ପଜିଟିଭ ହାର ଅଧିକ ଅଛି, ସେଠି ଟେଷ୍ଟିଂ ଜୋରଦାର କରାଯାଉଛି। ଚିହ୍ନଟ ହେଉଥିବା ଲୋକଙ୍କୁ ଆଇସୋଲେସନରେ ରଖାଯାଉଛି । ରଜ ପରେ ସମୀକ୍ଷା କରାଯିବ। ପରିସ୍ଥିତି ଦେଖି ଯାହା କିଛି ନିଷ୍ପତ୍ତି ନିଆଯିବ। ଯେଉଁ ଜିଲ୍ଲାରେ ସଂକ୍ରମଣ ହାର କମୁଛି ସେଠାରେ ଅନଲକ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୨୩୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮,୪୨,୪୬୧ରେ ପହଁଞ୍ଚିଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରାଣ୍ଟିନ୍‌ ସେଣ୍ଟରରୁ ୨୯୫୭ ଜଣ ଚିହ୍ନଟ ହୋଇଥିବା ବେଳେ ୨୨୭୮ ଜଣ ସ୍ଥାନୀୟ ବାସିନ୍ଦା ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.